ମାଲକାନଗିରି: ବିପଦ ଟାଣି ଆଣୁଛି ରିଲ୍ସ ନିଶା । ଆଜିକାଲି ସୋସିଆଲ ମିଡିଆରେ ରିଲ୍ସ କରିବାର କ୍ରେଜ ବଢ଼ିଯାଇଛି । ବିଭିନ୍ନ ସୋସିଆଲ ମିଡିଆରେ ରିଲ୍ସ କରିବାରେ ମାତି ରହୁଛନ୍ତି ଯୁବପିଢ଼ି । ରିଲ୍ସ ମାୟାରେ ବାୟା ହୋଇ ଅକାଳର ଜୀବନ ହାରୁଛନ୍ତି ଯୁବପିଢ଼ୀ । ରିଲ୍ସ କରିବା ଚକରରେ ଅନେକ ନିଜ ଜୀବନକୁ ବିପଦରେ ପାଇଥିବା ଘଟଣା ବହୁବାର ସାମ୍ନାକୁ ଆସିଥିଲେ ସୁଦ୍ଧା ସୁଧୁରୁ ନାହାନ୍ତି ଲୋକେ । ଏବେ ପୁଣିଥରେ ଏହି ରିଲ୍ସ ପାଇଁ ମୃତ୍ୟୁ ମୁହଁରୁ ଅଳ୍ପ ଅଳ୍ପେକେ ବର୍ତ୍ତି ଯାଇଛନ୍ତି ମାଲକାନଗିରି ଜିଲ୍ଲାର ଦୁଇ ଯୁବତୀ ।
ସୂଚନା ଅନୁସାର, ଜିଲ୍ଲାର ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତକୁ ଗତକାଲି କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ପିକନିକ ପାଇଁ ଯାଇଥିଲେ । ତେବେ ସେଠାରେ ସେମାନେ ବୁଲାବୁଲି କରିବା ସହ ସୋସିଆଲ ମିଡିଆରେ ରିଲ୍ସ କରୁଥିଲେ । ଆଉ ଏହାରି ଭିତରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ ଖସି ଯାଇଥିଲା । ଫଳରେ ଦୁଇ ଯୁବତୀ ପାଣି ଭିତରକୁ ଖସି ପଡିଥିଲେ । ଜଳପ୍ରପାତରେ ପାଣିର ପ୍ରଖର ସ୍ରୋତ ଅଧିକ ଥିବାରୁ ସେମାନେ ଆଉ ବାହାରକୁ ବାହାରି ପାରିନଥିଲେ । ପାଣିରୁ ବାହାରି ନପାରି ଚିତ୍କାର କରିଥିଲେ । ସେପଟେ ପରିବାର ଲୋକ ମଧ୍ୟ ଭୟଭୀତ ଓ ଅସହାୟ ହୋଇ ପଡିଥିଲେ । ଆଉ ଏହା ଦେଖି ସେମାନଙ୍କ ସହ ଯାଇଥିବା ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଓ ଦୀପକ ପାଣି ଭିତରକୁ ଡେଇଁ ନିଜ ଜୀବନକୁ ବାଜିରେ ଲଗାଇ ଯୁବତୀମାନଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....ଟ୍ରାଫିକ ନିୟମକୁ ଫୁ କରି ରିଲ୍ସ କରୁଥିଲେ ଯୁବକ, ଭିଡିଓ ଭାଇରାଲ ପରେ ଗଣିଲେ ତଣ୍ଡ
ଏହା ମଧ୍ୟ ପଢ଼ନ୍ତୁ......ରିଲ୍ସ କରିବାକୁ ଆସି ପାଣିରେ ବୁଡି ଯୁବକ ମୃତ
ଦୁଇ ଜଣ ଡ୍ରାଇଭର ପାଣିକୁ ଡେଇଁ ଏହି ୨ ଯୁବତୀଙ୍କୁ ପାଣି ଭିତରୁ ଟାଣି ଆଣି ସେମାନଙ୍କ ଜୀବନ ବଞ୍ଚାଇଥିଲେ । ତେବେ ଗୁମ୍ମାଝରଣ ଜଳପ୍ରପାତର ସୌନ୍ଦର୍ଯ୍ୟତା କାରଣରୁ ଏଠାକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଏଠି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେପଟେ ଏହି ରିଲ୍ସ ନିଶାରେ ସୋସିଆଲ ମିଡିଆରେ ସାମାନ୍ୟ ଲାଇକ, କମେଣ୍ଟ ପାଇଁ ଆଜିର ଯୁବପିଢ଼ୀ ନିଜ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ବାରମ୍ବାର ଏହି ରିଲ୍ସ କରିବା ନିଶା ବିପଦ ସୃଷ୍ଟି କରୁଥିବା ବେଳେ ଚେତୁ ନାହାନ୍ତି ଯୁବପିଢ଼ି ।
ଇଟିଭି ଭାରତ, ମାଲକାନଗିରି