ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ପଞ୍ଚମ ଦିନ । ଏହି ଅବସରରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଚାଲିଛି ବାଲ୍ୟ ଲୀଳା ଖେଳ । ଗୋପପୁରକୁ କଂସ ମହାରାଜଙ୍କ ଦ୍ଵାରା ପଠାଯାଇଥିବା ସମସ୍ତ ରାକ୍ଷସମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ନିହତ କରିଚାଲିଥିବା ବେଳେ ଆଜି ପ୍ରଭୁଙ୍କ ଦ୍ବାରା ଯାମଳାର୍ଜ୍ଜୁନ ଭଞ୍ଜନ ଓ କଳୀୟ ଦଳନ ହୋଇଛି ।
ଗୋପପୁରରେ କୃଷ୍ଣ କେତେବେଳେ ଲହୁଣୀ ଚୋରୀ କରୁଛନ୍ତି ତ ଆଉ କେତେବେଳେ ଗୋପାଳ ବାଳକଙ୍କ ସହ ମଶି ବଣ ଭୋଜିରେ ମାତିଛନ୍ତି । ତେବେ ଏମିତି ଦିନେ ଲହୁଣୀ ଚୋରୀକରି ଖାଉଥିବା ବେଳେ ମାଆ ଯଶୋଦାଙ୍କ ହାତରେ ଧରାପଡ଼ିଛନ୍ତି ଏବଂ ମାଆ ଯଶୋଦା ଦଉଡ଼ିରେ ବାନ୍ଧି ଦେଇଥିବା ବେଳେ ନଟଖଟିଆ କାହ୍ନା ଯାମଳାର୍ଜ୍ଜୁନ ଭଞ୍ଜନ କରି ଶାପଗ୍ରସ୍ତ ଦୁଇଭାଇଙ୍କୁ ଉଦ୍ଧାର କରିଛନ୍ତି । ଏହି ଅବସରରେ ସୃଷ୍ଟି କର୍ତ୍ତା ବ୍ରହ୍ମା, ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି ।
ଅପରପକ୍ଷେ କାଳୀୟ ନାଗର ଦର୍ପଦଳନ ପାଇଁ କାଳିନ୍ଦି ହ୍ରଦକୁ ଡ଼େଇଁପଡ଼ିଥିବା ବେଳେ କାଳିନାଗ ସହ ଯୁଦ୍ଧ କରି ତାର ଗର୍ବ ଚୁର୍ଣ୍ଣ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଏପଟେ ଗୋପୀ ଗୋପାଙ୍ଗନାମାନେ କୃଷ୍ଣଙ୍କ ଠାରୁ ଲୁଚି ଛପି ଯମୁନା ପାର ହୋଇ ମଥୁରାରେ ଦହୀ ବିକ୍ରି କରିବାକୁ ପହଂଚିଛନ୍ତି । ସେପଟେ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ରାଜ୍ୟ ଉପରେ ଆକ୍ରମଣ କରିଥିବା ବେଳେ ମଗଧ ରାଜା ଜରାସନ୍ଧକୁ ପରାସ୍ତ କରିଛନ୍ତି ଏବଂ ତାଙ୍କର ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି । ଠିକ୍ ଏତିକି ବେଳେ କାଳୀୟ ନାଗର ଦର୍ପଦଳନ ଖବର ଆସିଛି ଗୋପପୁରରୁ । ଏଥିରେ ବ୍ୟଥିତ ନହୋଇ କଳେ ବଳେ କୌଶଳେ କେମିତି କୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବେ ସେ ନେଇ ଷଢ଼ଯନ୍ତ୍ର କରିବା ସହ ରଙ୍ଗସଭାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ ।
ଏହା ମଧ୍ୟ ପଢ଼ନ୍ତୁ......ବରଗଡ଼ ଧନୁଯାତ୍ରା: କୃଷ୍ଣଙ୍କ ବାଲ୍ୟ ଲୀଳାରେ ଦୁଲୁକୁଛି ଗୋପପୁର
ତେବେ ଆଜି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ପଞ୍ଚମ ଦିବସ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଷଷ୍ଠ ଦିବସରେ ମଥୁରାରେ ରଙ୍ଗସଭା ଆୟୋଜନ କରି କୃଷ୍ଣ ଓ ବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି ଏବଂ ନାରଦ ମୁନୀଙ୍କ ପ୍ରସ୍ତାବରେ “ଧନୁଯାତ୍ରା ମହୋତ୍ସବ’ର ଘୋଷଣା ହେବାକୁ ଥିବା ବେଳେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ବାରା ଗୋପୀଙ୍କ ବସ୍ତ୍ରାହରଣ ଏବଂ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା ଓ ଯମୁନା ଆଳତି କରାଯିବ ।
ଇଟିଭି ଭାରତ, ବରଗଡ଼