ନୂଆପଡା: ଜନ୍ମବାର୍ଷିକୀ ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ । ବାଟରେ ଛକିଥିଲା ମୃତ୍ୟୁ, କାରକୁ ଟ୍ରାକ୍ଟର ଧକ୍କା ଦେବାରୁ ଏକା ସାଙ୍ଗରେ ଆଖି ବୁଜିଲେ ଚାରି ବନ୍ଧୁ । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟସ୍ଥ ଛକ ଠାରେ । 2 ଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ସମସ୍ତ ମୃତକ ହେଉଛନ୍ତି ଖଡ଼ିଆଳ ନିବାସୀ ଯୁବକ ଋଷି ସାହୁ, ସୁଭମ ମହାଉତି, ବଣ୍ଟି ଲାଲ ଓ ଦେବରାଜ ପଟେଲ । ଏପଟେ ଦୁର୍ଘଟଣା ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହା ମଧ୍ୟ ପଢନ୍ତୁ-ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ଓ ୧୩ ଗୁରୁତର
ମିଳିଥିବା ସୂଚନା ଅନୁଯାୟୀ, ଗତ ରାତିରେ ଋଷି, ସୁଭମ, ବଣ୍ଟି ଓ ଦେବରାଜ ଚାରିଜଣ ସାଙ୍ଗ ସମ୍ପର୍କୀୟ ଘର ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜିରେ ଯୋଗଦେବାକୁ ଯାଇଥିଲେ । ସେଠାରେ ଭୋଜି ଖାଇ ମଧ୍ୟରାତ୍ରୀରେ ଖଡ଼ିଆଳ ଅଭିମୁଖେ କାର ଯୋଗେ ଫେରୁଥିଲେ । ଫେରିବା ବାଟରେ ଲଛିପୁର ଗାଁ ନିକଟସ୍ଥ ଛକ ଠାରେ ଏକ ଟ୍ରାକ୍ଟ ଟ୍ରାକ୍ଟର ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚାରି ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଖବର ପାଇ ଖଡ଼ିଆଳ ପୋଲିସ, ଖଡ଼ିଆଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।
ମେ 23 ତାରିଖରେ କୋମନା ବ୍ଲକ ବିରୁନପଦର ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଏକ ଦୃତ ଗାମୀ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ CRPF 216 ବାଟାଲିୟନର ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା । ମୃତ ଯବାନ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖୀରମାଲର ଚୈତନ୍ୟ ଶବର । ଚୈତନ୍ୟ ନୂଆପଡା ଜିଲ୍ଲା ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ ଦାଥୁନାମା CRPF କ୍ୟାମ୍ପରେ ରହି କାମ କରୁଥିଲେ ।
ଇଟିଭି ଭାରତ, ନୂଆପଡା