ଭୁବନେଶ୍ବର: ଭଗବାନଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ସେହି ହାତୀଙ୍କ ପାଇଁ ଆଜି ଦିନଟି । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ହାତୀ-ମଣିଷର ଭଲ ବନ୍ଧୁତା କାଳ କାଳରୁ ରହିଆସିଛି । ସେଥିପାଇଁ ତ 1971 ଦଶକରେ ଆସିଥିଲା ହାତୀ ମେରା ସାଥୀ ଫିଲ୍ମ । ଏହି ହିନ୍ଦୀ ଫିଲ୍ମଟିକୁ ସମସ୍ତେ ପ୍ରାୟ ଦେଖିଥିବେ । ମଣିଷ-ହାତୀ କିଭଳି ଭଲ ବନ୍ଧୁ ହୋଇପାରିଛନ୍ତି । ତାହା ଫିଲ୍ମରେ ଦର୍ଶାଯାଇଛି । କିନ୍ତୁ ଏବେ ସମୟ ବଦଳିଛି । ଭଲ ବନ୍ଧୁରୁ ଯେମିତି ବଇରି ପାଲଟିଛି ହାତୀ । ଅଧିକାଶଂ ସମୟ ହାତୀ-ମଣିଷ ଲଢେଇ ଖବର ସାମ୍ନାକୁ ଆସୁଛି । କେଉଁଠି ହାତୀ ହାରି ଯାଉଛି ତ କେଉଁଠି ମଣିଷ । ଏହି ବିରାଟକାୟ ଜୀବ ପାଇଁ ପାଳନ ହେଉଛି ବିଶ୍ବ ହସ୍ତୀ ଦିବସ । ଚାଲନ୍ତୁ ଜାଣିବା ଓଡିଶାରେ ହାତୀଙ୍କ ସ୍ଥିତି କଣ ? କଣ କହୁଛି ରିପୋର୍ଟ ।
![ବିଶ୍ବ ହସ୍ତୀ ଦିବସ](https://etvbharatimages.akamaized.net/etvbharat/prod-images/12-08-2024/22181232_ele.jpg)
କାହିଁକି ପାଳନ ହୁଏ ହାତୀ ଦିବସ:
ଆମେ ଯେମିତି ବନ୍ଧୁତା ଦିବସ ହେଉ ଅବା ପିତା ମାତା, ଭଉଣୀ, ଭାଇ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଦିବସ ପାଳନ କରୁ ଠିକ୍ ସେମିତି ହାତୀଙ୍କ ପାଇଁ ମଧ୍ୟ ହସ୍ତୀ ଦିବସ ପାଳନ ହୁଏ । ଅଗଷ୍ଟ 12 ତାରିଖରେ ହସ୍ତୀ ଦିବସ ପାଳନ କରାଯାଏ । ଯାହାକି 2012 ମସିହାରୁ ପାଳନ କରାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣରେ ଜନସଚେତନା ସୃଷ୍ଟି କରିବା ।
![ବିଶ୍ବ ହସ୍ତୀ ଦିବସ](https://etvbharatimages.akamaized.net/etvbharat/prod-images/12-08-2024/22181232_hati.jpg)
ଓଡ଼ିଶାରେ ହାତୀଙ୍କ ସ୍ଥିତି କିଭଳି ରହିଛି:
ଦେଶରେ ହାତୀଙ୍କ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଆକ୍ରମଣରେ ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହାରି ମଧ୍ୟରେ ଓଡ଼ିଶାର ସ୍ଥିତି ଏକ ନମ୍ବର ରହିଛି । ହାତୀ ଆକ୍ରମଣରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ହାତୀ ଆକ୍ରମଣରେ ମୃତ୍ୟୁ ବରଣ ଘଟିଥିବା ତଥ୍ୟ ଅନୁଯାୟୀ ୨୦୨୩-୨୪ ମସିହାରେ ସର୍ବାଧିକ ୧୫୪ ରହିଛି । ଯାହା ଦେଶରେ ସର୍ବାଧିକ ଅଟେ । ଦ୍ଵିତୀୟରେ ରହିଛି ପଶ୍ଚିମବଙ୍ଗ ୯୯ ରହିଥିବା ବେଳେ ତୃତୀୟରେ ରହିଛି କର୍ଣ୍ଣାଟକ ଯାହାର ସଂଖ୍ୟା ମାତ୍ର ୮୭ ବୋଲି ରିପୋର୍ଟରେ ଦେଖିବାକୁ ମିଳିଛି ।
![ବିଶ୍ଵ ହାତୀ ଦିବସ](https://etvbharatimages.akamaized.net/etvbharat/prod-images/12-08-2024/od-bbsr-04-update-visual-elephant-7206049_11082024202009_1108f_1723387809_139.jpg)
ଓଡ଼ିଶାରେ କେତେ ଅଛନ୍ତି ହାତୀ ?
