ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବୁଲେଟ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାଥାନା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାର ଧନାପନା ଛକରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକ ୨ଜଣ ହେଲେ ଖୁଣ୍ଟା ଥାନା ଅଞ୍ଚଳର ଅଭିଜିତ ବେହେରା ଓ କହ୍ନେଇବନ୍ଧ ଗ୍ରାମର ରମାକାନ୍ତ ହେମ୍ବ୍ରମ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଉଦଳାରୁ ପିଲାକୁ ଛାଡି ନିଜ ବୁଲେଟରେ କହ୍ନେଇବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ବ୍ରମ ଫେରୁଥିଲେ । ସେହି ସମୟରେ ବିପରୀତ ଦିଗରୁ ବୁଲେଟରେ ଖୁଣ୍ଟା ଅଂଚଳର ଅଭିଜିତ ବେହେରା ଏବଂ ଜଗନ୍ନାଥ ଦେହୁରୀ ଆସୁଥିଲେ । ଉଭୟ ବାଇକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ଅଭିଜିତ ବେହେରା ଏବଂ ରମାକାନ୍ତ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ହୋଇଛି । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଖୁଣ୍ଟା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ - ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଲିଭିଗଲା ତିନି ଜୀବନ ଦୀପ
ଏହା ମଧ୍ୟ ପଢନ୍ତୁ - ବାଇକକୁ ଧକ୍କା ଦେଲା ଅପେରା ପାର୍ଟି ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ-ଝିଆରୀ ଗୁରୁତର
ସେପଟେ ବୁଲେଟ ଦୁଇଟିକୁ ଜବତ କରି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଇଛି । ଆଜି ଉଭୟଙ୍କ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଉଭୟ ମୃତକଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନକୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ପ୍ରଶାସନ ଯେତେ ସଚେତନ କରିଲେ ମଧ୍ୟ ସଡ଼କ ଦୁର୍ଘଟଣାରେ ବ୍ରେକ ଲାଗିବାରେ ନାଁ ନେଉନାହିଁ । ସେହିପରି ଗତ ୩ ଦିନ ତଳେ ଜିଲ୍ଲାର ବାରିପଦା-ଉଦଳା ରାସ୍ତା ବାଲିଜୁଡ଼ା ଛକ ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଅହାତଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିବା ସହ ବଡ଼ସାହି ଥାନା ପୋଲିସକୁ ଖବର ଦେଇଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର