ଦେବଗଡ଼ (ଓଡ଼ିଶା): ପଶ୍ଚିମ ଓଡ଼ିଶାର ଦେବଗଡ଼ ଜିଲ୍ଲା । ଜିଲ୍ଲା ମୁଖ୍ୟାଳୟ ଦେବଗଡ଼ଠାରୁ ପଶ୍ଚିମକୁ ୧୬ କିଲୋମିଟର ଗଲେ ପଡ଼ିବ ତିଲେଇବଣି ବ୍ଲକ । ଏହି ବ୍ଲକରେ ରହିଛି ତିନିଟି ବସା (ଗାଁ), ଯେଉଁଠି ବସା ବାନ୍ଧିଛନ୍ତି ଆଦିମ ଜନଜାତି ମାଙ୍କିଡ଼ିଆ । କିଏ ଏହି ଆଦିମ ଅଧିବାସୀ ମାଙ୍କିଡ଼ିଆ ? କେମିତି ଅନନ୍ୟ ସେମାନଙ୍କ ଜୀବନ ଏବଂ ଜୀବିକା ? କଣ ସେମାନଙ୍କ ରୀତି, ନୀତି ଓ ସଂସ୍କୃତି ? ସାଧାରଣ ଲୋକଙ୍କଠାରୁ କେମିତି ସେମାନେ ଭିନ୍ନ ଓ ଅଲଗା ? ଆସନ୍ତୁ ଜାଣିବା ।
ମାଙ୍କିଡ଼ିଆ: ଜଙ୍ଗଲ ହିଁ ଜୀବନ
ଓଡିଶାରେ ଦେଖାଯାଆନ୍ତି ମୋଟ 13 ପ୍ରକାର ଆଦିମ ଜନଜାତି । ସେଥିରୁ ମାଙ୍କିଡ଼ିଆ ଜନଜାତି ହେଉଛି ସବୁଠୁ ସ୍ବତନ୍ତ୍ର, ଭିନ୍ନ ଓ ଅନନ୍ୟ । ଏହି ଜନଜାତି ମୁଖ୍ୟତଃ ବଣ ଜଙ୍ଗଲ ପରିବେଶକୁ ପସନ୍ଦ କରନ୍ତି । ଏମାନେ ଜଙ୍ଗଲରୁ ମାଙ୍କଡ଼ ଶିକାର କରନ୍ତି । ଶିଆଳି ପଟରୁ ରଶି ତିଆରି କରି ଗାଁ ଗାଁ ବୁଲି ବିକ୍ରି କରନ୍ତି । ଆଉ ସେଥିରୁ ଯାହା ରୋଜଗାର ହୁଏ ପରିବାର ପ୍ରତିପୋଷଣ କରନ୍ତି । ଓଡ଼ିଶାରେ ଏହି ଜନଜାତିର ମୂଳ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ମାଙ୍କିଡ଼ିଆ ବସା ବହୁଳ ଭାବେ ଦେଖାଯାଉଥିବା ବେଳେ, ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯାଇଥିଲେ ।
ଦେବଗଡ଼ରେ ମାଙ୍କିଡ଼ିଆ ବସା:
ଦେବଗଡ଼ରେ ମାଙ୍କିଡ଼ିଆ ଜନଜାତିର ଇତିହାସ ୩ ଦଶନ୍ଧି ପୁରୁଣା । ଜିଲ୍ଲାର ତିଳେଇବଣି ବ୍ଲକରେ ରହିଛି ତିନିଟି ମାଙ୍କିଡ଼ିଆ ବସ୍ତି । କେନ୍ଦୁଛପଲରେ 60 ପରିବାର ରହୁଥିବା ବେଳେ, କୁରଡ଼ ଶାନ୍ତି ନଗରରେ 40 ପରିବାର ଏବଂ କଳାମାଟି ମାଙ୍କିଡ଼ିଆ ବସାରେ ବାସ କରନ୍ତି 100 ପରିବାର । ଏହି ତିନିଟି ଗାଁରେ ରୁହନ୍ତି ମୋଟ 200 ପରିବାର । ଦୀର୍ଘ 30 ବର୍ଷ ହେଲା ଏଠାରେ ଅବସ୍ଥାନ କରି ଆସୁଛନ୍ତି ମାଙ୍କିଡ଼ିଆ ଜନଜାତି । ଜିଲ୍ଲା ମୁଖ୍ୟାଳୟଠାରୁ କେନ୍ଦୁଛପଲ ମାଂକଡ଼ିଆ ବସ୍ତିର ଦୂରତା 16 କିଲୋମିଟର । ସେହିପରି କୁରଡ଼ ଶାନ୍ତି ନଗରର ଦୂରତା ମାତ୍ର 4 କିଲୋମିଟର ଓ କଳାମାଟି ମାଙ୍କଡିଆ ବସାର ଦୂରତା ମାତ୍ର 6 କିଲୋମିଟର ।
ଜଙ୍ଗଲ ଏବେ ଜୀବିକା ପାଇଁ ଚ୍ୟାଲେଞ୍ଜ !