ରାଜ୍ୟରେ ଥିବା ୩୮ଟି ବନଖଣ୍ଡରେ ଅଛନ୍ତି ୨୦୯୮ ହାତୀ ରହିଛନ୍ତି । ୭ ବର୍ଷରେ ୧୨୨ ହାତୀଙ୍କ ସଂଖ୍ୟା ବଢ଼ିଛି । ରାଜ୍ୟରେ ପୁରୁଷ ହାତୀଙ୍କ ସଂଖ୍ୟା ୪୭୪ ଓ ମାଇ ହାତୀଙ୍କ ସଂଖ୍ୟା ୧ ହଜାର ୩୯ଟି ହାତୀ ରହିଛନ୍ତି । ଅନ୍ୟପଟେ ଛୁଆ ହାତୀ ଅଛନ୍ତି ମାତ୍ର ୫୯୪ । ଏପଟେ ୨୦୧୭ ମସିହାରେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ଟି ହାତୀ ଥିଲେ ବୋଲି କହିଛି ବନ ବିଭାଗ ।
![ବିଶ୍ବ ହସ୍ତୀ ଦିବସ](https://etvbharatimages.akamaized.net/etvbharat/prod-images/12-08-2024/22181232_elephant.jpg)
ହାତୀ ମଣିଷ ଲଢେଇରେ ମଣିଷ ମୃତ୍ୟୁ:
କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର ୫ ବର୍ଷର ତଥ୍ୟ ଉପରେ ନଜର ଦେଲେ ୨୦୧୯-୨୦ ମସିହାରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୭ ଜଣ ମଣିଷ ମୃତ୍ୟୁ ବାରଣ କରିଥିବା ବେଳେ ଦେଶରେ ୫୭୪। ସେହିପରି ୨୦୨୦-୨୧ ମସିହାରେ ରାଜ୍ୟରେ ୯୩ ଜଣ ରହିଥିବା ବେଳେ ଦେଶରେ ୪୪୪, ୨୦୨୧-୨୨ ମସିହାରେ ରାଜ୍ୟରେ ୧୧୨ ଜଣ ରହିଥିବା ବେଳେ ଦେଶରେ ୫୨୦, ୨୦୨୨-୨୩ ମସିହାରେ ରାଜ୍ୟରେ ୧୪୮ ରହିଥିବା ବେଳେ ଦେଶରେ ୫୮୩ ଏବଂ ୨୦୨୩-୨୪ ମସିହାରେ ରାଜ୍ୟରେ ୧୫୪ ଜଣ ମଣିଷ କେବଳ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଦେଶରେ ୬୦୬ ଜଣ ରହିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।
![World Elephant Day 2024](https://etvbharatimages.akamaized.net/etvbharat/prod-images/12-08-2024/22181232_elephant5.jpg)
୫ ବର୍ଷରେ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ହାତୀ ସଂଖ୍ୟା:
ରାଜ୍ୟ ବନ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ରାଜ୍ୟରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ଟି ହାତୀ ମୃତ୍ୟୁ ବାରଣ କରିଛନ୍ତି । ୨୦୨୩ ମସିହାରେ ୬୬ଟି ହାତୀ ବିଭିନ୍ନ କାରଣରୁ ନେଇ ମୃତ୍ୟୁବରଣ କରିଛନ୍ତି ।
ଶେଷ ଥର ଗତ ଜୁନରେ ହୋଇଥିଲା ହାତୀ ଗଣନା:
