ବ୍ରହ୍ମପୁର: ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଓ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବହୁ ପ୍ରତିଯୋଗୀଙ୍କୁ ମିଳିଲା ସଫଳତା । ଭଦ୍ରକଠାରେ ଚଳିତ ମାସ ୬ ରୁ ୮ ଯାଏଁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଓପନ ଚାମ୍ପିଅନସିପରେ ଗଞ୍ଜାମ ଜିଲ୍ଲାର ପ୍ରତିଯୋଗୀମାନେ କୃତିତ୍ୱ ହାସଲ କରିଛନ୍ତି । ଯୋଗଦେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜୁନିଅର, ସବ୍ ଜୁନିଅର ଭଳି ବିଭିନ୍ନ ବର୍ଗରେ ଗଞ୍ଜାମ ଜିଲ୍ଲାର ୩୫ ଜଣ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ୧୨ ଜଣ ରୌପ୍ୟ ପଦକ ଏବଂ ୧୫ ଜଣ କାଂସ୍ୟ ପଦକ ହାସଲ କରିଛନ୍ତି ।
କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା:
କୃତି ପ୍ରତିଯୋଗୀମାନେ ବ୍ରହ୍ମପୁର ସହରର ସ୍ଥାନୀୟ ରେଳଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ଅଭିଭାବକ ତଥା ପ୍ରଶିକ୍ଷକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ଫୁଲ ମାଳ ଦେଇ ସେମାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା କରାଯାଇଥିଲା । ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୟାର୍ଥୀ ଗଞ୍ଜାମ ଜିଲ୍ଲାର ଭିକ୍ଟୋରୀ ଏକାଡେମୀ ଅଫ୍ ମାର୍ଶଲ ଆର୍ଟ ଓ ଆସିକା ଟାଇକୋଣ୍ଡୋରେ ଶିକ୍ଷାଲାଭ କରିଛନ୍ତି । ପ୍ରତିଯୋଗୀମାନଙ୍କ ସଫଳତାରେ ସେମାନଙ୍କୁ କୋଚ୍ ବି.ସତୀଶ କୁମାର ରାଓ, କିରଣ କୁମାର ନାୟକ, କୈବଲ୍ୟ ବଡମୁଣ୍ଡି, କାହ୍ନା ନାୟକ ସମେତ ଗଞ୍ଜାମ ଟାଇକୋଣ୍ଡୋ ସଭାପତି ସୁଜିତ କୁମାର ମିଶ୍ର ଏବଂ ସାଧାରଣ ସମ୍ପାଦକ ସରୋଜ ଚନ୍ଦ୍ର ପ୍ରମୁଖ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ଏହାମଧ୍ୟ ପଢନ୍ତୁ.. ଭୁବନେଶ୍ବରରେ ହେବ Sports Valley : କ୍ରୀଡାମନ୍ତ୍ରୀ - Sports Minister Suryabanshi Suraj
'ଆତ୍ମ ସୁରକ୍ଷା ସବୁଠୁ ଜରୁରୀ'
ଏହି ଅବସରରେ ଜଣେ କୁନି କୃତି ଛାତ୍ରୀ ଆରୁହୀ ନାୟକ କହିଛନ୍ତି, " ଝିଅ ପିଲାମାନେ ଏହା ନିହାତି ଶିଖିବା ଦରକାର । ଯେମିତି ସେମାନେ ନିଜେ ନିଜକୁ ସୁରକ୍ଷା ଦେଇପାରିବେ ।"ଏହାସହ କୃତି ଛାତ୍ରୀ ତେଜଲ ପାଣିଗ୍ରାହୀ କହିଛନ୍ତି, " ପୁଅ ହେଉ କି ଝିଅ ହେଉ ସମସ୍ତଙ୍କୁ ଟାଇକୋଣ୍ଡୋ ଶିଖିବା ଦରକାର। କାରଣ ଆତ୍ମ ସୁରକ୍ଷା ସବୁଠୁ ଜରୁରୀ ଅଟେ । ମାର୍ଶଲ ଆର୍ଟ ଓ ଟାଇକୋଣ୍ଡୋ ଶିକ୍ଷା ଗ୍ରହଣ ଦ୍ୱାରା ଛାତ୍ରୀମାନଙ୍କୁ ସେମାନଙ୍କ ନିଜସ୍ବ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ ।" ତେବେ ବିଭିନ୍ନ ବର୍ଗରେ ଗଞ୍ଜାମ ଜିଲ୍ଲାର ୩୫ ଜଣ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ୧୨ ଜଣ ରୌପ୍ୟ ପଦକ ଏବଂ ୧୫ ଜଣ କାଂସ୍ୟ ପଦକ ହାସଲ କରିଛନ୍ତି । ଯାହାକି ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଛି ।
ଇଟିଭି ଭାରତ, ବ୍ରହ୍ମପୁର