ETV Bharat / state

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା, କେଉଁ ମଣ୍ଡପରେ ହୁଏ କେଉଁ ନୀତି ? - Rituals of lord jagannath

author img

By ETV Bharat Odisha Team

Published : Jun 27, 2024, 9:39 AM IST

Puri Sri mandir: ବାରମାସେ ତେର ପର୍ବ ସହ ନାନାଦି ନୀତି, ବେଶ, ଭୋଗର ଅନନ୍ୟ ଧାମ ମର୍ତ୍ତ୍ୟବୈକୁଣ୍ଠ ଶ୍ରୀକ୍ଷେତ୍ର । ରତ୍ନବେଦୀରୁ ଜନ୍ମବେଦୀ ପର୍ଯ୍ୟନ୍ତ ବର୍ଷବ୍ୟାପୀ ଲୀଳାଖେଳା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ସେବା ଓ ନୀତି ପାଇଁ ରହିଛି ଅନେକ ମଣ୍ଡପ । ଜାଣନ୍ତୁ ଏ ସମ୍ପର୍କରେ...

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା, କେଉଁ ମଣ୍ଡପରେ ହୁଏ କେଉଁ ନୀତି
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା, କେଉଁ ମଣ୍ଡପରେ ହୁଏ କେଉଁ ନୀତି (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ତେବେ ଏହି ଲୀଳାଖେଳାରେ ରହିଛି ଅନେକ ପର୍ବ ପର୍ବାଣି, ନୀତିକାନ୍ତି, ସେବା, ବେଶ ଓ ଭୋଗର ପରମ୍ପରା । ଏହି ନୀତିଗୁଡିକ ସମାପନ ହେବାର ଭିନ୍ନ ଭିନ୍ନ ସମୟ ଓ ସ୍ଥାନ ମଧ୍ୟ ରହିଛି । ଏହି ନୀତିକାନ୍ତି ପାଇଁ ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ଶ୍ରୀମନ୍ଦିରର ଭିତରେ ଓ ବାହାରେ ରହିଛି ଏକାଧିକ ମଣ୍ଡପମାନ । ସେଗୁଡିକ ମଣ୍ଡପସବୁ ହେଲା ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମୁକ୍ତି ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ରତ୍ନ ମଣ୍ଡପ, ଦୋଳ ମଣ୍ଡପ ଓ ଯଜ୍ଞ ମଣ୍ଡପ ।

ରତ୍ନ ମଣ୍ଡପ:- ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ବର୍ଷ ସାରା ଯେଉଁଠାରେ ବିଜେ କରିଥାନ୍ତି ତାହାକୁ ରତ୍ନ ମଣ୍ଡପ କୁହାଯାଏ । ଗୃହଗୃହର ଏହି ମୁଖ୍ୟ ମଣ୍ଡପରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖୀ ହୋଇ ଅବସ୍ଥାନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁଦର୍ଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି । ଏହି ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ । ଏହାକୁ ରତ୍ନ ବେଦୀ ଓ ରତ୍ନ ସିଂହାସନ ବୋଲି ମଧ୍ୟ କୁହାଯାଏ ।

ଦେବସଭା ମଣ୍ଡପ:- ଶ୍ରୀମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ୍ଵ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଛି । ଏହା ଦେବସଭା ମଣ୍ଡପ । ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଦରେ ଏହି ସ୍ଥାନରେ ଦେବତାମାନେ ବିରାଜମାନ କରି ସଭା କରିଥାନ୍ତି । ଏହି ମତ ଆଧାରରେ ଏହାର ନାମ ରଖାଯାଇଛି ଦେବସଭା ମଣ୍ଡପ ।

ସ୍ନାନ ମଣ୍ଡପ:- ଶ୍ରୀମନ୍ଦିର ବାହାର ବେଢା ସ୍ଥିତ ଆନନ୍ଦ ବଜାର ପରିସରରେ ସ୍ନାନ ମଣ୍ଡପ ତଥା ସ୍ନାନବେଦୀ ଅବସ୍ଥିତ । ମଣ୍ଡପଟି ରତ୍ନ ମଣ୍ଡପ ପରି ପୂର୍ବାଭିମୁଖୀ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଏହି ମଣ୍ଡପ ବା ବେଦୀରେ ବିରାଜମାନ କରିଥାନ୍ତି । ମଣ୍ଡପ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରି ମୋଟ ୧୦୮ ଗରା ଚନ୍ଦନ, କର୍ପୂର, କେଶରାଦି ମିଶ୍ରିତ ସୁବାସିତ ଜଳରେ ସ୍ନାନ କରିଥାନ୍ତି । ପରେ ଏହି ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରସିଦ୍ଧ ଗଜାନନ ବା ହାତୀ ବେଶ ହୋଇଥାଏ ।