2017ରେ କେନ୍ଦ୍ର ସରକାର ଶେଷ ଥର ପାଇଁ ହାତୀ ଗଣନା କାର୍ଯ୍ୟକ୍ରମ କରିଥିଲେ । ସେତେବେଳେ ରାଜ୍ୟରେ ହାତୀ ସଂଖ୍ୟ ଥିଲା ୧ ହଜାର ୯୭୬ । କିନ୍ତୁ ପରେ ଆଉ କେନ୍ଦ୍ର ପକ୍ଷରୁ ରାଜ୍ୟରେ ଗଣନା ନହେବାରୁ ରାଜ୍ୟ ସରକାର 2024ରେ ହାତୀ ଗଣନା କରିଥିଲେ । ଗତ ଜୁନରେ ହାତୀ ଗଣନା ରିପୋର୍ଟ ଅନୁସାରେ ୩୮ଟି ଡିଭିଜନରେ 2000ରୁ ଅଧିକ ହାତୀ ଥିବା ଜଣାପଡିଛି ।
![ବିଶ୍ଵ ହାତୀ ଦିବସ](https://etvbharatimages.akamaized.net/etvbharat/prod-images/12-08-2024/od-bbsr-04-update-photo-world-elephant-day-7206049_11082024191414_1108f_1723383854_521.jpg)
ଜଙ୍ଗଲରେ ହାତୀଙ୍କ ପାଇଁ ଭିଆଇପି ସୁବିଧା:
ଓଡ଼ିଶା ଜଙ୍ଗଲରେ ଖୋଲାଯାଇଛି ହାତୀଙ୍କ ପାଇଁ ପାଠଶାଳା । ଜଙ୍ଗଲ ମଧ୍ୟରେ ରହିଛି ରେସ୍ତୋରାଁ । ମଣିଷ ନୁହେଁ ହାତୀଙ୍କ ପାଇଁ ଖୋଲିଛି ରେସ୍ତୋରାଁ । ଏକା ସାଙ୍ଗରେ ସମସ୍ତ ହାତୀ ରେସ୍ତୋରାଁରେ ବସିକରି ଖାଉଛନ୍ତି । ସେମାନଙ୍କ ପାଇଁ ରହିଛି ହାଇଫାଇ ଖାଦ୍ୟ। ଯାହା ସ୍ବତନ୍ତ୍ର ଭାବରେ ଜଙ୍ଗଲ ମଧ୍ୟରେ କରାଯାଇଛି । ଏଭଳି ସ୍ବତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଉଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ମଧ୍ୟରେ।
ହାତୀଙ୍କ ପାଇଁ ପାଠଶାଳା:
![ବିଶ୍ବ ହସ୍ତୀ ଦିବସ](https://etvbharatimages.akamaized.net/etvbharat/prod-images/12-08-2024/22181232_elee.jpg)
ଏହି ବ୍ୟବସ୍ଥା କେବଳ କିଛି ଖାସ୍ ହାତୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ବିଶେଷ ଭାବରେ ଚନ୍ଦକା ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ଯେଉଁ ମାନଙ୍କୁ ଟ୍ରେନିଂ ଦିଆଯାଉଛି । ଏହି ଟ୍ରେନିଂ ସମୟରେ କିଭଳି ଭାବରେ ଶୃଙ୍ଖଳିତ ଜୀବନ ବିତାଇବାର କଳା ଶିଖୁଛନ୍ତି କିଛି ଜଙ୍ଗଲୀ ହାତୀ । ଏହା ସମେତ ବିଶେଷ ଭାବରେ ଗୋଠରୁ ଅଲଗା ହୋଇଯାଇଥିବା ବା ଅନାଥ ପାଲଟିଥିବା ହାତୀଙ୍କୁ କୋଳେଇ ନେଇ ଏହି ଚନ୍ଦକା ଜଙ୍ଗଲ ମଧ୍ୟରେ ଏକ କୁମୁକି ଟ୍ରେନିଂ ଦେଉଛି ।
ହାତୀ ଶରୀରରେ ପ୍ରଥମ କରି ରେଡିଓ କଲାର:
ରାଜ୍ୟରେ ପ୍ରଥମ କରି ହାତୀ ଶରୀରରେ ଲାଗିଛି ରେଡିଓ କଲାର। ଅନୁଗୁଳ ଛେଣ୍ଡିପଦା ରେଞ୍ଜ୍ରେ ହାତୀ ଶରୀରରେ ଖଞ୍ଜଯାଇଛି ରେଡ଼ିଓ କଲାର। ଏହା ଦ୍ବାରା ହାତୀର ଗତିବିଧି ଉପରେ ନଜର ରଖୁଛି ବନ ବିଭାଗ। ଆଗାମୀ ଦିନରେ ଅନ୍ୟ ହାତୀପଲଙ୍କ ପାଇଁ ବ୍ୟବହାର ହେବ ବୋଲି ପୂର୍ବରୁ କହିଥିଲା ବନ ବିଭାଗ ।
