ଦେବଗଡ଼: ଜିଲ୍ଲାର ନାଗରିକ କମିଟିର ବୌଦ୍ଧିକ ଆଲୋଚନା ଚକ୍ରରେ ଯୋଗଦେଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉନ୍ନତ ଓ ଅତ୍ୟାଧୁନିକ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ବିକାଶର ପେଣ୍ଠସ୍ଥଳୀ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଗତକାଲି (ଶନିବାର) ଦେବଗଡ଼ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯୋଗଦେଇ ଦେବଗଡ଼ ଜିଲ୍ଲା "ବର୍ତ୍ତମାନ ଓ ଭବିଷ୍ୟତ" ଶୀର୍ଷକ ଆଲୋଚନା ଚକ୍ରରେ ମତ ରଖିବା ସହ ଜିଲ୍ଲାରେ ମୋଦି ସରକାରରେ ହୋଇଥିବା ବିକାଶର କାମ କଥା କହିଛନ୍ତି । ଦେବଗଡରେ ଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି । ଦେବଗଡର ଭବିଷ୍ୟତ ନେଇ ଅନେକ ପରାମର୍ଶ ଦେବା ସହ ନାଗରିକ କମିଟିର ଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି ।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଦେବଗଡ଼ ଜିଲ୍ଲା ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଭୂମିକା ଅତୁଳନୀୟ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଏଠାରେ ସାଧାରଣ କୃଷି ଓ ଉଦ୍ୟାନ କୃଷିକୁ ଗୁରୁତ୍ୱ ଦେବାକୁ ଦେବ । କୃଷି ପ୍ରଧାନ ଅଞ୍ଚଳ ଦେବଗଡରେ ଆଗାମୀ ଦିନରେ ସମଗ୍ର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ସାମଗ୍ରୀ ଉତ୍ପାଦନ କରିବା ପାଇଁ ହେବ । ଚାଷୀଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ନୂଆ ପଦ୍ଧତିରେ ଚାଷ କାର୍ଯ୍ୟ ଶିଖାଇବା ପାଇଁ ହେବ । ଏଠାରେ ଯୁବପିଢିଙ୍କୁ ପର୍ବତ ଆହୋରଣର ତାଲିମ ଦେବା ପାଇଁ କଳ୍ପନା କରିବାକୁ ହେବ । ଏହା ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିବ ।
ଏହା ମଧ୍ୟ ପଢ଼ନ୍ତୁ...ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଲୋକାର୍ପିଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ତେବେ ମୋଦି ସରକାର ଦେବଗଡକୁ ଦେଇଥିବା ଅନୁଦାନ ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେବଗଡ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧୮୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୪,୭୮୦ଟି ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ଼ର ପ୍ରାୟ ୨.୬୩ ଲକ୍ଷ ଜଣଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଦେଇ ଖାଦ୍ୟ ସୁନିଶ୍ଚିତ କରାଯାଉଛି । ଦେବଗଡ଼ରେ ଆନୁମାନିକ ୩.୪୦ କୋଟି ଟଙ୍କା ବ୍ୟୟରେ ମୋଟ ୨୧,୨୭୫ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ଦେବଗଡ଼ରେ ସଡକ ଭିତ୍ତିଭୂମି ମଜବୁତ ସହ ରେଳକୁ ଯୋଡିବା ଏବଂ ପାଇପ ଯୋଗେ ଇନ୍ଧନ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଜିର ଆଲୋଚନାରେ ନାଗରିକ କମିଟିର ସଦସ୍ୟମାନେ ଦେବଗଡ଼ ଅଞ୍ଚଳର ବିକାଶ ପାଇଁ ଦେଇଥିବା ପ୍ରତିଟି ପରାମର୍ଶ ଗୁରୁତ୍ୱପୂର୍ଣ୍ଣ କରିବା ସହ ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର ଦିନିକିଆ ଦେବଗଡ଼ ଗସ୍ତରେ ଆସି ବିଭିନ୍ନ ବର୍ଗ ଲୋକଙ୍କୁ ଭେଟି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ସନ୍ଧ୍ୟାରେ ସେ କୁଚିଣ୍ଡା ଅଭିମୁଖେ ଯାଇଥିଲେ ।
ଇଟିଭି ଭାରତ, ବରଗଡ଼