ଭବାନୀପାଟଣା: ପୋଲିସକୁ ଚକମା ଦେଇ ଜେଲରୁ ଚମ୍ପଟ ମାରିଲେ କଏଦୀ । ଆଜି (ରବିବାର) କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ ଜଣ ବିଚାରଧୀନ କଏଦୀ ଫେରାର୍ ହୋଇଯାଇଛନ୍ତି । ଜେଲ୍ ପାଚେରୀ ଡେଇଁ ଦୁହେଁ କୁଆଡେ ଛୁ' ମାରିଛନ୍ତି । ଏହି କଏଦୀମାନେ ହେଲେ ସିକନ୍ଦର ଜାଲ ଏବଂ ନୀଳମଣି ବିଭାର । ଉଭୟ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରଧୀନ କଏଦୀ ଭାବେ ଜେଲରେ ଥିଲେ । ଆଜି ସକାଳେ ବଗିଚାରେ କାମ କରିବାକୁ ଯାଇଥିବା ବେଳେ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ପୋଲିସକୁ ଚକମା ଦେଇ ଦୁହେଁ ଫେରାର୍ ମାରିଛନ୍ତି । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏହା ଘଟିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦୁଇ କଏଦୀ ଭିନ୍ନ ଭିନ୍ନ ପୋକ୍ସୋ କେସରେ ଗିରଫ ହୋଇ ଜଣେ ଫେବୃଆରୀରେ ଆଉ ଜଣେ ମାର୍ଚ୍ଚରେ ଭବାନୀପାଟଣା ସହରରେ ଥିବା ଜିଲ୍ଲା ମୁଖ୍ୟ କାରାଗାରକୁ ଆସିଥିଲେ । ଆଜି ସକାଳୁ ଦୁହେଁ ଜେଲ୍ ସାମ୍ନାରେ ଥିବା ବଗିଚାରେ କାମ କରିବାକୁ ଯାଇଥିଲେ । ତେବେ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଉଭୟ ପୋଲିସ ଆଖିରେ ଧୂଳି ଦେଇ ଜେଲ ପାଚେରୀ ଡେଇଁ ଫେରାର୍ ମାରିବାରେ ସକ୍ଷମ ହୋଇଥିଲେ । ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଉଭୟ କଏଦୀଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିବା ପୋଲିସ ସୂଚନା ଦେଇଥିବା ବେଳେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ: ଟିଟିଲାଗଡ଼ ଉପକାରାଗାରରୁ 2 କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ
ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ବଲାଙ୍ଗୀର ଟିଟିଲାଗଡ ଉପକାରଗାରାରୁ ଦୁଇ ବିଚାରଧୀନ କଏଦୀ ଫେରାର୍ ହୋଇଯାଇଥିଲେ । ଦୁହେଁ ହତ୍ୟା ଅଭିଯୋଗରେ ଜେଲରେ ଥିଲେ । ଜଣେ ଶିଶୁ ନରବଳୀ ଘଟଣାରେ ଗିରଫ ହୋଇଥିବା ବେଳେ ଆଉ ଜଣେ କେସିଙ୍ଗା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ମାମଲରେ ଗିରଫ ହୋଇଥିଲା । ଉଭୟ ଜେଲର ବାଡ ଡେଇଁ ଫେରାର୍ ହୋଇଯାଇଥିଲେ । ପରେ ଜଣଙ୍କୁ ଦିଲ୍ଲୀରୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଧରାପଡିନି ।
ଇଟିଭି ଭାରତ, କଳାହାଣ୍ଡି