ହାତୀ ଦାନ୍ତ ଉପରେ ଶିକାରୀଙ୍କ ନଜର:
ଅନେକ ସମୟରେ ହାତୀଙ୍କୁ ମାରି ଶିକାରୀ ମାନେ ହାତୀ ଦାନ୍ତକୁ ନେଉଛନ୍ତି । ଯାହା ବିଦେଶରେ ଉଚ୍ଚା ଦରରେ ବିକ୍ରି କରୁଛନ୍ତି । ଏଇ ଗତ ଜୁଲାଇ ୩୧ ତାରିଖରେ ବାରିପଦାରୁ ୭ ଜଣ ଶିକାରୀ ଧରାପଡ଼ିଥିବା ବେଳେ ୫ ଟି ହାତୀ ଦାନ୍ତକୁ ମଧ୍ୟ ଜବତ କରିଥିଲେ। ଯାହା ଶିମିଳିପାଳ ଦକ୍ଷିଣ ଡିଭିଜନ ଓ ବାରିପଦା ଫରେଷ୍ଟ ଡିଭିଜନ ର ମିଳିତ ଚଢାଉ କରି ଏହି ସଫଳତା ମିଳିଛି । ଏପରିକି ରାଜ୍ୟର ଅନେକ ସ୍ଥାନରୁ ହାତୀ ଦାନ୍ତ ସମେତ ଶିକାରୀଙ୍କୁ ମଧ୍ୟ ଗିରଫ କରୁଛନ୍ତି ଏସ ଟି ଏଫ୍ ସମେତ ବନ ବିଭାଗ।
ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ:
ରାଜ୍ୟରେ ଅନେକ ହାତୀ ଶିକାର ହେଉଛି ଓ ବହୁ ହାତୀର ମୃତ୍ୟୁର କାରଣ ଜଣାପଡ଼ୁନାହିଁ । ତେଣୁ ସରକାର ପ୍ରତ୍ୟେକ ହାତୀ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ । ଯେ ପର୍ଯ୍ୟନ୍ତ ଶିକାରୀ ବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଶିକାର ହେଉଥିବ। ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତମାନେ କିଛି ଦିନ ଜେଲ୍ରେ ରହିବା ପରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ।
କାହା ପାଇଁ ହାତୀ ସୁରକ୍ଷା ଯୋଜନା ?
ଗଜ ସାଥୀ, ଗଜ ସୁରକ୍ଷା, ସୌର ତାରବାଡ଼ ଭଳି ଯୋଜନାର ସୁଫଳ ଏଯାଏଁ ମିଳିନାହିଁ । ଏପଟେ ଗଜ ଉତ୍ସବ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବନ ବିଭାଗ। ହାତୀଙ୍କ ଖାଦ୍ୟ ଓ ବଜ୍ରପାତରୁ ରକ୍ଷା କରିବା ପାଇଁ ଜଙ୍ଗଲରେ ତାଳ ଗଛ ଲଗାଇବା ପାଇଁ ଅଣ୍ଟା ଭିଡ଼ିଥିଲା ବନ ବିଭାଗ । ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଅଭାବ ହେଉଥିବାରୁ ସେମାନେ ଜନବସତି ଆଡକୁ ମାଡି ଆସୁଛନ୍ତି । ଯାହା ଫଳରେ ହାତୀ-ମଣିଷ ମୁହାଁମୁହିଁ ହେଉଛନ୍ତି।
ହାତୀ ସମ୍ପର୍କିତ ଖବର ଜାଣନ୍ତୁ ନିମ୍ନରେ:
ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ରିପୋର୍ଟ; ଦେଶରେ ଆଗରେ ଓଡ଼ିଶା, ଦ୍ଵିତୀୟରେ ପଶ୍ଚିମବଙ୍ଗ
ଆସିଲା ହାତୀ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩
ହାତୀଙ୍କ ପାଇଁ VIP ସୁବିଧା: ରହିଛି ଖେଳ ପଡିଆ ଓ ରେସ୍ତୋରାଁ
ଇଟିଭି ଭାରତ, ଭୁବନେଶ୍ବର