ବଲାଙ୍ଗୀର: କନେଷ୍ଟବଳ ସ୍ୱାମୀଙ୍କ ଉନ୍ମକ୍ତ କାଣ୍ଡ । ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ । ବଲାଙ୍ଗୀର ଜିଲ୍ଲାରେ ପୋଲିସ୍ ଥିବା ସ୍ବାମୀ ନିଜ ପୋଲିସ୍ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିବା ଏବେ ଚର୍ଚ୍ଚାରେ । ଗୁରୁତର ମହିଳା ଏବେ ଚିକିତ୍ସାଧୀନ ଥିବା ବେଳେ ସ୍ବାମୀ ଫେରାର ।
ସ୍ତ୍ରୀକୁ ହତ୍ୟା ଉଦ୍ୟମ:
ଗତ ସୋମବାର ଦିନ ଏକ ଭୋଜିରୁ ଫେରୁଥିବା ବେଳେ କନେଷ୍ଟବଳ ସ୍ୱାମୀ ନିଜ କନେଷ୍ଟେବଳ ସ୍ତ୍ରୀକୁ ଆକ୍ରମଣ କରି ଜୀବନରେ ମାରିଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଜଣେ ସହଯୋଗୀଙ୍କ ମିଶି ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ପାଟି କରିବାକୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯିବାରୁ ମହିଳା ପୋଲିସ୍ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ସେମାନେ ଫେରାର ମାରିଥିବା ସୂଚନା ରହିଛି । ଅନ୍ୟପଟେ ଗୁରୁତର ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ୱାମୀଙ୍କୁ ଗିରଫ କରିବାକୁ ଦାବି:
ମହିଳାଙ୍କ ବେକ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ମହିଳା ପୋଲିସ୍ କନଷ୍ଟେବଳ ଚେତା ଫେରି ପାଇବା ପରେ ମୁହଁ ଖୋଲିଛନ୍ତି ଏବଂ ତାଙ୍କ ସ୍ଵାମୀ ଜ୍ୟୋତି ପ୍ରଧାନ ହିଁ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ବୋଲି କହିଛନ୍ତି । ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି । ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ମହିଳା କନଷ୍ଟେବଳ କହିଛନ୍ତି,"ମୋ ସ୍ଵାମୀ ହିଁ ମୋତେ ଜୀବନରେ ମାରି ଦେବା ପାଇଁ ଉଦ୍ୟମ କରିଛି । ଘଟଣା ଦିନ ଆମେ ଏକ ଭୋଜିରୁ ଫେରୁଥିବା ବେଳେ ମୋ ସ୍ଵାମୀ ମୋଟର ସାଇକେଲ ଏକ ଜଙ୍ଗଲ ପାଖରେ ରଖି ଦେଇଥିଲେ ।"
ସେ ଆଉ ମଧ୍ୟ କହିଛନ୍ତି," ସେଠି ଆଗରୁ ଆଉ ଜଣେ ଥିବା ବେଳେ କିଛି ବୁଝିବା ଆଗରୁ ମୋ ସ୍ବାମୀ ମତେ ଏକ ତାଲା ଦ୍ଵାରା ମୁଣ୍ଡରେ ପିଟିବା ଆରମ୍ଭ କରିଥିଲେ। କାହିଁକି ଏଭଳି କରୁଛ କହିବାରୁ ସେ ମୋ ସହିତ ଆଉ ରହି ପାରିବେ ନାହିଁ ବୋଲି କହିଥିଲେ । ଏପରିକି ଛୋଟ ପିଲା କଥା କହିଲା ପରେ ମଧ୍ୟ ସେ ମୋତେ ତଳେ ପକାଇ ମୁଣ୍ଡକୁ ମାରିବା ଆରମ୍ଭ କରିଥିଲେ । ଏକ ପଥରରେ ସେ ମୁଣ୍ଡକୁ ଛେଚିବା ଆରମ୍ଭ କରିଥିଲେ । ତେବେ କୌଣସି ମତେ ମୁଁ ପାଟି କରିବାରୁ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଯାହା ପରେ ଉଭୟ ସେଠୁ ଫେରାର ମାରିଥିଲେ । ଏବେ ଲୋକେ ମତେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ମୋ ସ୍ବାମୀ ମୋତେ ମାରିବାର ଉଦ୍ୟମ କରିଥିଲେ। ତେଣୁ ତାଙ୍କୁ ଅତି ଶୀଘ୍ର ଧରାଯାଉ ଓ କଣ ପାଇଁ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚାହୁଁଥିଲେ ତାହା ମୁଁ ଜାଣିବାକୁ ଚାହୁଁଛି ।"
ସେପଟେ ଏହି ଘଟଣାକୁ ବଲାଙ୍ଗୀର ପୋଲିସ ଗୁରୁତର ସହ ନେଇଛି । ଅଭିଯୁକ୍ତ ସ୍ୱାମୀର ମୁଖ୍ୟ ସହଯୋଗୀକୁ ଗିରଫ କରିଛି ପୋଲିସ । ସ୍ବାମୀ ଏବେ ଫେରାର ଥିବାବେଳେ ପୋଲିସର ବିଭିନ୍ନ ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ କରୁଛନ୍ତି । ଅଭିଯୁକ୍ତକୁ ପୋଲିସ ଚାକିରିରୁ ନିଲମ୍ବିତ କରାଯାଇଛି ।
ବଲାଙ୍ଗୀର ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି," ଏହି ମାମଲାକୁ ପୋଲିସ୍ ଗୁରୁତର ସହ ନେଇଛି । ଏଥିରେ ଜଣକୁ ଗିରଫ କରାଯାଇଥିବା ବେଳେ ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।"
ଇଟିଭି ଭାରତ, ବଲାଙ୍ଗୀର