ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ପ୍ଲଟିଂ କରି ବେଆଇନ୍ ଭାବେ ବିକ୍ରି ପାଇଁ ଜମି ମାଫିଆଙ୍କ ଉଦ୍ୟମ । ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ତାଳବଣିଆ ମୌଜା ଖାତା ନଂ-୭୯୧, ପ୍ଲଟ ନମ୍ବର ୮୨୭, ୮୨୪, ୮୨୧, ୮୨୩, ୮୨୫ ଓ ୮୨୧/୧୮୧୬ ଜମିକୁ ଜବରଦଖଲ କରି ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରିବା ପାଇଁ ଜମି ମାଫିଆ ଯୋଜନା କରିଥିବା ଜଣାପଡିବା ପରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜବରଦଖଲ କରି ପ୍ଲଟିଂ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ କୁମ୍ଭାରପଡ଼ା ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି ।
- ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କଲେ ମୁଖ୍ୟ ପ୍ରଶାସକ
ଘଟଣାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ନୋଟାରିରେ କିଣିବା ଓ ବିକ୍ରି ସମ୍ପୂର୍ଣ୍ଣ ବେଆଇନ୍ ବୋଲି ସ୍ପଷ୍ଟ ନିୟମ ରହିଛି । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି ।
- ପୂର୍ବରୁ ହୋଇଥିଲା ଜବରଦଖଲ ଉଦ୍ୟମ, ଗିରଫ ହୋଇଥିଲେ 6
ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ମହାପ୍ରଭୁଙ୍କ ଜମି ଜବରଦଖଲ ଓ ବିକ୍ରି ଉଦ୍ୟମ କରିଥିଲେ ଦଲାଲ । ପୁରୀ ପୌରାଞ୍ଚଳର ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାମରେ ଥିବା ୬୪ ଏକର ଜମିକୁ କିଛି ଜମି ମାଫିଆ ପ୍ଲଟିଂ କରି ଲୋକଙ୍କୁ ବେଆଇନ୍ ଭାବେ ବିକ୍ରି କରି ଦେଇଥିଲେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳୀ ସାହି ଥାନାରେ ଏତଲା ଦିଆଯାଯାଇଥିଲା । ବେଆଇନ୍ ପ୍ଲଟିଂ କରି ବିକ୍ରି କରିଥିବା ୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଣୁ ଗୁଣ୍ଡିଚା ମନ୍ଦିର ନିକଟରେ ବେଆଇନ୍ ଭାବେ ଜମି ବିକ୍ରି ଘଟଣାରେ ମଧ୍ୟ ପୋଲିସ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି ।
- ଜମି ଚିହ୍ନଟ କରାଯାଇ ପାଚେରୀ ବୁଲାଯିବ: ଜିଲ୍ଲାପାଳ
ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,‘‘ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ବିକ୍ରି ପାଇଁ ଯେଉଁ ବ୍ୟକ୍ତି ପ୍ରୟାସ କରୁଛନ୍ତି, ତାଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନ କଡା ନଜର ରଖିଛି । ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁଙ୍କ ଜମିକୁ କିଛି ବ୍ୟକ୍ତି ବେଆଇନ୍ ଭାବେ ପ୍ଳଟିଂ କରି ବିକ୍ରି ପାଇଁ ଯୋଜନା କରିଥିବା ଖବର ଆସିଥିଲା । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏନେଇ ପୋଲିସରେ ଏତଲା ଦିଆଯାଇଛି । ସମଗ୍ର ଘଟଣାର ତଦନ୍ତ ହେବ । ବେଆଇନ୍ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଉକ୍ତ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଦଖଲକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଉକ୍ତ ଜମି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି । ତେବେ ଯଦି କେହି ବ୍ୟକ୍ତି ତାଙ୍କର ଜମି ବୋଲି ଦାବି କରୁଛନ୍ତି, ତେବେ ତାଙ୍କୁ ଆଇନ ଅନୁଯାୟୀ ଦସ୍ତାବିଜ୍ ଦେଖାଇବା ପାଇଁ କୁହାଯିବ । ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟ ସ୍ଥାନମାନଙ୍କରେ ଥିବା ମହାପ୍ରଭୁଙ୍କ ପ୍ରମୁଖ ଜମିଗୁଡିକରେ ପାଚେରୀ କରାଯାଇ ସୁରକ୍ଷିତ ରଖାଯିବା ପାଇଁ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ।’’
ଏହା ମଧ୍ୟ ପଢନ୍ତୁ:- ବିଶ୍ବପ୍ରସିଦ୍ଧ ରଥାଯାତ୍ରା ପାଇଁ ପ୍ରସ୍ତୁତି, ନୟାଗଡ଼ରୁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣା: ତଦନ୍ତ ଜୋରଦାର, ଭକ୍ତଙ୍କୁ ଏସପିଙ୍କ ଅପିଲ |
- ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ବହୀନତାରୁ ହେଉଛି ଜବରଦଖଲ: ଆଇନଜୀବୀ
ଆଇନଜୀବୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର କହିଛନ୍ତି,‘‘ ଶ୍ରୀମନ୍ଦିର ପ୍ରଶାସନ ଥାନାରେ ଯେଉଁ ଏତଲା ଦେଉଛି, ତାହା ସମ୍ପୂର୍ଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ । ମହାପ୍ରଭୁଙ୍କ ଜମିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନରେ ଅନେକ କର୍ମଚାରୀ ଓ ଅଧିକାରୀ ଅଛନ୍ତି । ହେଲେ ସେମାନଙ୍କ ଅପାରଗତା ଓ ଅବହେଳା ଯୋଗୁଁ ମହାପ୍ରଭୁଙ୍କ ଜମିର ସୁରକ୍ଷା ହୋଇ ପାରୁନାହିଁ । କେବଳ ଏତଲା ଦେଇ କାମ ସାରି ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଏହା ଦ୍ଵାରା କୌଣସି ସୁଫଳ ମିଳନାହିଁ । ଅନେକ ଲୋକ ପୁରୁଷ ପୁରୁଷ ଧରି ମହାପ୍ରଭୁଙ୍କ ଜମିରେ ଦେବୋତ୍ତର କମିଶନଙ୍କଠାରୁ ଆଇନଗତ ଦସ୍ତାବିଜ ଆଧାରରେ ରହୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଏହି ଜମିକୁ ଉକ୍ତ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରି କରୁନି । ଫଳରେ ଲୋକେ ହଇରାଣ ହେଉଛନ୍ତି । ରାଜ୍ୟ ସରକାର ଏଥିରେ ଶୀଘ୍ର ହସ୍ତକ୍ଷେପ କରି ପୁରୁଷ ପୁରୁଷ ଧରି ମହାପ୍ରଭୁଙ୍କ ନାମରେ ଥିବା ଜମିରେ ଘର ଓ ଚାଷ କରି ରହୁଥିବା ଲୋକଙ୍କୁ ପଟା ଦିଅନ୍ତୁ । ଯେଉଁ ବ୍ୟକ୍ତି ବେଆଇନ ଭାବେ ଜମି ମାଡ଼ି ବସିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମହାପ୍ରଭୁଙ୍କ ନାମରେ ଥିବା ଜମିରେ ପାଚେରୀ ବୁଲାଇ ସୁରକ୍ଷା ଦିଆଯାଉ ।’’
- ଆମ ନିକଟରେ କାଗଜପତ୍ର ରହିଛି: ଦଖଲକାରୀ
ସେପଟେ ଜମିକୁ ଦଖଲ କରିଥିବା ବ୍ୟକ୍ତି କହିଛନ୍ତି,‘‘ ଆମ ପୂର୍ବପୁରୁଷ ନେବଳ ଦାସ ମଠଠାରୁ ଏହି ଜମି ଖରିଦ୍ କରିଥିଲେ । ଏନେଇ ସମସ୍ତ ପ୍ରମାଣପତ୍ର ମଧ୍ୟ ଆମ ପାଖରେ ରହିଛି । ଶ୍ରୀମନ୍ଦିର ପ୍ରଶାସନଠାରୁ ଏନଓସି ଆଣିବା ପାଇଁ ଆମେ ଆବେଦନ କରିଥିବା ବେଳେ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆମ ପାଖରେ ସମସ୍ତ ଆବଶ୍ୟକ କାଗଜପତ୍ର ଥିବାରୁ ଆମେ କୌଣସି ବେଆଇନ୍ କାର୍ଯ୍ୟ କରିନାହୁଁ ।
ଇଟିଭି ଭାରତ, ପୁରୀ