ରାଉରକେଲା: ସହରରେ କେବେ କାର୍ଯ୍ୟକ୍ଷମ ହେବ ଟ୍ରାଫିକ ସଗନାଲ ସହ ସିସିଟିଭି କ୍ୟାମେରା । ଲାଗିବାର ଦେଢ଼ ବର୍ଷ ବିତିବା ପରେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ସିସିଟିଭି ଏବଂ ଟ୍ରାଫିକ ସିଗନାଲ । ଲୋକଙ୍କ ପାଇଁ ହୋଇଥିବା ପ୍ରକଳ୍ପ ବର୍ତ୍ତମାନ ବନ୍ଦ ହୋଇ ପଡିଛି । କାର୍ଯ୍ୟରେ ଆସୁନି ଟ୍ରାଫିକ ସିଗନାଲ ଏବଂ ସିସିଟିଭି କ୍ୟାମେରା । ବର୍ତ୍ତମାନ କୋଟି କୋଟି ଟଙ୍କାର ପ୍ରକଳ୍ପ ଖାଉଛି ଖତ । 2023ରେ ହକି ବିଶ୍ବକପ୍ ପୂର୍ବରୁ ସହରରେ ସିସି କ୍ୟାମେରା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ କାମ ସାରିବାକୁ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା । ତେଣୁ କରି ତରବରିଆ ଭାବେ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସହରର ପ୍ରମୁଖ ଛକରେ ଲଗାଯାଇଥିଲା ।
ହକି ବିଶ୍ୱକପ ମ୍ୟାଚ୍ ସମୟରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେଲା । ମାତ୍ର ଦୁଇରୁ ତିନି ଦିନ ଏହି ଟ୍ରାଫିକ ସିଗନାଲ ଏବଂ ସିସିଟିଭି ସହରର ପ୍ରମୁଖ ଛକ ହନୁମାନ ବାଟିକା, ପାନପୋଷ ହକି ଛକ, ଗାନ୍ଧିଛକ, ଛେଣ୍ଡ ଛକ, ରାଉରକେଲା ଏୟାରପୋର୍ଟ ଛକ ଭଳି ୧୦ଟି ଛକରେ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଜଳିଲା । ହକି ମ୍ୟାଚ୍ ସରିବା ପରେ ପ୍ରମୁଖ ଛକରେ ଜଳୁଥିବା ଏସବୁ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଲିଭିଗଲା । ଆଜିକୁ ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ଛକରେ ଟ୍ରାଫିକ୍ ସିଗ୍ନାଲ୍ ଲାଇଟ୍ ଜଳୁନି କି ସିସିଟିଭି କ୍ୟାମେରା ମଧ୍ୟ କାର୍ଯ୍ୟ କରୁନାହିଁ ।
ସୂଚନାଯୋଗ୍ୟ ଯେ ରାଉରକେଲା ୱାନ୍ ଅଫିସରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର( ଆଇସିସିସି) କାର୍ଯ୍ୟକ୍ଷମ ନ ହୋଇଛି ସେ ପର୍ଯ୍ୟନ୍ତ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସ୍ବୟଂ ଚାଳିତ ହେବ ନାହିଁ ବୋଲି ଜଣାପଡ଼ିଛି । ଠିକା ସଂସ୍ଥା ଏବଂ ରାଉରକେଲା ପ୍ରଶାସନର ଅବହେଳାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଯେତେବେଳେ ପ୍ରଥମ କରି ସିସିଟିଭି କ୍ୟାମେରା ଏବଂ ଟ୍ରାଫିକ ସିଗନାଲ ଲାଗିଲା ରାଉରକେଲା ସହରବାସୀ ଭାବିଲେ ଯେ ଏଥର ରାଉରକେଲା ସହରରେ ଅମାନିଆ ଗାଡି ଚାଳକ ସାବଡ଼ ହେବେ । ଛକ ଛକରେ ଦୁର୍ଘଟଣା ଘଟୁଛି ତାହା ଦୂର ହେବ ଏବଂ ଟ୍ରାଫିକ ସିଗନାଲ ଯୋଗୁଁ ଲୋକେ ମଧ୍ୟ ସୁରକ୍ଷିତ ଭାବେ ଗାଡି ଚଳାଇବେ ଏବଂ ସିସିଟିଭି କ୍ୟାମେରା ଲାଗିବ ଦ୍ୱାରା ସହରରେ କ୍ରାଇମ ଏବଂ ଅସମାଜିକ କାର୍ଯ୍ୟ ଉପରେ ରୋକ ଲାଗିବ । ହେଲେ ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି ଅଭିଯୋଗ କରିଛନ୍ତି ସହରବାସୀ ।
ସୂଚନାଯୋଗ୍ୟ ଯେ, ପ୍ରଥମ କରି ସହରର ପ୍ରବେଶପଥ ହକିଛକ, ପାନପୋଷ ଗାନ୍ଧିଛକ, ହନୁମାନବାଟିକା ଛକ, ଉଦିତନଗର ଆମ୍ବେଦକର ଛକ, ଏସ୍ଟିଆଇଛକ, ଛେଣ୍ଡ ଛକ, ରାଉରକେଲା ଏୟାରପୋର୍ଟ ଛକ, ବିର୍ସା ମୁଣ୍ଡା ଛକ, ବାସନ୍ତୀକଲୋନି ଡିଏଭି ଛକ ଏମିତି ୧୦ରୁ ଅଧିକ ପ୍ରମୁଖ ଛକରେ ଟ୍ରାଫିକ୍ ସିଗ୍ନାଲ୍ ଲାଇଟ୍ ବ୍ୟବସ୍ଥା ସହ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଉଭୟ ସିସି କ୍ୟାମେରା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ବାବଦରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସେଭଳି ସହରର ୧୧୦ଟି ସ୍ଥାନରେ ଲାଗିଥିବା ସିସିଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍( ଆଇଟିଏମ୍ଏସ୍) ସ୍ଥାପନ କରାଯିବ । ଏଥି ମଧ୍ୟରୁ ବର୍ତ୍ତମାନ ଯାଏ କୌଣସି ସ୍ଥାନରେ ଠିକ ଭାବରେ ଆଇଟିଏମ୍ଏସ୍ କାର୍ଯ୍ୟ ଶେଷ ହୋଥିବାର ସୂଚନା ମଧ୍ୟ ମିଳିନାହିଁ । ପ୍ରଶାସନର ଅବହେଳା ଯୋଗୁଁ ସମୟ ଗଡ଼ିବାରେ ଲାଗିଛି କିନ୍ତୁ ପ୍ରକଳ୍ପର କାର୍ଯ୍ୟକାରୀ ଶୂନ ।
ବର୍ତ୍ତମାନ ଏହି ସିଗନାଲ ସହ ସିସିଟିଭି ଲାଗିବାର ତିନି ମାସ ବିତିବା ପରେ ମଧ୍ୟ ଶେଷ ହୋଇନାହିଁ ଯାହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ବର୍ତ୍ତମାନ ଦେଖିବା ବାକି ରହିଲା ଯେ, କେବେ ଚିରନିଦ୍ରାରୁ ଉଠିବ ରାଉରକେଲା ପ୍ରଶାସନ ଏବଂ ଏହି ସିସିଟିଭି ଏବଂ ସିଗନାଲକୁ କାର୍ଯ୍ୟକ୍ଷମ କରିବ । ଏହି ଘଟଣାରେ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାଗତ,ରାଇରକେଲା