ବରଗଡ: ଜିଲ୍ଲାରେ 5G ଟାୱାର ସ୍ଥାପନ ହେବାର ଗୋଟିଏ ବର୍ଷ ପରେ ସ୍ଥାନୀୟ ପରିବେଶରେ ପରିବର୍ତ୍ତନ ଦେଖାଦେଇଛି । ସମୟ ଥିଲା ସହରରେ ସକାଳର ସୂର୍ଯ୍ୟକିରଣ ସାଙ୍ଗକୁ କୋଇଲିର ସୁମଧୁର କୁହୁ କୁହୁ ରାବ ଓ ଘର ଚଟିଆର କିଚିରି ମିଚିରି ଶଦ୍ଦ ମନମୁଗ୍ଧ କରିଦେଉଥିଲା । ଆଜି କିନ୍ତୁ ନୀରବ ହୋଇପଡିଛି ଆକାଶ । ନିଖୋଜ ହୋଇଯାଇଛନ୍ତି ସେହି ମନମୁଗ୍ଧ କରିଦେଉଥିବା ପକ୍ଷୀମାନେ । ତେବେ ପକ୍ଷୀ ମାନଙ୍କର ଅଦୃଶ୍ୟ ହୋଇଯିବା ଘଟଣା ବରଗଡର ପରିବେଶ ପ୍ରେମୀ ମାନଙ୍କୁ ଚିନ୍ତାରେ ପକାଇଦେଇଛି ।
'ପକ୍ଷୀଙ୍କ ଉପରେ ମୋବାଇଲ ଟାୱାରର ପ୍ରଭାବ'
ବରଗଡର ଇତିହାସକୁ ଦେଖିଲେ ବିଗତ କିଛି ବର୍ଷ ପୂର୍ବରୁ ବରଗଡ ସହରରୁ ସଂପୂର୍ଣ୍ଣ ଭାବେ ଉଭାନ ହୋଇଯାଇଥିଲେ ଘରଚଟିଆ । ଏହା ପରେ ପରେ ଧୀରେ ଧୀରେ କୋଇଲି ଏବଂ କୁମ୍ଭାଟୁଆ ପକ୍ଷୀ ମଧ୍ୟ ଅଦୃଶ୍ୟ ହୋଇଗଲେଣି । ଏପରି ପରିସ୍ଥିତରେ କିଛି ପରିବେଶପ୍ରେମୀ କହିଛନ୍ତି ଯେ, ଘରଚଟିଆ କୀଟପତଙ୍ଗ ଖାଇ ବଞ୍ଚିଥାନ୍ତି ମାତ୍ର ବରଗଡରେ ହେଉଥିବା ଚାଷରେ ମାତ୍ରାଧିକ ସାର ଓ କୀଟନାଶକ ବ୍ୟବହାର କାରଣରୁ ବିଲରେ କୀଟପତଙ୍ଗ ରହିଲେ ନାହିଁ । ଘରଚଟିଆ ଖାଦ୍ୟ ନପାଇ ଖାଦ୍ୟ ଅନ୍ବେଷଣରେ ଅନ୍ୟତ୍ର ଚାଲିଗଲେ । ଆଉ କେତେକ ପରିବେଶବିତ ଅନୁମାନ କରିଛନ୍ତି ଯେ ଆଧୁନିକ ଜୀବନରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇ ଗଢାଯାଉଥିବା ମୋବାଇଲ ଟାୱାରମାନ ମଧ୍ୟ କୋଇଲି ଓ କୁମ୍ଭାଟୁଆ ପରି ପକ୍ଷୀଙ୍କ ଅଦୃଶ୍ୟ ହେବାର ମଧ୍ୟ ଏକ କାରଣ ।

ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ନୂତନ ସ୍ଥାପିତ 5G ଟାୱାର ଦ୍ୱାରା ନିର୍ଗତ ବିକିରଣ ଏବଂ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ କୋଇଲି ପରି ବଡ ଆକାରର ପକ୍ଷୀଙ୍କ ଅଦୃଶ୍ୟ ହେବାରେ ଏକ ପ୍ରମୁଖ କାରଣ । 5G ଟେକ୍ନୋଲୋଜି ଦ୍ଵାରା ଦ୍ରୁତ ଇଣ୍ଟରନେଟ୍ ଗତି ଏବଂ ଉନ୍ନତ ଧରଣର ସଂଯୋଗୀକରଣ ହେଉଥିବା ବେଳେ କିନ୍ତୁ ବନ୍ୟଜନ୍ତୁ ଓ ବିଶେଷକରି ପକ୍ଷୀମାନଙ୍କ ଉପରେ ଏହାର କୁପ୍ରଭାବ ପକାଇଥାଏ । ଯାହା ଏବେ ବରଗଡ଼ରେ ପ୍ରମାଣିତ ହୋଇଥିବା ଜଣାପଡୁଛି ।
'ସହରର ଇକୋସିଷ୍ଟମ ବିପଦରେ'