ସାଧାରଣତଃ ବଣ ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରନ୍ତି ମାଙ୍କିଡ଼ିଆ ଜନଜାତି । ମାତ୍ର ଜଙ୍ଗଲରୁ ପଟ ସଂଗ୍ରହ ଉପରେ ବନବିଭାଗ କଟକଣା ଲଗାଇବା ପରେ, ଜୀବିକା ଉପରେ ହୋଇଛି ବଡ଼ ପ୍ରହାର । ଏବେ ପ୍ଲାଷ୍ଟିକ ବ୍ୟାଗରୁ ରଶି ତିଆରି କରିବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ । ମାଙ୍କିଡ଼ିଆମାନେ କ୍ରମଶଃ ପାରମ୍ପରିକ ଜୀବିକା ହରାଉଥିବା ବେଳେ, ମୂଲ ମଜୁରୀ ଲାଗି ପରିବାର ଚଳାଉଛନ୍ତି ।
ମାଙ୍କିଡ଼ିଆଙ୍କ ଦୟନୀୟ ସ୍ଥିତି
କେନ୍ଦୁଛପଲରେ ବାସ କରନ୍ତି ୬୦ ମାଙ୍କିଡ଼ିଆ ପରିବାରର ଶହେରୁ ଅଧିକ ଲୋକ । ହେଲେ ଦୟନୀୟ ସ୍ଥିତିରେ କଟୁଛି ସେମାନଙ୍କ ଜୀବନ । ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଭଲ ବାସଗୃହ । କିଏ ଝାଟିମାଟି କୁଡ଼ିଆରେ ରହୁଛି ତ, ଆଉ କାହାର ଜୀବନ ବିତୁଛି ପଲିଥିନ ତଳେ । ଖରା, ବର୍ଷା, ଶୀତ ଓ କାକରରେ ରୁନ୍ଧି ହେଉଛି ଏହି ବିରଳ ଜନଜାତି । ବର୍ଷାରୁତୁରେ ସ୍ଥିତି ସଙ୍ଗୀନ । ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ସ୍କୁଲ ବାରଣ୍ଡାରେ ପିଲାଛୁଆଙ୍କୁ ନେଇ ପଡ଼ି ରହୁଛନ୍ତି । ମାଙ୍କିଡ଼ିଆ ବସ୍ତିର ଅଧିକାଂଶ ବାସ, ଜରାଜୀର୍ଣ୍ଣ ଏବଂ ବିପଦ ଶଂକୁଳ ଅବସ୍ଥାରେ ରହିଛି ।
ନାହିଁ ନାହିଁରେ ଜୀବନ:
ଜୀବନ ଜୀଇଁବା ପାଇଁ ଅହରହ ସଂଘର୍ଷ କରି ଚାଲିଛି ମାଙ୍କିଡ଼ିଆ ଜନଜାତି । ଘର ନାହିଁ, ରୋଜଗାର ବି ମିଳୁନି । ସବୁଠୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳ । ଟ୍ୟୁବୱେଲ ଅଛି, ହେଲେ ବାହାରୁନି ପାଣି । ଦୁଇଟି ନଳକୂପ ଅଚଳ ହୋଇ ପଡ଼ିରହିଛି । କିଛିବର୍ଷ ପୂର୍ବରୁ ନିର୍ମିତ ସୋଲାର ଜଳଯୋଗାଣ ପ୍ରକଳ୍ପ, ମରାମତି ଅଭାବରୁ ପାନୀୟ ଜଳ ଯୋଗାଇବାରେ ଅସମର୍ଥ । ରାସ୍ତା କଥା ନ କହିବା ଭଲ । କାଦୁଅ ପଚ ପଚ ପାଦଚଲା ମାଟି ରାସ୍ତା ଅତିକ୍ରମ କରି ଯିବାକୁ ପଡୁଛି । ମାଙ୍କିଡ଼ିଆ ବସ୍ତିକୁ ନିତି ଦିନିଆ ରାସ୍ତାଟିଏ ମଧ୍ୟ ନାହିଁ । ମାଙ୍କିଡ଼ିଆ ଜନଜାତିର ଆରତି ମୁଣ୍ଡା କୁହନ୍ତି, "ଆମକୁ କୌଣସି ସରକାରୀ ସୁବିଧା ମିଳୁନାହିଁ । ନଳକୂପ ଅଛି, ପାଣି ବାହାରୁନାହିଁ । ସୋଲାର ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା, ମାତ୍ର ପାଣି