ସ୍ନାନବେଦୀରେ ଚତୁଦ୍ଧାମୂର୍ତ୍ତି
ସ୍ନାନବେଦୀରେ ଚତୁଦ୍ଧାମୂର୍ତ୍ତି (ETV Bharat Odisha)

ଗୁଣ୍ଡିଚା ମଣ୍ଡପ:- ବିଭିନ୍ନ ପୁରାଣ ଶାସ୍ତ୍ରରେ ଗୁଣ୍ଡିଚା ମଣ୍ଡପର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ, ଆଟୋପ ମଣ୍ଡପ ଇତ୍ଯାଦି ନାମରେ ଉଲ୍ଲେଖ କରାଯାଇଛି । ଗୁଣ୍ଡିଚା ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠିତ ମଣ୍ଡପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ରଥ ଶରଧାବାଲିରେ ପହଞ୍ଚିବା ପରେ ଦାରୁଦିଅଁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । ଆଡ଼ପ ମଣ୍ଡପ ପଛ ଭାଗରେ ଶ୍ରୀନୃସିଂହଙ୍କୁ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ, ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ଦାରୁଦିଅଁ ନବଦିନାତ୍ମକ ଯାତ୍ରାରେ ବିଜେ କରନ୍ତି ତାଙ୍କର ଆବିର୍ଭାବ ମଣ୍ଡପରେ । ଏହା ହେଉଛି ଶାସ୍ତ୍ରର କଥା । ତେଣୁ ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ମହାପ୍ରଭୁଙ୍କୁ ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।

ଭେଟ ମଣ୍ଡପ:- ଶ୍ରୀମନ୍ଦିର ରୋଷ ଘର ପରିସରର ପୂର୍ବାଭିମୂଖୀ ଏହି ମଣ୍ଡପକୁ ନିଳାଦ୍ରି ବିଜେ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରୁ ପହଣ୍ଡି ବିଜେରେ ଅବତରଣ କରିବା ସମୟରେ ମା’ ଲକ୍ଷ୍ମୀ ଠାକୁରାଣୀ ଏଠାରେ ଉଭା ହୋଇ ଭେଟିଥାନ୍ତି । ଏଣୁ ଏହାକୁ ଭେଟ ମଣ୍ଡପ କୁହାଯାଏ ।

ଚାହାଣୀ ମଣ୍ଡପ:- ଶ୍ରୀମନ୍ଦିର ଆନନ୍ଦ ବଜାର ସ୍ଥିତ ସ୍ନାନ ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଏହି ମଣ୍ଡପଟି ଅବସ୍ଥିତ । ବାହୁଡା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ ଚାହାଁଣି ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁଥାନ୍ତି । ପରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ପାଇଁ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି ମା’ ଲକ୍ଷ୍ନୀ । ଏଣୁ ଏହାକୁ ଚାହାଣୀ ମଣ୍ଡପ କୁହାଯାଏ ।

ମୁକ୍ତି ମଣ୍ଡପ:- ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ସ୍ୱୟଂ ବ୍ରହ୍ମା ଯେଉଁଠାରେ ଯଜ୍ଞବେଦୀ କରିଥିଲେ, ତାହା ପରବର୍ତ୍ତୀ ସମୟରେ ମୁକ୍ତି ମଣ୍ଡପ ନାମରେ ନାମିତ ହୋଇଛି । କଳ୍ପବଟ ଏବଂ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ଏହି ପବିତ୍ର ସ୍ଥାନଟି ଅବସ୍ଥିତ । ରାତ୍ର ସମୟରେ ସ୍ୱର୍ଗଲୋକରୁ ସମସ୍ତ ଦେବତାମାନେ ଏଠାରେ ଏକତ୍ର ହୁଅନ୍ତି । ବ୍ରହ୍ମାଙ୍କ ପୌରୋହିତରେ ସଂସାରର ବିଭିନ୍ନ ସମସ୍ୟା ଉପରେ ସମସ୍ତ ଦେବତାଗଣ ଆଲୋଚନା କରିଥାନ୍ତି । ଏହି ଆଲୋଚନାରେ ଭଗବାନ ବିଷ୍ଣୁ ଯାହା ନିର୍ଦ୍ଦେଶ ଦିଅନ୍ତି, ସବୁ ଦେବତା ଗଣ ସେହିପରି କାର୍ଯ୍ୟ କରିଥାନ୍ତି ।