ଇକୋସିଷ୍ଟମର ସନ୍ତୁଳନ ବଜାୟ ରଖିବାରେ ପକ୍ଷୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସେମାନେ ବିହନ ବିସ୍ତାର, କୀଟନାଶକ ନିୟନ୍ତ୍ରଣ ଏବଂ ପ୍ରଦୂଷଣ ରୋକିବାରେ ସହାୟ ହୋଇଥାନ୍ତି । ପକ୍ଷୀ ମାନଙ୍କର ଜନସଂଖ୍ୟା ହରାଇବା କିମ୍ବା ଅଦୃଶ୍ୟ ହୋଇଯିବା ସ୍ଥାନୀୟ ଅଞ୍ଚଳର ଇକୋସିଷ୍ଟମ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୋକିଦେଇଥାଏ, ଯାହା ପରିବେଶ ପାଇଁ ଅପ୍ରତ୍ୟାଶିତ ପରିଣାମ ସୃଷ୍ଟି କରିଥାଏ । ଘର ଚଟିଆ ପରେ ବର୍ତ୍ତମାନ କୋଇଲି ଓ କୁମ୍ଭାଟୁଆ ମାନଙ୍କର ଅଦୃଶ୍ୟତା କେବଳ ପକ୍ଷୀମାନଙ୍କର କ୍ଷତି ନୁହେଁ ବରଂ ବରଗଡର ଇକୋସିଷ୍ଟମ ବିପଦରେ ଥିବାର ଏକ ସଙ୍କେତ ଅଟେ । ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରହେ, ତେବେ ବରଗଡ ତଥା ଆଖପାଖ ଅନ୍ୟାନ୍ୟ ଅଞ୍ଚଳରେ ଅନେକ ପ୍ରଜାତିର ପକ୍ଷୀ ମାନେ ମଧ୍ୟ ଲୋପ ପାଇଯିବେ ଏବଂ ପର୍ଯ୍ୟାୟ କ୍ରମେ କୀଟନାଶକ ବୃଦ୍ଧି, ଉଦ୍ଭିଦଗୁଡିକର ପ୍ରଦୂଷଣ ହ୍ରାସ କ୍ଷମତା ସହ ସନ୍ତୁଳିତ ପରିବେଶ ଉପରେ ବ୍ୟାପକ ପ୍ରଭାବ ପକାଇପାରେ ।
ଏହା ମଧ୍ୟ ପଢନ୍ତୁ: ଡହଡହ ଖରାରେ ତୃଷ୍ଣାରେ ରହିବନି ପକ୍ଷୀ ! ମନକଥା ବୁଝି ବ୍ୟବସ୍ଥା କରିଛନ୍ତି ଶୁଭ୍ରାଂଶୁ
'ପ୍ରକୃତି ଓ ପରିବେଶକୁ ଗୁରୁତ୍ୱ ଦେବା ଜରୁରୀ'

ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ଉପରେ ଯେପରି ମୋବାଇଲ ଟାୱାର ଦ୍ଵାରା ହେଉଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରାଯାଇପାରିବ ଓ ବୈଷୟିକ ପ୍ରଗତିକୁ ସନ୍ତୁଳିତ କରାଯାଇପାରିବ ସେହି ଦିଗରେ ବିକିରଣ ନିର୍ଗମନ ଉପରେ କଠୋର ନିୟମାବଳୀ ଜରୁରୀ ହେବା ଦରକାର ବୋଲି ମତ ପ୍ରକାଶ ପାଇଛି । ଆଜିର ଆଧୁନିକ ଯୁଗରେ ପ୍ରକୃତି ଓ ପରିବେଶକୁ ଭୁଲି ମଣିଷ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ଵ ଦେଉଥିବାବେଳେ ଆଗାମୀ ଦିନରେ ଏହା ଭୟଙ୍କର ହୋଇପାରେ ବୋଲି ଏହି ପକ୍ଷୀମାନଙ୍କ ଅଦୃଶ୍ୟତା ସୂଚନା ଦେଇଛି ବୋଲି ମତ ରଖିଛନ୍ତି ପରିବେଶବିତ । ଏଣୁ ସମୟ ଥାଉ ଥାଉ ସତର୍କ ହେବାର ଆବଶ୍ୟକ ରହିଛି ।
ଇଟିଭି ଭାରତ, ବରଗଡ଼