ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦର ବିକାଶକୁ ନେଇ ଅନେକ ଥର ପ୍ରଶ୍ନ କିରଛନ୍ତି ବିରୋଧି ନେତା । କଥାରେ ନୁହଁ ବରଂ କାମରେ କରି ଦେଖାଇ ବିରୋଧି ନେତାଙ୍କୁ ଉତ୍ତର ଦେଇଛନ୍ତି ବିଧାୟିକା ଦୀପାଳି ଦାସ । ପରିମଳ ବ୍ୟବସ୍ଥା ପାଇଁ ୭ ଗୋଟି ମେସିନ ଗାଡ଼ି ଲୋକାର୍ପିତ କରିଛନ୍ତି ବିଧାୟିକା । ପୌର ପରିଷଦ ପକ୍ଷରୁ ୨୪ ଗୋଟି ୱାର୍ଡର ପରିମଳ ବ୍ୟବସ୍ଥାକୁ ଆଖି ଆଗରେ ରଖି ଗୋଟିଏ ରାସ୍ତା ସଫା କରିବା ମେସିନ ଗାଡି ଓ ୬ଟି ମଶା ମରା ଧୂଆଁ ଛଡା ମେସିନ ଗାଡି ଲୋକାର୍ପିତ କରାଯାଇଛି। ବୁଧବାର ସ୍ଥାନୀୟ ମାଙ୍ଗଲବଜାର ସ୍ଥିତ ଅଡୋଟରୀୟମ ଠାରେ ପୌର ପରିଷଦ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଯୋଗ ଦେଇଥିଲେ ।
ପୌରାଞ୍ଚଳ ଜନସାଧାରଣଙ୍କ ସୁବିଧା ଏଵଂ ସ୍ବାସ୍ଥ୍ୟକର ପରିବେଶ ପାଇଁ ୭ ଗୋଟି ମେସିନ ଗାଡ଼ି ଲୋକାର୍ପଣ କରି ପ୍ରଥମ ଥର ଝାରସୁଗୁଡ଼ା ସହରରେ ରାସ୍ତା ସଫା କରିବା ପାଇଁ ହାଇ କ୍ଲାସ ମେସିନ ଓ ମଶା ମାରିବା ଧୂଆଁ ଛଡା ମେସିନ ଗାଡ଼ିର ବ୍ୟବସ୍ଥା କରାଯାଇଛି ବୋଲି ମତ ରଖିଥିଲେ । ଏହା ସହ ମଙ୍ଗଳବଜାର ରାସ୍ତା ପିଚୁକରଣ ଏଵଂ ପୁରୁଣାବସ୍ତି ରାସ୍ତା ନିର୍ମାଣ ପ୍ରାୟ ଆରମ୍ଭ ହୋଇଛି । ଏତତ ସଙ୍ଗେ ସଙ୍ଗେ ଅନ୍ୟ ସମସ୍ତ ୱାର୍ଡ ମାନଙ୍କରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ବୋଲି କହିଥିଲେ ସେ ।
ଏହା ମଧ୍ୟ ପଢନ୍ତୁ-ଗୋଣ୍ଡ ସମାଜର ଇଷ୍ଟଦେବ ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ବିଧାୟିକା ଦୀପାଳି
ବିଧାୟିକା ଦୀପାଳି ଦାସ କହିଛନ୍ତି,''ପୌର ପରିଷଦକୁ ସଫା ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ରାସ୍ତା ସଫା କରିବାକୁ ମେସିନ ଆସିଛି । ସଫେଇ କାର୍ଯ୍ୟ ପାଇଁ ଯେଉଁଗୁଡିକୁ ଆମେ ରାଜ୍ୟ ବାହାରର ସହରରେ ଦେଖିପାରୁଛୁ ସେହିପରି ହାଇକ୍ଲାସ ମେସିନ ଆସିଛି । ପୌର ପରିଷଦରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ମାଙ୍ଗଳ ବଜାରରେ ଯେଉଁ ରୋଡ ଦେଖୁଛନ୍ତି ତାହା ପିଚୁ ହୋଇସାରିଲଣି । ପୁରୁଣା ବସ୍ତି ଗୁଡିକର କାମ ଆରମ୍ଭ ହୋଇସାରିଲାଣି । ଅନ୍ୟ ରାସ୍ତାର ଟେଣ୍ଡର ମଧ୍ୟ ବାହାରିଛି । ଯେଉଁ ଲୋକ ମାନେ କହୁଛନ୍ତି ବିକାଶ ହେଉନି ତାଙ୍କୁ ମୁଁ ଉତ୍ତର ଦେବାକୁ ଚାହିଁଛି, ଯଦି ଏମିତି ହାଇକ୍ଲାସ ମେସିନ ବିକାଶ ନୁହଁ ତ କଣ ପେଟ୍ରୋଲ ଡିଜେଲର ଦାମ ବଢିବା ବିକାଶ । ଯେଉଁମାନେ ଝାରସୁଗୁଡ଼ାର ବିକାଶ ଚାହୁଁ ନାହାଁନ୍ତି ସେମାନେ ହିଁ ଏଭଳି ମନ୍ତବ୍ୟ ଓ ଅଭିଯୋଗ ଆଣନ୍ତି । ଏଭଳି ହିନ ରାଜନୀତି ନକରି କି ଏଭଳି ମନ୍ତବ୍ୟ ନଦେଇ ଝାରସୁଗୁଡ଼ାର ବିକାଶରେ ସହାୟକ ହୁଅନ୍ତୁ । ''
ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବେ ବିରୋଧୀ ନେତା ମାନେ ପୌର ପରିଷଦର ବିକାଶ ଓ ବିଧାୟିକାଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ପ୍ରକାର ଅଭିଯୋଗ ଆଣିଥିଲେ। ଏପରି ଅଭିଯୋଗ ପରେ ଝାରସୁଗୁଡ଼ା ପୌର ପରିଷଦ ଅଧ୍ୟକ୍ଷା ରାନୀ ହାତୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୌର ପରିଷଦର ଉନ୍ନତିମୂଳକ ପ୍ରକଳ୍ପ ତଥା ସହରାଞ୍ଚଳର ଅନେକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଲୋକାର୍ପଣ ସେହି ବିରୋଧୀଙ୍କ ପ୍ରଶ୍ନର ଉଚିତ ଜବାବ ଓ ନୂତନ ଝାରସୁଗୁଡ଼ା ନିର୍ମାଣର ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି ବୋଲି ବିଧାୟିକା କହିଥିଲେ ।
ଇଟିଭି ଭାରତ, ଝାରସୁଗୁଡା