ବୌଦ୍ଧ: ଆଜି ଠାରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୪ ଲୋକସଭା ଆସନ ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ । ସକାଳ ୭ଟାର ମତଦାନ ଆରମ୍ଭ ହୋଇଥିବା ବେଳେ ଲୋକେ ନିଜ ନିଜ ଅଞ୍ଚଳରେ ମତ ସାବ୍ୟସ୍ତ କରୁଛନ୍ତି । ସେହିପରି ଆସନ୍ତା ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଯେଉଁଥିରେ ବୌଦ୍ଧ ନିର୍ବାଚନ ମଣ୍ଢଳୀ ସାମିଲ ଥିବା ବେଳେ କିପରି ସୁରୁଖୁରରେ ନିର୍ବାଚନ ହେବ ସେନେଇ ଜିଲ୍ଲା ପ୍ରଶାସନ ତଥା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ ଭାବରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯିବା ସହ ଉପାନ୍ତ ଅଞ୍ଚଳରେ ସକ୍ରିୟ ରହିଥିବା ମାଓ ଗତିବିଧି ଉପରେ କଡା ନଜର ରଖାଯାଇଛି ।
ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ୮୫ କଣ୍ଟାମାଳ ଓ ୮୬ ବୈଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତ ପୋଲିଂ ବୁଥ ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ସିସିଟିଭି ବ୍ୟବସ୍ଥା ସହିତ ଜିଲ୍ଲାର ସୀମାରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପାଞ୍ଚରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କ ବିରୋଧରେ ଆଚରଣବିଧି ଉଲ୍ଲଙ୍ଘନ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସେପଟେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର କରିବା ସମୟରେ କେତେକ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଣ୍ଟାପଡାର ପୋଆପଦର ଛକରେ ଘଟିଥିବା ସୂଚନା ମିଳିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୁଧାଂଶୁ ଡାଙ୍ଗଙ୍କ ପ୍ରଚାର ଗାଡ଼ି ଉପରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ।
ତେବେ ବର୍ତ୍ତମାନ ସବୁଠାରୁ ଅଧିକ ଚିନ୍ତା ବଢାଇଥିବା କେକେବିଏନ ମାଓ ସଂଗଠନ ଉପରେ ଜିଲ୍ଲା ପୋଲିସ ଅଙ୍କୁଶ ଲଗାଇବାରେ ଏକ ପ୍ରକାର ସକ୍ଷମ ହୋଇ ପାରିଛି । ଗତ କିଛି ମାସ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ମାଓବାଦୀଙ୍କ ଆତ୍ମସମର୍ପଣ ପୋଲିସର ମନୋବଳ ଦୃଢ଼ କରିଛି । ଏହାଛଡା ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ଜିଲ୍ଲା ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ସାଧାରଣ ନାଗରିକ ଭୟ ମୁକ୍ତ ମତଦାନ ପାଇଁ ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି । ତେବେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହ ମତଦାନ କିଭଳି ହେବ ତା ଉପରେ ନଜର ରହିଥିବା କହିଛନ୍ତି ଜିଲ୍ଲା ପୋଲିସ ଏସପି ରାଜ ପ୍ରସାଦ ।
ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ଉପରେ ନିର୍ବାଚନ, ସ୍ବଚ୍ଛ ଅବାଧ ମତଦାନ ପାଇଁ ତୟାର ବୌଦ୍ଧ ପ୍ରଶାସନ
ବୌଦ୍ଧ, ଇଟିଭି ଭାରତ