ବ୍ରହ୍ମପୁର: ଆଠ ଶହ ବରିଷ୍ଠ ନାଗରିକଙ୍କୁ ନେଇ ବାହାରିଲା ତୀର୍ଥଯାତ୍ରୀ ଟ୍ରେନ । ଦକ୍ଷିଣ ଓଡିଶାର ପାଞ୍ଚ ଜିଲ୍ଲାର ଆଠ ଶହ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ଶିରିଡି ଓ ନାସିକ ଅଭିମୁଖେ ବାହାରିଛି ଏହି ସ୍ୱତନ୍ତ୍ର ଟ୍ରେନ । ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କୁ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଏଭଳି ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରୁ ଏହି ଯାତ୍ରା ଆରମ୍ଭ କରିଛି ।
ପୂର୍ବରୁ ଆବେଦନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିଲେ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ । ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଭାରତର ୧୦ଟି ତୀର୍ଥସ୍ଥାନ ଭ୍ରମଣ କରି ଆସନ୍ତା ଫେବୃଆରୀ ୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲ୍ଲାପ୍ରଶାସନ ପାଖରୁ ସୂଚନା ମିଳିଛି । ସେପଟେ ତୀର୍ଥଯାତ୍ରୀଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପାଞ୍ଚ ଜିଲ୍ଲାର ୮ ଶହ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥ :
ଦକ୍ଷିଣ ଓଡିଶାର ପାଞ୍ଚ ଜିଲ୍ଲାର ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଶିରିଡି ଓ ନାସିକ୍ ଅଭିମୁଖେ ବାହାରିଲା ବରିଷ୍ଠ ନାଗରିକ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ । ଯେଉଁଥିରେ ୮୦୦ ଜଣ ତୀର୍ଥଯାତ୍ରୀ ଯାଇଛନ୍ତି । ଗଞ୍ଜାମ ଜିଲ୍ଲାର ୪୪୨ ଜଣ, ଗଜପତିର ୭୨ ଜଣ,କନ୍ଧମାଳର ୮୮ ଜଣ, ବୌଦ୍ଧର ୫୪ ଜଣ, ନୟାଗଡ଼ ଜିଲ୍ଲାର ୧୧୯ ଜଣ ରହିଛନ୍ତି । ସେମାନଙ୍କର ଏସ୍କର୍ଟ ପାଇଁ ୨୫ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହିଭଳି ମୋଟ ୮ ଶହ ଜଣ ଶିରିଡି-ନାସିକ ତୀର୍ଥସ୍ଥାନ ଭ୍ରମଣ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।
ଚଳିତ ବର୍ଷ ୧୦ଟି ପର୍ଯ୍ୟାୟରେ ହେବ ଯାତ୍ରା:
ଚଳିତ ବର୍ଷ ରାଜ୍ୟରେ ୮ ହଜାର ବରିଷ୍ଠ ନାଗରିକଙ୍କୁ ନେଇ ମୋଟ ୧୦ ଗୋଟି ପର୍ଯ୍ୟାୟରେ ଶିରିଡି, ନାସିକ, ଦକ୍ଷିଣେଶ୍ୱରକାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇବେ । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୩୦୩୮୮ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ୩୧ଟି ପର୍ଯ୍ୟାୟରେ ମଦୁରାଇ, ରାମେଶ୍ୱରମ, ପ୍ରୟାଗରାଜ, ବାରଣାସୀ, ହରିଦ୍ଵାର, ଋଷିକେଶ, ଆଜମେର, ପୁଷ୍କର, ତିରୁପତୀ ବାଲାଜୀ, ଭେଲୋର, ଶ୍ରୀକଳାହସ୍ତି ଇତ୍ୟାଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ।
କେଉଁ ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ?
ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଥିଲା ।
ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଚୟନ କରାଯାଉଛି । ହିତାଧିକାରୀ ଚୟନ ପାଇଁ ଅନ୍ତୋଦୟ / ଅନ୍ନପୂର୍ଣ୍ଣା କାର୍ଡ / ବିଧବା ଭତ୍ତା କାର୍ଡ / ଖାଦ୍ୟସୁରକ୍ଷା ରେସନ କାର୍ଡ / ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ରହିଥିବା ଆବଶ୍ୟକ । ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେ କୌଣସି ଜଣେ ୬୦ରୁ ଉର୍ଦ୍ଧ୍ବ ବୟସ୍କ ହେବା ଆବଶ୍ୟକ ।
ତୀର୍ଥଯାତ୍ରୀ ଚୟନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ଚୟନ କରିଥାନ୍ତି ଜିଲ୍ଲାପାଳ:
ଜିଲ୍ଲାପାଳ ମାନେ ନିଜର ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ତୀର୍ଥଯାତ୍ରୀ ଚୟନ କରିଥାନ୍ତି । ଏହି ଯୋଜନାରେ ଯିବା ପାଇଁ ଆଗ୍ରହୀ ରହିଥିବା ସଂଖ୍ୟା ବୃଦ୍ଧି ହେଲେ ଆବେଦନକାରୀମାନଙ୍କ କ୍ଷେତ୍ରରେ ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରୀ ଚୟନ କରାଯାଇଥାଏ । ଅନୁପସ୍ଥିତ ତୀର୍ଥଯାତ୍ରୀମାନଙ୍କର ଭରଣ ପାଇଁ ୨୦ ପ୍ରତିଶତ ତୀର୍ଥଯାତ୍ରୀଙ୍କର ଏକ ପ୍ରତୀକ୍ଷା ତାଲିକା (waiting list) ପ୍ରସ୍ତୁତ କରାଯାଇ ରଖାଯାଇଥାଏ ।
ତୀର୍ଥଯାତ୍ରୀଙ୍କୁ ଏଭଳି ସୁବିଧା ମିଳେ :
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ରାଜ୍ୟ ସରକାର ତୀର୍ଥଯାତ୍ରୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରିଥାନ୍ତି । ତୀର୍ଥଯାତ୍ରୀମାନଙ୍କୁ ନିଜର ଗ୍ରାମରୁ ସମ୍ପୃକ୍ତ ରେଳଷ୍ଟେସନକୁ ପରିବହନ ଓ ପ୍ରତ୍ୟାବର୍ତ୍ତନର ସୁବିଧା ପ୍ରଦାନ କରିଥାନ୍ତି । IRCTC ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ରହିବା, ଯିବା , ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । IRCTC ଦ୍ୱାରା ଏହି ଯାତ୍ରା ସମୟରେ ସୁରକ୍ଷାକର୍ମୀ,ପଥ ପ୍ରଦର୍ଶକ, ଯାତ୍ରୀବୀମା ଏବଂ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥାଏ ।
ଦେଶର କେଉଁ ରାଜ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା:
ଦେଶର ମଧ୍ୟପ୍ରଦେଶରୁ ପ୍ରଥମଥର ପାଇଁ ୨୦୧୨ ମସିହାର ସେପ୍ଟେମ୍ବର ମାସର ୩ ତାରିଖରେ ଆରମ୍ଭ ହୋଇଥିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଯାହାକୁ ମୁଖ୍ୟମନ୍ତ୍ରୀ ତୀର୍ଥ ଦର୍ଶନ ଯୋଜନା ଜୁନ୍ - ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଆମ ଦେଶର ଓଡିଶା,ହରିୟାଣା ଏବଂ ଦିଲ୍ଲୀ ଭଳି ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନେଇ ବିନା ଶୁଳ୍କରେ ଦେଶର ବିଭିନ୍ନ ସ୍ଥାନକୁ ପରିକ୍ରମା କରି ଅଣାଯାଉଥିବା ଦେଖିବାକୁ ମିଳିଛି ।
ଏଭଳି ପ୍ରତିକ୍ରିୟା ରଖିଲେ ତୀର୍ଥଯାତ୍ରୀ :
ତୀର୍ଥଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଶାସନ ଓ ସରକାରଙ୍କ ବ୍ୟବସ୍ଥାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି," ଆମ ପାଇଁ ବର୍ତ୍ତମାନ ସରକାର ଯେପରି ବ୍ୟବସ୍ଥା କରିଛନ୍ତି ,ସେଥିପାଇଁ ଖୁସି ଲାଗୁଛି । ଠିକ ସମୟରେ ଖାଇବା ପିଇବାଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଦେଉଛି ପ୍ରଶାସନ । ଫୁଲ ଦେଇ ଆମକୁ ସ୍ବାଗତ କଲେ ଏବଂ ଖାଦ୍ୟ ପାନୀୟ ଦେଇ ଆମକୁ ଟ୍ରେନରେ ବସାଇଲେ । ଆମେ ଗରିବ ଶ୍ରେଣୀର ଲୋକମାନେ ଆଜି ତୀର୍ଥ ଯାଉଛୁ । ବହୁତ ଖୁସି ଲାଗୁଛି ।ତେଣୁ ସରକରଙ୍କୁ ବହୁତ ବହୁତ ଧନ୍ୟବାଦ ।"
ଏପରି କହିଲେ ଗଞ୍ଜାମ ଜିଲ୍ଲାପାଳ:
ଏନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି,"ପାଞ୍ଚ ଜିଲ୍ଲାର ଆଠ ଶହ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ଶିରିଡି ଓ ନାସିକ୍ ଅଭିମୁଖେ ବାହାରିଛି ଏକ ସ୍ୱତନ୍ତ୍ର ଟ୍ରେନ । ଏହି ଯାତ୍ରା ପାଇଁ ୨୫ ଜଣ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତା ୨ ତାରିଖରେ ପୁଣି ଫେରିବେ । "ବ୍ରହ୍ମପୁର ରେଳ ଷ୍ଟେସନଠାରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ।
ଇଟିଭି ଭାରତ, ବ୍ରହ୍ମପୁର