ଭୁବନେଶ୍ବର: ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଯୋଗ ଅଲମ୍ପିୟାଡ୍ । ଆସନ୍ତା ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏହି ଅଲମ୍ପିୟାଡ୍ ଅନୁଷ୍ଠିତ ହେବ । ଏଥିରେ ପାଖାପାଖି ୪୦୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ/ ଶିକ୍ଷୟତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏହି ଯୋଗ ଅଲମ୍ପିୟାଡ୍ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ବହନ କରିବ ।
![ମଇ ୨୭ ରୁ ରାଜ୍ୟ ସ୍ତରର ଯୋଗ ଅଲମ୍ପିୟାଡ୍](https://etvbharatimages.akamaized.net/etvbharat/prod-images/17-05-2024/od-bbsr-03-yoga-olympiad-state-level-7206049_16052024222020_1605f_1715878220_678.jpg)
ରାଜ୍ୟସ୍ତରୀୟ ଅଲମ୍ପିୟାଡ୍ ନିମନ୍ତେ ଛାତ୍ରଛାତ୍ରୀଙ୍କ ସିଲେକ୍ସନ ପାଇଁ ପ୍ରଥମେ ବିଦ୍ୟାଳୟ, ବ୍ଲକ ଏବଂ ଜିଲ୍ଲାସ୍ତରରେ ଯୋଗ ପ୍ରତିଯୋଗିତା କରାଯିବ । ମେ' ୨୨ ତାରିଖରେ ସୁଦ୍ଧା ଏହି ସିଲେକ୍ସନ ସାରିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ (DEO) ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରରେ ଆୟୋଜିତ ହେବ । ଏଥିରେ ଶ୍ରେଷ୍ଠ ୪ ଛାତ୍ର ଏବଂ ୪ ଛାତ୍ରୀଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ଏକ ଟିମ ଗଠନ ହୋଇଛି । ଏହି ଟିମରେ ଜଣେ ଲେଡି ମ୍ୟାନେଜର ଏବଂ ଜଣେ ପୁରୁଷ ମ୍ୟାନେଜରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଯୋଗ ଅଲମ୍ପିୟାଡରେ ଅଂଶଗ୍ରହଣ କରିବେ ।
ଜଣେ ଛାତ୍ର ଏହି ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇପାରନ୍ତି ଯଦି ତାଙ୍କର ବୟସ ପ୍ରଥମ ପର୍ଯ୍ୟାୟରେ ୧ ଏପ୍ରିଲ ୨୦୨୪ ମଧ୍ୟରେ ୧୦ ବର୍ଷରୁ ଅଧିକ ୧୪ ବର୍ଷରୁ କମ୍ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୪ ବର୍ଷରୁ ଅଧିକ ଏବଂ ୧୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ପ୍ରଧାନଶିକ୍ଷକଙ୍କ ଦ୍ଵାରା ଦିଆଯାଇଥିବା ସାର୍ଟିଫିକେଟ୍, ଅନଲାଇନ୍ ଏଣ୍ଟ୍ରି ଫର୍ମ ଏବଂ ଏଥିପାଇଁ ଦୁଇଟି ଅତିରିକ୍ତ ଷ୍ଟାମ୍ପ ସାଇଜ ଫଟୋଗ୍ରାଫ ସିଲ୍ ସହିତ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ଦ୍ଵାରା ଦସ୍ତଖତ ହୋଇଥିବା ଆବଶ୍ୟକ ।
ଏହାସହ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଦିଆଯାଇଥିବା ଜନ୍ମ ପ୍ରମାଣପତ୍ରର ଏକ କପି ରହିଥିବା ଆବଶ୍ୟକ । ପ୍ରତିଯୋଗୀମାନେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସହ ସାର୍ଟିଫିକେଟ୍ ସଠିକ୍ ଭାବରେ ଉଲ୍ଲେଖ କରାଯିବା ଆବଶ୍ୟକ । ଯେଉଁ ଅଂଶ ଗ୍ରହଣକାରୀମାନେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମନୋନୀତ ହେବେ ସେମାନେ ଜୁନ ୧୮ ତାରିଖରୁ ୨୦ ତାରିଖ ଯାଏଁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ଇଟିଭି ଭାରତ, ଭୁବନେଶ୍ବର