ରାଉରକେଲା: ଜୁଏଲ ଓରାମଙ୍କୁ ମିଳିଛି ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗ । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବର୍ତ୍ତମାନ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ଦାୟିତ୍ବ ନେଇସାରିଛନ୍ତି । ୫ ବର୍ଷର ଲମ୍ବା ଅବଧି ପରେ ସାଂସଦଙ୍କୁ ମନ୍ତ୍ରିପଦ ମିଳିଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ ଓ ଜୁଏଲଙ୍କ ସମର୍ଥକ । ତେବେ ମନ୍ତ୍ରିପଦ ନେବା ପରେ ଆଜି ନିଜ କାର୍ଯ୍ୟାଳୟରେ ସେ ପୂଜାର୍ଚ୍ଚନା କରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ । କେନ୍ଦ୍ରରେ ବାଜପେୟୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଅଭିଜ୍ଞତା ରଖିଛନ୍ତି ଜୁଏଲ । ୧୯୯୯ ମସିହାରେ ଅଟଳବିହାରୀ ବାଜପେୟୀ ସରକାର ସମୟରେ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ସ୍ଥାନ ମିଳିଥିଲା । ୨୦୧୪ରେ ମୋଦିଙ୍କ ପ୍ରଥମ ପାଳିରେ ତାଙ୍କୁ ପୁଣିଥରେ ଆଦିବାସୀ ମନ୍ତ୍ରଣାଳୟରେ ସ୍ଥାନ ମିଳିଥିଲା । ଅତୀତରେ ଦୁଇ ଦୁଇ ଥର କେନ୍ଦ୍ର କ୍ୟାବିଟେନରେ ସ୍ଥାନ ପାଇଥିବା ଜୁଏଲ ୨୦୧୯ରେ କିନ୍ତୁ କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ପାଇନଥିଲେ । ୧୯୮୯ ମସିହାରେ ପ୍ରଥମ ଥର ବଣାଇରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ୧୯୯୮, ୧୯୯୯, ୨୦୦୪, ୨୦୧୪, ୨୦୧୯ ଓ ୨୦୨୪ରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ବାରମ୍ବାର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଓଡିଶା ବିଜେପିର ଅନ୍ୟତମ ପ୍ରମୁଖ ଚେହେରା ଜୁଏଲ୍ ଓରାମଙ୍କୁ ତୃତୀୟ ଥର କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ପୁଣି ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ
ତେବେ ସୁନ୍ଦରଗଡ଼ବାସୀ ତାଙ୍କୁ ସାଂସଦ ଭାବରେ ଗ୍ରହଣ କରିଥିବାରୁ ଆଜି ସେ ମନ୍ତ୍ରୀ ପଦ ପାଇଛନ୍ତି ଏବଂ ଏଥିପାଇଁ ସୁନ୍ଦରଗଡ଼ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ନେଇ ପହଞ୍ଚାଇବେ । ଆଦିବାସୀମାନଙ୍କ ପ୍ରତି ପ୍ରାଥମିକତା ଦେଇ ଯେଉଁମାନେ ଅବହେଳିତ ହେଉଛନ୍ତି ସେମାନଙ୍କ ପାଖରେ ଛିଡା ହେବେ ଏବଂ ସେମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ଜୁଏଲ । ତେବେ କେନ୍ଦ୍ର ସରକାର ଆଦିବାସୀମାନଙ୍କ ପାଇଁ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ସମସ୍ତ ପଦକ୍ଷେପକୁ ସମ୍ପୂର୍ଣ୍ଣ ଦେଶରେ ଏବଂ ରାଜ୍ୟରେ ପ୍ରାଥମିକତାର ସହ ଲାଗୁ କରାଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ଼