ଭଦ୍ରକ: ମହିଳାଙ୍କଠାରୁ ଜବତ ହେଲା 16.350 ଗ୍ରାମ ବ୍ରାଉନ ସୁଗାର ଓ ନଗଦ 30 ଲକ୍ଷ ଟଙ୍କା । ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ଭଦ୍ରକ ପୌରାଞ୍ଚଳ ଏଲଖା ନୂଆନଗର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ଚଢାଉ କରିଥିଲା ପୋଲିସ । ତେବେ ଏହି ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ପୋଲିସ । ମହିଳାଜଣକ ଘରୁ ବ୍ରାଉନସୁଗାର ଓ 30 ଲକ୍ଷ ନଗଦ ଟଙ୍କା ଜବତ ହେବା ପରେ ତାଙ୍କୁ କୋର୍ଟ ଫରଓ୍ବାର୍ଡ କରାଯାଇଛି ।
ଖାଲି ଧଳାଜହର ନୁହେଁ, ମିଳିଲା ଏହି ସବୁ:-
ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କହିଛନ୍ତି, "ଏହି ଚଢ଼ାଉ ବେଳେ ମହିଳାଙ୍କ ଘରୁ 16.350 ଗ୍ରାମ ବ୍ରାଉନ ସୁଗାର ସହ 30 ଲକ୍ଷ 44 ହଜାର 855 ଟଙ୍କା ମଧ୍ୟ ମିଳିଛି । ଏଥିସହ 5 ଟି ମୋବାଇଲ ଫୋନ, 2ଟି ମଲ୍ଟିମିଡ଼ିଆ ଫୋନ, ବିଭିନ୍ନ ବ୍ୟାଙ୍କର ବ୍ଲାଙ୍କ ଚେକ ଏବଂ ବିଭିନ୍ନ ବେଆଇନ ଷ୍ଟାମ୍ପ ପେପର ମଧ୍ୟ ଜବତ କରାଯାଇଛି ।"
ଏହା ମଧ୍ୟ ପଢନ୍ତୁ..ବଡ଼ଧରଣର ଡକାୟତି ଗ୍ୟାଙ୍ଗ ପର୍ଦ୍ଦାଫାସ, ବନ୍ଧୁକ ସହ 4ଟି ଅଫୁଟା ଗୁଳି ଜବତ
ଅଭିଯୁକ୍ତ ମହିଳା ଗିରଫ:
ଏହି ବ୍ରାଉନ ସୁଗାର କାରବାରରେ ମହିଳାଙ୍କ ସହିତ ଆଉ କେଉଁ କେଉଁ ବ୍ୟକ୍ତିଙ୍କର ସମ୍ପର୍କ ରହିଛି ଓ ବ୍ରାଉନ ସୁଗାର କେଉଁଠୁ ଆଣି ବେପାର କରୁଥିଲେ, ସେନେଇ ଭଦ୍ରକ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଚଳାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବେହେରା କହିଛନ୍ତି । ତେବେ ଚଢ଼ାଉ ବେଳେ ଅନେକ ଲୋକଙ୍କ ଭୋଟର ପରିଚୟ ପତ୍ର ଏବଂ ଆଧାର କାର୍ଡ ଜବତ କରିଛି ପୋଲିସ । ତେବେ ମିଳିଥିବା ମୋବାଇଲ ଓ କାଗଜପତ୍ର ମାଧ୍ୟମରେ ଏହି ନେଟଓ୍ବାର୍କର ଫର୍ଦ୍ଦାଫାସ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ତେଣୁ ସେମାନଙ୍କ ସମ୍ପର୍କରେ ପୋଲିସ ଖୋଜ ଖବର ଆରମ୍ଭ କରିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଜଣେ ମହିଳା ନିଶା କାରବାରରେ ସମ୍ପୃକ୍ତ ରହି ଧରା ପଡିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ଭଦ୍ରକ