ସମ୍ବଲପୁର: ନିର୍ବାଚନରେ ବିଜୟୀ ହୋଇ ସମ୍ବଲପୁର ସାଂସଦ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହରର ବିଭିନ୍ନ ମନ୍ଦିର ଯାଇ ଦେବ ଦର୍ଶନ କରିଛନ୍ତି । ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଅନ୍ୟତମ ଅଷ୍ଟଶମ୍ଭୁ ଭାବରେ ପରିଚିତ ମାନେଶ୍ବରସ୍ଥିତ ମାନଧାତା ବାବା ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଏଥିସହ ମାନଧାତା ମନ୍ଦିର କମିଟି ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହରର ବୃକ୍ସହିଲସ୍ଥିତ ଶ୍ରୀରାମ ମନ୍ଦିର, ବୀର ହନୁମାନ ମନ୍ଦିର, ନନ୍ଦପଡାର ବରାଡ଼ ବାଲୁଙ୍କେଶ୍ବର ବାବା ମହାଦେବ ମନ୍ଦିର, ଝାଡୁଆପଡ଼ାର ବ୍ରହ୍ମପୁରା ଶ୍ରୀଜଗନ୍ନାଥ ମନ୍ଦିର, ମନ୍ଦଳିଆର ଶ୍ରୀ ଶ୍ୟାମ ମନ୍ଦିର ଓ ଦାନିପାଲିର ମାଁ ରାମଚଣ୍ଡୀ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଥିଲେ l
ଏହା ମଧ୍ୟ ପଢନ୍ତୁ .... ଦୁର୍ନୀତି ହଟାଇବା ସହ ଧାନ କିଣା କଟନୀ ଛଟନୀ ଉପରେ ଦେବି ଗୁରୁତ୍ୱ: ଖାଦ୍ୟ ଯୋଗାଣ ମନ୍ତ୍ରୀ - KRUSHNA PATRA VISITS DHENKANAL
ସେ କହିଛନ୍ତି, "ନିଟ୍ ପରୀକ୍ଷାରେ କେତୋଟି ସ୍ଥାନରେ ଅନିୟମିତତା ହେବାର ସୂଚନା ମିଳିଛି l ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବୈକଳ୍ପିକ ବ୍ୟବସ୍ଥା ମୁତାବକ ୬ଟି କେନ୍ଦ୍ରରେ ୧୫୬୩ ଜଣ ପିଲା ପୁନଃପରୀକ୍ଷା ଦେବେ । ଏବେ ଆଉ ଦୁଇଟି ସ୍ଥାନରୁ ଅବ୍ୟବସ୍ଥା ଖବର ଆସିଛି । ମେଧାବୀ ଛାତ୍ରମାନଙ୍କର କୌଣସି ସ୍ବାର୍ଥକୁ ଆଞ୍ଚ ଆସିବାକୁ ଦିଆଯିବ ନାହିଁ । ନିଟ୍ ପରୀକ୍ଷାକୁ ଅବ୍ୟବସ୍ଥିତ କରିଥିବା ଲୋକ ଯେତେ ଶକ୍ତିଶାଳୀ ହେଇଥିଲେ ବି ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।" ଯଦି ଏଥିରେ ଏନଟିଏର ବଡ଼ ଅଧିକାରୀ ବି ସମ୍ପୃକ୍ତ ଥିବେ, ତାଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ସମ୍ବଲପୁର ଆସିବାର ଅଭିପ୍ରାୟରେ ସେ କହିଛନ୍ତି, "ସମ୍ବଲପୁର ମନ୍ଦିର ମାଳିନୀ ସହର ତଥା ଆଧ୍ୟାତ୍ମିକ ସହର । ନିର୍ବାଚନ ସମୟରେ ବିଭିନ୍ନ ମନ୍ଦିରରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲି । ନିର୍ବାଚନରେ ବିଜୟୀ ହେବା ପରେ ପ୍ରଥମ ଥର ସମ୍ବଲପୁର ଆସି ସବୁ ଦେବାଦେବୀଙ୍କ ନିକଟରେ ନିଜକୁ ସମର୍ପଣ କରିବାକୁ ଆସିଛି । ସମାଜକୁ ପାଖରୁ ଦେଖିବାର ଅବସର ମିଳିଛି ।" ଏହା ମୋର ସୌଭାଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଇଟିଭି ଭାରତ, ସମ୍ବଲପୁର