ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ବୋଳି ହୋଲି ପାଳନ କରିଥାନ୍ତି ସଭିଏଁ । ତେବେ ସ୍ନେହ ଓ ପ୍ରେମର ଏହି ପର୍ବକୁ ରସାୟନ ନୁହେଁ, ବରଂ ପ୍ରାକୃତିକ ରଙ୍ଗରେ ଖେଳିଛନ୍ତି ରାଜଧାନୀବାସୀ । ସ୍ବପ୍ନା ପତି ଫାଉଣ୍ଡେସନ ପକ୍ଷରୁ ବିଗତ ୧୬ ବର୍ଷ ଧରି ପ୍ରାକୃତିକ ବା ହର୍ବାଲ ରଙ୍ଗରେ ହୋଲି ଉତ୍ସବ ପାଳନ ହୋଇଆସୁଛି । ଯେଉଁଥିରେ ହର୍ବାଲ ବା ପ୍ରାକୃତିକ ରଙ୍ଗରେ ରାଜଧାନୀବାସୀ ହୋଲି ଖେଳିଥାନ୍ତି । ଏହାଦ୍ବାରା ରସାୟନ ମୁକ୍ତ ହୋଲିର ଏକ ସକରାତ୍ମକ ବାର୍ତ୍ତା ସମାଜକୁ ଦେଇଛନ୍ତି । ଏହି ଅବସରରେ ନାଚ ଗୀତ ମାଧ୍ୟମରେ ବଲିଉଡ ଓ ଓଲିଉଡର ବହୁ ନାମୀଦାମୀ କଳାକାରମାନେ ହର୍ବାଲ୍ ହୋଲି ପାଳନ କରିଛନ୍ତି ।
ରଙ୍ଗ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲେ ବଲିଉଡ ତାରକା ସଞ୍ଜୟ ମିଶ୍ର ଓ ଦିପରାଜ୍ ରାଣା । ମଞ୍ଚ ଉପରେ ଏହି କଳାକାରଙ୍କୁ ଦେଖି ଖୁସିରେ ଝୁମି ଉଠିଥିଲେ ରଙ୍ଗ ଉତ୍ସବରେ ଭାଗ ନେଇଥିବା ଶହ ଶହ ଯୁବବର୍ଗ । ରଙ୍ଗ ଖେଳିବା ସହ ବଲିଉଡ଼ ତାରକାଙ୍କ ଭିତରେ ହୋଲି ଉତ୍ସବ ପାଳନ କରି ନିଆରା ଏକ ସ୍ମୃତି ସାଉଁଟିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ଆନ୍ଦୋଳନ ଧୀରେ ଧୀରେ ଅନ୍ୟ ରାଜ୍ୟଗୁଡିକର ଲୋକମାନଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି । ଚଳିତ ଥର ଏହି ଅବସରରେ ପ୍ରସିଦ୍ଧ ବଲିଉଡ ପ୍ଲେବ୍ୟାକ୍ ସିଙ୍ଗର ସାହାଜାଦ ଅଲ୍ଲି, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡିଜେ ସାହେବା ତଥା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତା, ଅଭିନେତ୍ରୀ ତଥା ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ମୁଲତାନ ମିଟି ଚନ୍ଦନ ହଳଦୀ ଭଳି ରସାୟନ ମୁକ୍ତ ହୋଲିରେ ହୋଲି ଖେଳାଯାଇଥିବା ବେଳେ ଲୋକଙ୍କ ଅଗ୍ରାହକୁ ନେଇ ବେଶ ଖୁସି ପ୍ରକାଶ କରିଥିଲେ ଆୟୋଜକ ।
ଏହା ମଧ୍ୟ ପଢନ୍ତୁ-ଆସୁଛି ହୋଲି, ହର୍ବାଲ ରଙ୍ଗରେ ରଙ୍ଗୀନ ହେବେ ରାଜଧାନୀବାସୀ
ଏଥିରେ ପ୍ରବେଶ ପାଇଁ ଟିକେଟ୍ ୬୯୯ ଟଙ୍କା ରହିଛି । ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଟଙ୍କା ଆସିଛି ତାହା ବସ୍ତିରେ ପିଲାମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି ଫାଉଣ୍ଡର ସ୍ବପ୍ନା ପତି । କୋରୋନା କଟକଣା ପାଇଁ ଦୁଇ ବର୍ଷ ଧରି ହୋଲି ମହୋତ୍ସବ ଆୟୋଜନ ହୋଇପାରୁନଥିଲା । କିନ୍ତୁ ଚଳିତ ବର୍ଷ ହର୍ବାଲ ହୋଲି କାର୍ଯ୍ୟକ୍ରମ ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି ଆୟୋଜକ । ଓଡ଼ିଶା ସହ ପଞ୍ଜାବ ଓ ମୁମ୍ବାଇରେ ମଧ୍ୟ ସ୍ବପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲିର ଆୟୋଜନ କରାଯାଇଛି । ସବୁଥର ରେନ୍ ଡ୍ୟାନ୍ସ ରହୁଥିବା ବେଳେ ଏଥର ମୁଖ୍ୟ ଆକର୍ଷଣ ସାଜିଛି ଫୋମ ଡ୍ୟାନ୍ସ ।
ଇଟିଭି ଭାରତ, ଭୁବନେଶ୍ବର