ରାଉରକେଲା: ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୩ ଜଣ । ଗତକାଲି(ଶନିବାର) ଏହି ଅଘଟଣ ଘଟିଥିଲା । ଜଣେ ଯୁବକଙ୍କ ସହ ଦୁଇ ନାବାଳକ ନଦୀରେ ଭାସି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଆଜି(ରବିବାର) ସକାଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ( ୧୫), ମହମ୍ମଦ ରିଜୱାନ( ୧୭) ଏବଂ ମହମ୍ମଦ ସାହିଦ( ୩୫) ବୋଲି ଜଣାପଡିଛି ।
ସୂଚନା ମୁତାବକ, ଶନିବାର ଦିନ ପରିବାର ସହ ବଣଭୋଜି କରିବାକୁ ଯାଇ ନଦୀରେ ଗାଧୋଉ ଥିବାବେଳେ ଦୁଇ ନାବାଳକଙ୍କ ସହ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ସୁନ୍ଦରଗଡ ସଦର ଥାନା ସେମିନା ନିକଟ ଇବ ନଦୀରେ ଏହି ଅଭାବନୀୟ ଘଟଣା ଘଟିଥିଲା । ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଓ ମେନ୍ ରୋଡ ଅଞ୍ଚଳର ଗୋଟିଏ ପରିବାରର ୩ ସଦସ୍ୟ ଜନ୍ମଦିନରେ ଭୋଜି କରିବା ପାଇଁ ଇବ ନଦୀକୂଳକୁ ଯାଇଥିଲେ । ଖାଇ ସାରି ଦୁଇ ଭାଇ ମହମ୍ମଦ ରିଜୱାନ ଓ ମହମ୍ମଦ ଫାରହାନ ନଦୀକୁ ଗାଧେଇବାକୁ ଯାଇଥିଲେ । ତେବେ ଚୋରା ବାଲିରେ ତାଙ୍କ ଗୋଡ ଫସି ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା
ଏହା ମଧ୍ୟ ପଢନ୍ତୁ- ନାଗାବଳୀ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ
ଦୁଇ ଜଣ ବୁଡି ଯାଉଥିବା ବେଳେ ପାଟିଶୁଣି କାକା ମହମ୍ମଦ ସାହିଦ ସେମାନଙ୍କୁ ବଞ୍ଚାଇବାକୁ ପାଣି ଭିତରକୁ ଯାଇଥିଲେ । କିନ୍ତୁ ସେ ମଧ୍ୟ ଚୋରା ବାଲିରେ ଫସି ଯାଇ ବୁଡି ଯାଇଥିଲେ । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । ବୋଟ୍ ସାହାଯ୍ୟରେ ବୁଡ଼ାଳି ପାଣିରେ ବୁଡ଼ି ଖୋଜୁଥିଲେ ମଧ୍ୟ ସେମାନଙ୍କ କୌଣସି ସନ୍ଧାନ ପାଇ ନଥିଲେ । ରାତିସାରା ଖୋଜାଖୋଜି କରିଥିଲେ ହେଁ ୩ ଜଣଙ୍କ ସନ୍ଧାନ ମିଳି ନଥିବା ବେଳେ ଆଜି ସକାଳୁ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଇଟିଭି ଭାରତ, ରାଉରକେଲା