ବାହାରୁନାହିଁ । ଅଧାଗଢ଼ା ଅବସ୍ଥାରେ ପଡ଼ିଛି ପକ୍କା ଘର ।" ଜୁଲି କିଷାନଙ୍କ କହିବା କଥା " ବର୍ଷା ଦିନେ ବଞ୍ଚିବା ମୁସ୍କିଲ । ଘର ଛପରରୁ ପାଣି ଗଳୁଛି । ପଲିଥିନ ତଳେ ବଞ୍ଚିବା ଛଡା଼ ଅନ୍ୟ ଉପାୟ ନାହିଁ । ଠିକାଦାର, ଘର କାମ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଟଙ୍କା ନେଇ ଚମ୍ପଟ ମାରିଲା । ଆମ ପାଖରେ ଏତେ ଟଙ୍କା ନାହିଁ ଯେ, ଆମେ ତିଆରି କରିପାରିବୁ ।" ଅନ୍ୟ ଜଣେ ମାଙ୍କିଡ଼ିଆ ପବିତ୍ର ମୁଣ୍ଡା ଅଭିଯୋଗ କରିଛନ୍ତି, "ବସ୍ତିରେ ଘର ଏବଂ ପାନୀୟ ଜଳ ସମସ୍ୟା ରହିଛି । ବନ ବିଭାଗ ଜଙ୍ଗଲକୁ ଛାଡ଼ୁ ନଥିବାରୁ, ଜୀବିକା ଏକ ପ୍ରକାର ଠପ୍ ହୋଇଯାଇଛି । ବର୍ଷାଋତୁରେ କିଛି ଚାଷ କାମ ପାଇଁ ମଜୁରୀ ଖଟିବାକୁ ଯାଉଛୁ । ମାତ୍ର ତାହା ବି ଯଥେଷ୍ଟ ନୁହେଁ । "
ଅଧପନ୍ତରିଆ ଇନ୍ଦିରା ଆବାସ
20 ବର୍ଷ ତଳେ କିଛି ମାଙ୍କିଡ଼ିଆ ପରିବାରକୁ ମିଳିଥିଲା ଇନ୍ଦିରା ଆବାସ । ମାତ୍ର ମାଙ୍କିଡ଼ିଆଙ୍କ ସରଳତାର ସୁଯୋଗ ନେଇ ଅଧାଗଢ଼ା ଭାବେ ଛାଡ଼ି ଟଙ୍କା ଖାଇ ପଳାଇଲା ଠିକାଦାର । ସେବେଠୁ ଏମାନଙ୍କ ପାଇଁ ସରକାରୀ ଆବାସ ସ୍ୱପ୍ନ ପାଲଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଗୁରୁବାଙ୍କୁ ମିଳୁଛି ପକ୍କା ଘର । ସେହି ଆଶାରେ ପ୍ରଶାସନ ନିକଟରେ କାକୁତି ମିନତି କରି ଆସୁଛନ୍ତି ମାଙ୍କିଡ଼ିଆ ଜନଜାତି । ତିଲେଇବଣି ବିଡିଓ ରଘୁନାଥ ପାଣିଗ୍ରାହୀ କହିଛନ୍ତି, "ଜମି ପଟ୍ଟା ଆବଶ୍ୟକ । ଫରେଷ୍ଟ ଆକ୍ଟ ଅନୁସାରେ ପଟ୍ଟା ବ୍ୟବସ୍ଥା କରାଯାଇ, ପ୍ରାଥମିକତା ଭିତ୍ତିରେ ନୂଆ ଲିଷ୍ଟରେ ମାଙ୍କିଡ଼ିଆ ପରିବାର ଗୁଡ଼ିକୁ ସରକାରୀ ଆବାସ ପ୍ରଦାନ ବ୍ୟବସ୍ଥା କରାଯିବ । ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ (RWSS)ଜରିଆରେ ଟ୍ୟୁବୱେଲ୍ ( ନଳକୂପ) ବ୍ୟବସ୍ଥା ମଧ୍ୟ କରାଯିବ ।"
ଦେବଗଡ଼ରେ ମାଙ୍କିଡ଼ିଆ ଜନଜାତି ସ୍ଥିତି
ମାଙ୍କିଡ଼ିଆ ଜନଜାତି ମୁଖ୍ୟତଃ ବନ୍ୟଜନ୍ତୁ ଶିକାର, ମଧୁ (ମହୁ) ସଂଗ୍ରହ ଓ ଶିଆଳି ଗଛରୁ ପଟ ସଂଗ୍ରହ କରି ରଶି (rope) ତିଆରି କରି ଏହାକୁ ବିକ୍ରି କରି ଜୀବିକା ନିର୍ବାହ କରନ୍ତି । ମାତ୍ର ଜଙ୍ଗଲ ସମ୍ପଦ ଅବକ୍ଷୟ ସାଙ୍ଗକୁ ବନବିଭାଗର କଟକଣା ଯୋଗୁଁ ଏହି ସମ୍ପ୍ରଦାୟ ସେମାନଙ୍କ କୌଳିକ ବୃତ୍ତି ହରାଇ ଜୀବନ ଜୀବିକା ସହ ସଂଗର୍ଷ କରୁଛନ୍ତି । ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଏହି ଜନଜାତିର ଅବସ୍ଥା ଏବେ ମଧ୍ୟ ଅତି ଦୁର୍ବଳ ଓ ଦୟନୀୟ । ଶିକ୍ଷା ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ବାସଗୃହ, ପାନୀୟ ଜଳ ଆଦି ବିଭିନ୍ନ ମୌଳିକ ସେବା ଅଭାବରୁ ଏମାନେ ଅନେକ ସମସ୍ୟାରେ ପଡିଥିବା ଦେଖାଯାଇଛି । ମାଙ୍କିଡ଼ିଆ ଜନଜାତି ଉପରେ ଗବେଷଣା କରୁଥିବା ପରିବେଶବିତ କୁମୁଦ ଚନ୍ଦ୍ର ଶତପଥୀଙ୍କ କହିବା କଥା " ଭିତ୍ତିଭୂମି, ଶିକ୍ଷା, ଗମନାଗମନ ସୁବିଧା ଏବଂ ମାଙ୍କିଡ଼ିଆ ମହିଳାଙ୍କୁ ଆତ୍ମନିର୍ଭର କରାଯାଇ ପାରିଲେ, ଏହି ନିଶ୍ଚିନ୍ନ ପ୍ରାୟ ଜନଜାତିର ଉନ୍ନତି ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । " ତାଙ୍କ ମତରେ " ମାଆ ହେଲେ ପାଠୋଇ, ଦେଶ ଯିବ ଆଗେଇ ।"
ନିଶ୍ଚିହ୍ନ ପ୍ରାୟ ମାଙ୍କିଡ଼ିଆ ଜନଜାତି
ମାଙ୍କିଡି଼ଆମାନେ ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାସ କରନ୍ତି । ଏହା ଅନ୍ୟତମ ସମ୍ବେଦନଶୀଳ ଜନଜାତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ମାତ୍ର ଦୁଇ ହଜାର ଦୁଇ ଶହ (୨୨୦୦) । ସେଥିରୁ ଦେବଗଡ଼ର ତିନିଟି ବସ୍ତିରେ ରହୁଥିବା ମାଙ୍କିଡ଼ିଆଙ୍କ ସଂଖ୍ୟା ପାଖାପାଖି ପାଞ୍ଚ ଶହ (୫୦୦) । ସମୟାନୁକ୍ରମେ କମି କମି ଯାଉଛି ମାଙ୍କିଡ଼ିଆଙ୍କ ସଂଖ୍ୟା । ଏହି ବିରଳ ଜନଜାତିର ସୁରକ୍ଷା ଉଭୟ ସରକାର ଏବଂ ସମାଜ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ସେତିକି ବଡ଼ ଆହ୍ବାନ ଏବଂ ଚ୍ୟାଲେଞ୍ଜ । ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟଠାରୁ ବାସଗୃହ, ପାନୀୟଜଳ, ଯୋଗାଯୋଗ, ଖାଦ୍ୟ ସୁରକ୍ଷା ଏବଂ ଭତ୍ତା ପ୍ରଦାନ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଜରୁରୀ । ନଚେତ 'ମାଙ୍କିଡ଼ିଆ' ଜନଜାତି ଯେ, କେବେ ଲୁପ୍ତ ହୋଇଯିବ, ଅତୀତ ଓ ଇତିହାସ ପାଲଟିଯିବ, ଏକଥାକୁ ଅସ୍ବୀକାର କରାଯାଇ ନପାରେ । ...
ଏହାମଧ୍ୟ ପଢ଼ନ୍ତୁ: ବଣ୍ଡା ଘାଟିରେ ଜଳକଷ୍ଟ: ମିଳୁନି ପିଇବା ପାଣି, ଚୁଆ ଏକମାତ୍ର ଭରସା
ଏହାମଧ୍ୟ ପଢ଼ନ୍ତୁ: ଚାକିରି ପାଇଲେ ମାଙ୍କଡିଆ ଜନଜାତି ଯୁବକ, ଜିଲ୍ଲାପାଳ ଦେଲେ ଚୁକ୍ତି ଭିତ୍ତିକ ନିଯୁକ୍ତି
ଇଟିଭି ଭାରତ, ଦେବଗଡ଼