ଓଡ଼ିଆଙ୍କ ଅମୃତ ମହାପ୍ରସାଦ
ଓଡ଼ିଆଙ୍କ ଅମୃତ ମହାପ୍ରସାଦ (ETV Bharat Odisha)

କିମ୍ବଦନ୍ତୀ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ସମୟରେ ମୁକ୍ତି ମଣ୍ଡପରେ ଯଜ୍ଞ କରିଥିଲେ । ମୁକ୍ତି ମଣ୍ଡପକୁ ବ୍ରହ୍ମାସନ କୁହାଯାଏ । ମୁକ୍ତିମଣ୍ଡପରେ କେବଳ ବିଦ୍ୱାନ ପଣ୍ଡିତମାନେ ଅବସ୍ଥାନ କରିଥାନ୍ତି । ଶ୍ରୀମନ୍ଦିରର ପୂଜାକର୍ମରେ ଯଦି କିଛି ଅସୁବିଧା ଦେଖାଦିଏ ଶାସ୍ତ୍ରମତେ ଆଲୋଚନା କରି ତାହାର ସମାଧାନ କରିଥାନ୍ତି । ମନୁଷ୍ୟ ଯଦି କିଛି ପାପ କରିଥାଏ, ତାହାର ପ୍ରାୟଶ୍ଚିତର ବାଟ ମୁକ୍ତି ମଣ୍ଡପର ପଣ୍ଡିତମାନେ ବତାଇ ଦେଇଥାନ୍ତି । ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ସଭାରେ ସ୍ୱୀକୃତି ଦିଆଯାଇଥାଏ । ଏହି ମୁକ୍ତି ମଣ୍ଡପରେ ପୁରୀର ଷୋଳଶାସନର ବିଦ୍ୱାନ ପଣ୍ଡିତମାନେ ବସି ହିନ୍ଦୁଧର୍ମର ନୀତିନିୟମ ବିଷୟରେ ଆଲୋଚନା କରିଥାନ୍ତି । ଶ୍ରୀମନ୍ଦିରର ଭିତର ବେଢାସ୍ଥ ବେହେରଣ ଦ୍ୱାର ଡାହାଣ ପାର୍ଶ୍ୱରେ ତଥା ପ୍ଳଟ ନଂ ୨୧ରେ ମାଜଣା ମଣ୍ଡପଟିଅ ଅବସ୍ଥିତ । ସ୍ୱତ୍ତ୍ୱଲିପି ମୁତାବକ ଏଠାରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ମାଜଣା ହୁଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ଏହି ମଣ୍ଡପରେ ଶ୍ରୀଦେବୀ ଓ ମଦନମୋହନ ବିବାହ ଉତ୍ସବ ହୁଏ ।

ମାଜଣା ମଣ୍ଡପ:- ଉକ୍ତ ମଣ୍ଡପରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି, ଆଶ୍ୱିନ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀ ଦିନ ଏଠାରେ ଦୁର୍ଗାଦେବୀଙ୍କର ସହସ୍ର କୁମ୍ଭାଭିଷେକ ହୋଇଥାଏ । ଏହି ମଣ୍ଡପର ଅନ୍ୟ ନାମ ସୋମନାଥ ମଣ୍ଡପ । ପୀଢ଼ ଶୈଳୀରେ ନିର୍ମିତ ଏହି ମାଜଣା ମଣ୍ଡପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତ୍ୟେହ ସନ୍ଧ୍ୟାରେ ପାରମ୍ପରିକ ଭକ୍ତି ସଙ୍ଗୀତ, ଗୀତଗୋବିନ୍ଦ ଆଦି ଗାନ କରାଯାଇଥାଏ । ଶ୍ରୀବିଗ୍ରହମାନଙ୍କ ଚିତା ଓ ରାହୁ ରେଖା ସଫା କାର୍ଯ୍ୟ ମଧ୍ୟ ଏହି ମଣ୍ଡପ ଉପରେ କରାଯାଇଥାଏ ।

