ଭୁବନେଶ୍ବର: ‘ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇଛି ।’ ଆଜି ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭରେ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ସୁଭଦ୍ରାରୁ ମୁଦ୍ରା ଅବସରରେ ସେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ- ୨୦୨୫' ଅବସରରେ ମାତୃଶକ୍ତିଙ୍କ ନିମନ୍ତେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ 'ସୁଭଦ୍ରାରୁ ମୁଦ୍ରା' ଅଧିବେଶନରେ ଯୋଗଦେଲି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସୁଭଦ୍ରା ହିତାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
— Mohan Charan Majhi (@MohanMOdisha) January 29, 2025
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ମାର୍ଗଦର୍ଶନରେ… pic.twitter.com/b8Y42ncGm9
ଓଡ଼ିଶା ହେଉଛି ସୁଯୋଗର ଭୂମି:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ 1 କୋଟି 7 ଲକ୍ଷ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି 80 ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କିସ୍ତି ପ୍ରଦାନ କରାଯାଇଛି । ଓଡ଼ିଶା ହେଉଛି ସୁଯୋଗର ଭୂମି । ଆଜି ଆମେ ଓଡ଼ିଶାକୁ ମା'ଙ୍କ ପାଇଁ ଏକ ସୁଯୋଗର ଭୂମି କରିବା ପାଇଁ ଏହି ଯୁଗାନ୍ତକାରୀ ଉଦ୍ୟମ ଆରମ୍ଭ କରିଛୁ । ସୁଭଦ୍ରା ଯୋଜନାରେ ଦିଆଯାଉଥିବା ସହାୟତାକୁ ବିନିଯୋଗ କରି ମା’ ମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବା ପାଇଁ ସେ ମା'ଙ୍କୁ ଆହ୍ବାନ ଦେଇଛନ୍ତି ।
ମହିଳାଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟ ଶିଖାଇବା ପାଇଁ ଉଦ୍ୟମ ଆରମ୍ଭ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଜିର ବ୍ୟବସାୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ମା'ଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟ କରିବାର କୌଶଳ ଶିଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଏଥିପାଇଁ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଆଇଆଇଏମ ସମ୍ବଲପୁର ସହଯୋଗର ହାତ ବଢାଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏହି ଉଦ୍ୟମରେ ଯୋଡି ହେବେ । ଆମ ଓଡ଼ିଶାର ମା’ ମାନେ ଦକ୍ଷ ହେବେ । ବ୍ୟବସାୟ କରିବେ । ମାର୍କେଟିଂ କରିବାର କୌଶଳ ମଧ୍ୟ ଶିଖିବେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନା ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ବ ନାରୀଙ୍କ ଜୀବନକୁ ପ୍ରଭାବିତ କରି ଲିଙ୍ଗ ଭିତ୍ତିକ ସମାନତା ଓ ସଶକ୍ତ ଓଡ଼ିଶା ନିର୍ମାଣରେ ସହାୟକ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କ ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତା, ଉଦ୍ୟମିତାରେ ଉନ୍ନତି ଓ ନେତୃତ୍ୱ ନେବାର ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ରାଜ୍ୟର ବୃହତ ମହିଳାକେନ୍ଦ୍ରିତ ଯୋଜନା ହେଉଛି ସୁଭଦ୍ରା । ଅବହେଳିତ ତଥା ଜନଜାତି ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସୁଭଦ୍ରା ବହୁମାତ୍ରାରେ ସଫଳ ହୋଇପାରିଛି । ସୁଭଦ୍ରା ଏବଂ ଉତ୍କର୍ଷ ଓଡ଼ିଶାର ସମ୍ମିଶ୍ରଣ ମହିଳା ସଶକ୍ତିକରଣ ଏବଂ ସୁଯୋଗକୁ ଏକାଠି କରିପାରିଛି ।
2ଟି ଚୁକ୍ତି ସ୍ବାକ୍ଷରିତ:
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ମହିଳାଙ୍କୁ ବିଭିନ୍ନ କ୍ଷେତ୍ର ନିମନ୍ତେ ତାଲିମ ପ୍ରଦାନ କରିବା ନିମନ୍ତେ ଆଇଆଇଏମ ସମ୍ବଲପୁର ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ସହ ଦୁଇଟି ବୁଝାମଣା ପତ୍ର ବିଭାଗ ସହ ବିନିମୟ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, "ସମସ୍ତ ମହିଳାଙ୍କୁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସାମିଲ କରାଯିବ । ସୁଭଦ୍ରାକୁ ମହିଳା ସଶକ୍ତିକରଣର ପ୍ରତୀକ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ମନିଷା ବାନାର୍ଜୀ, ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ସୁବିଧା ଏବଂ ମହିଳା ଉଦ୍ୟୋଗୀଙ୍କ ପାଇଁ ବଜାର ସଂଯୋଗ ସୃଷ୍ଟି ଶୀର୍ଷକ ଦୁଇଟି ଆଲୋଚନା ଚକ୍ର ଆୟୋଜିତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉଭୟ ଆଲୋଚନା ଚକ୍ରକୁ ପରିଚାଳନା କରିଛନ୍ତି । ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ସୁରେନ୍ଦ୍ର ରଣା, ଭିସାର ବରିଷ୍ଠ ନିର୍ଦ୍ଦେଶକ କବିତା ମୁରଲି, ଅଭନ୍ତି ଫାଇନାନ୍ସର ସହପ୍ରତିଷ୍ଠାତା ସୁନୀଲ କୁମାର ତଡେପାଲି, ଜୀବଦା ଭେଞ୍ଚର ପ୍ରା. ଲିଃର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଲେବର ନେଟର ଅଧ୍ୟକ୍ଷ ଗାୟତ୍ରୀ ବାସୁଦେବନ, ଉଦୈତି ଫାଉଣ୍ଡେସନର ପ୍ରତିନିଧି କନିକା ସାଙ୍ଗଲ ପ୍ରମୁଖ ଅଂଶଗ୍ରହଣ କରି ଔଦ୍ୟୋଗିକ ବିକାଶ ଯାତ୍ରାରେ ନାରୀମାନଙ୍କ ଭୂମିକା ଓ ସଫଳତା ନେଇ ଆଲୋଚନା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର