କୋରାପୁଟ: ଜମିଜମା ବିବାଦକୁ କେନ୍ଦ୍ର କରି ଗଡ଼ିଥିଲା ପୂର୍ବତନ ସରପଞ୍ଚଙ୍କ ମୁଣ୍ଡ । ଦୀର୍ଘ 10 ମାସ ପରେ ହତ୍ୟାକାଣ୍ଡର ହେଲେ ପର୍ଦ୍ଦାଫାସ । ୨୦୨୪ ମସିହା ମାର୍ଚ୍ଚ 14 ତାରିଖରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କୁ ହତ୍ୟା କରାଯାଇଥିଲା । ଗାଁଠାରୁ ପ୍ରାୟ ତିନି କିଲୋମିଟର ଦୂର ଏକ ପାହାଡ଼ର ଗର୍ତ୍ତରୁ ତାଙ୍କ କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଦୀର୍ଘ 10 ମାସ ପରେ ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ନାରାୟଣପାଟଣା ପୋଲିସ ।
ପୂର୍ବତନ ସରପଞ୍ଚ ସିଙ୍ଗୁରୁ ହତ୍ୟାକାଣ୍ଡ:
କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା ଶତପଥୀ କହିଛନ୍ତି," ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ କ୍ରମେ ଗତ ମାର୍ଚ୍ଚ ୧୪ ତାରିଖରେ ସିଙ୍ଗୁରୁ ଜମିକୁ ଚାଷ କରିବାକୁ ଯାଇ ଆଉ ଫେରିନଥିଲେ । ଦିନ ତମାମ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ଜମିଠାରୁ କିଛି ଦୂରରେ ଥିବା ଏକ ଗାତରେ ସିଙ୍ଗୁରୁଙ୍କ ମୃତଦେହ ଠାବ କରାଯାଇଥିଲା । ଏନେଇ ଏକ ହତ୍ୟା ମାମଲା ରୁଜୁ କରିଥିଲା ନାରାୟଣପାଟଣା ପୋଲିସ । ଦୀର୍ଘ ୧୦ ମାସ ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଜମି ବିବାଦକୁ ନେଇ ନିଜର ସମ୍ପର୍କୀୟମାନେ ହିଁ ସିଙ୍ଗୁରୁକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । "
ହତ୍ୟା ପଛରେ ସମ୍ପର୍କୀୟ:
ଅତିରିକ୍ତ ଏସପି ଏହା ମଧ୍ୟ କହିଛନ୍ତି," ଏହି ଘଟଣାରେ ୩ ଜଣ ସମ୍ପର୍କୀୟ ସାମିଲ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତମାନେ ହେଲେ କେତୁ ତାଡିଙ୍ଗି, ମାସୁରୁ ତାଡିଙ୍ଗି ଓ କମିଟି ତାଡିଙ୍ଗି । ସେମାନେ ସିଙ୍ଗୁରୁକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ଵୀକାର କରିଛନ୍ତି । ସେମାନଙ୍କୁ ଗିରଫ ପରେ ସିନରିକ୍ରିଏସନ କରାଯାଇ ଏବଂ କୋର୍ଟ ଚାଲାଣ କରାଯାଇଛି ।"
ଇଟିଭି ଭାରତ, କୋରାପୁଟ