ନାଭିକଟା ମଣ୍ଡପ:- ଶ୍ରୀମନ୍ଦିର ଭିତର ବେଢା ସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ପୀଢ଼ ଶୈଳୀର ଖୋଲା ମଣ୍ଡପକୁ ନାଭିକଟା ମଣ୍ଡପ କୁହାଯାଏ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏଠାରେ ନାଭିକଟା କର୍ମ ସମାପିତ ହୋଇଥାଏ । ଦୋଳ ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ମାଜଣା ବେଶ, ଭୋଗାଦି ଏହିଠାରେ ସମାପିତ ହେବା ପରେ ଦୋଳବେଦୀରେ ବିଜେ କରନ୍ତି ଠାକୁର ।

ନିର୍ମାଲ୍ୟ ମଣ୍ଡପ:- ଶ୍ରୀମନ୍ଦିର ବାହାର ବେଢା ସ୍ଥିତ ନୀଳାଚଳ ଉପବନ ପରିସରରେ ନିର୍ମାଲ୍ୟ ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ଅନ୍ୟନାମ ନିର୍ମାଲ୍ୟ ଖଳା । ଏକ ବର୍ଗାକାର ଖୋଲା ମଣ୍ଡପ । ଏଠାର ନିର୍ମାଲ୍ୟ ପ୍ରସ୍ତୁତ କରାଯାଏ

ଅଚିନ୍ତା ମଣ୍ଡପ:- ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଶାଖା କାର୍ଯ୍ୟାଳୟର ପାର୍ଶ୍ୱରେ ଥିବା ପ୍ରତିହାରୀ ନିଯୋଗ ଅଫିସଟି ପୂର୍ବରୁ ଅଚିନ୍ତା ମଣ୍ଡପ ନାମରେ ପରିଚିତ ଥିଲା । ସାତପୁରୀ ତାଡ଼ ଓ ମକର ତାଡ଼ ବଡ଼ଦେଉଳକୁ ପରିକ୍ରମା ପରେ ତାଡ଼ ଏହିଠାରେ ରଖାଯାଏ ।

ଅବଢା ଧରି ଯାଉଛନ୍ତି ମହାପ୍ରଭୁଙ୍କ ସେବକ
ଅବଢା ଧରି ଯାଉଛନ୍ତି ମହାପ୍ରଭୁଙ୍କ ସେବକ (ETV Bharat Odisha)

ଜଳକ୍ରୀଡା ମଣ୍ଡପ:- ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ପ୍ଳଟ ଜଳକ୍ରୀଡା ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳାକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜ୍ୟେଷ୍ଠ କୃଷ୍ଣ ଓ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନଙ୍କ ତରଫରୁ ଦୋଳଗୋବିନ୍ଦ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଦୋଳ ମଣ୍ଡପ:- ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ ଦୋଳମଣ୍ଡ ଓ ଉକ୍ତ ସାହିକୁ ଦୋଳମଣ୍ଡପ ସାହି ନାମିତ କରାଯାଇଛି। ତତ୍କାଳୀନ ରାଜା ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଉତ୍ତର-ପୂର୍ବ କୋଣରେ ଅନ୍ୟ ଏକ ମଣ୍ଡପ ଗଢ଼ାଇଥିଲେ। ଯାହାକି ଦୋଳବେଦୀ ନାମରେ ସୁପରିଚିତ । ବର୍ତ୍ତମାନ ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଛି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ଅନୁସାରେ, ପ୍ଲଟ ନଂ ୧୧ ରେ ଭୋଗ ମଣ୍ଡପ ଅବସ୍ଥିତ । ଶ୍ରୀପୁରୁଷୋତ୍ତମ ଦେଉଳ କାର୍ଯ୍ୟବିଧି ପୋଥିର ଉଲ୍ଲେଖ ପ୍ରକାରେ ଭୋଗଟି ଟେରା ମଣ୍ଡପ ନାମରେ ଅଭିହିତ । ଏହା ବ୍ୟତୀତ କେତେକ ଏହାକୁ ନୀଳାଦ୍ରି ମଣ୍ଡପ ନାମରେ ଉଚ୍ଚାରଣ କରିଥାନ୍ତି । ବଡ଼ ଦେଉଳର ଚତୁର୍ଥ ବଖରା ହେଉଛି ଭୋଗମଣ୍ଡପ । ସେହିଠାରେ ଏବେ ଭୋଗମଣ୍ଡପର ଭୋଗ ବା ବରାଦି ଭୋଗ ମହାପ୍ରଭୁଙ୍କୁ ଲାଗି ହେଉଛି । ଠାକୁରଙ୍କର ଏହି ଭୋଗମଣ୍ଡପ ଘର ଯେଉଁଠି ଗଢ଼ା ହୋଇଛି, ସେହିଠାରେ ରହିଥିଲା ଆଦି ଶଙ୍କରଙ୍କ ଛତି । ସେ ଛତି ମୂଳରେ ଆଦିଗୁରୁ ଆସନ ପରି ବସୁଥିଲେ । ତାଙ୍କରି ଛତି ଥିବା ସ୍ଥାନରେ ଭୋଗ ମଣ୍ଡପ ଗୃହ ନିର୍ମାଣ ହୋଇଛି ।

ଭୋଗ ମଣ୍ଡପ:- ଏହି ମଣ୍ଡପରେ ପ୍ରତ୍ୟେକ ଭୋଗ ମଣ୍ଡପ ପୂଜା ହୁଏ । ଏଣୁ ଏହାକୁ ଭୋଗ ମଣ୍ଡପ କୁହାଯାଏ । ଏହା ନାଟ ମଣ୍ଡପକୁ ଲାଗି ରହିଛି । ଭୋଗ ମଣ୍ଡପ ପରିସରରେ ନୀଳାଦ୍ରି ମହୋଦୟର ପୂର୍ବଦିନ ଜଳ ଅଧିବାସ, ପୁଷ୍ୟାଭିଷେକ ପୂର୍ବଦିନ ଜଳ ବା ଘିଅ ଅଧିବାସ, ମକର ସଂକ୍ରାନ୍ତି ପୂର୍ବଦିନ ଚାଉଳ ଅଧିବାସ, ଅକ୍ଷୟ ତୃତୀୟା ପୂର୍ବଦିନ ଚନ୍ଦନ ଅଧିବାସ ଓ ଦୟଣା ଚତୁର୍ଦ୍ଦଶୀ ପୂର୍ବଦିନ ଦୟଣା ଅଧିବାସ ଅନୁଷ୍ଠିତ ହୋଇଥାଏ ।

ନାଟ ମଣ୍ଡପ:- ଶ୍ରୀମନ୍ଦିରର ଜଗମୋହନ ଓ ଭୋଗ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନଙ୍କୁ ନାଟ ମଣ୍ଡପ କୁହାଯାଏ ।ଏହି ନାଟ ମଣ୍ଡପରେ ଶ୍ରୀକୃଷ୍ଣ ଜନ୍ମଲୀଳା ପ୍ରସଙ୍ଗରେ ଭିନ୍ନ ଭିନ୍ନ୍ ତିଥିରେ ଅନ୍ଧ ଲୀଳା ପ୍ରସ୍ତାବ, ଦାହ ଲୀଳା ପ୍ରସ୍ତାବମାନ ଅନୁଷ୍ଠିତ ହୋଇଥାଏ। ନାଟ ମନ୍ଦିର କାନ୍ଥ ଓ ଖୁମ୍ବମାନଙ୍କରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତୀ, ଚିତ୍ର ଭାସ୍କର୍ଯ୍ୟମାନ ଖୋଦିତ ହୋଇଛି । ଏହି ସ୍ଥନରେ ପୂର୍ବେ ଦେବଦାସୀମାନେ ସକାଳଧୂପ ପଟୁଆର ସମୟରେ ନୃତ୍ୟ କରୁଥିଲେ । ଏଣୁ ଏହାକୁ ନାଟ ମଣ୍ଡପ କୁହାଯାଏ।

ରାହାସ ମଣ୍ଡପ:- ଶ୍ରୀମନ୍ଦିରରେ ଥିବା ରାହସ ମଣ୍ଡପଟି ବଟ ଗଣେଶ ମନ୍ଦିର ସନ୍ନିକଟ ବଟବୃକ୍ଷ ମୂଳେ ଅବସ୍ଥିତ ଥିଲା। ଏହି ରାହାସ ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତ ଭାଷୀ ମୂଳ ଭାଗବତ ଓଡ଼ିଆ ଭାଷାରେ ମଧୁର ସ୍ୱରରେ ତଥା ସରଳ ଭାଷାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପଢ଼ି ଶୁଣାଉଥିବାର ପ୍ରମାଣ ବୈଷ୍ଣବ ଲୀଳାମୃତ, ଶ୍ରୀଚୈତନ୍ୟ ଚକଡା ଓ ଶ୍ରୀଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ସୂଚନା ମିଳେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.