ଭୁବନେଶ୍ବର: ଆଜି ୨୨ ଜୁଲାଇରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଇଁ ନାମଲେଖା । ରାଜ୍ୟର ବିଭିନ୍ନ ଯୁକ୍ତ ଦୁଇ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ 4 ଲକ୍ଷ 26 ହଜାର 472 ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଆଜି ଠାରୁ 27 ତାରିଖ ମଧ୍ୟରେ କୃତି ଛାତ୍ରଛାତ୍ରୀମାନେ ସେମାନଙ୍କ ମନପସନ୍ଦର କଲେଜରେ ନାମ ଲେଖାଇ ପାରିବେ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ:
ଡକ୍ୟୁମେଣ୍ଟ ବିଶେଷ ଭାବରେ କମନ ଫର୍ମ, କଲେଜ ପକ୍ଷରୁ ଦିଆଯାଇଥିବା ଇଣ୍ଟିମେସନ, ଦଶମ ଶ୍ରେଣୀର ଅର୍ଜିନାଲ ମାର୍କ ସିଟ୍ ଏବଂ ପାସ୍ ସାର୍ଟିଫିକେଟ, ଏସଟି ଓ ଏସସି ବର୍ଗରେ ଆବେଦନ କରିଥିଲେ ତାହାର ଅର୍ଜିନାଲ ସାର୍ଟିଫିକେଟ ଆଣିବା ସହ ଏହାର ଗୋଟିଏ ଗୋଟିଏ ନକଲ ସାର୍ଟିଫିକେଟ ଆବଶ୍ୟକ । ଏହା ବ୍ୟତୀତ ପିଲାମାନେ ଯେଉଁ ସବୁ ରିଜର୍ଭେସନ ପାଇଁ ଆବେଦନ କରିଥିବେ ସେ ସମସ୍ତ ସାର୍ଟିଫିକେଟ ଆଣିଥିବା ଆବଶ୍ୟକ । ୱାଟେଜ ସାର୍ଟିଫିକେଟ (ସ୍ପୋର୍ଟସ, ଏନଏସଏସ, ଏନସିସି) ଆଣିଥିବା ଆବଶ୍ୟକ । ଏହାସହ ଲିଭିଂ ସାର୍ଟିଫିକେଟ ଓ ଅନ୍ୟ ବୋର୍ଡର ହୋଇଥିଲେ ମାଇଗ୍ରେସନ ସାର୍ଟିଫିକେଟ ନେବା ଆବଶ୍ୟକ । ଯଦି ମାଇଗ୍ରେସନ୍ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ନାହିଁ ତେବେ ଉକ୍ତ ଛାତ୍ରଛାତ୍ରୀ ଏକ ଅଣ୍ଡର ଟେକିଂ ଲେଖିବେ । କିନ୍ତୁ 28 ତାରିଖ ସୁଦ୍ଧା ସାର୍ଟିଫିକେଟ ଡିପୋଜିଟ କରିବ ନଚେତ୍ କଲେଜରୁ ନାମକୁ କାଟି ଦିଆଯିବ ।
ବିଜେବି କଲେଜ ପ୍ରିନ୍ସପାଲଙ୍କ ପ୍ରତିକ୍ରିୟା:
ଆଡ଼ମିଶନ ପାଇଁ ବିଜେବି କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିଡ଼ ରହିଛି । ପ୍ରଥମ ପର୍ଯ୍ୟାୟରେ 80 ପ୍ରତିଶତରୁ ଉଦ୍ଧ ସିଟ ଫିଲପ ହୋଇଯିବ । ପ୍ରଥମ ପର୍ଯ୍ୟାୟ ପ୍ରବେଶିକା 22ରୁ 27 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ କ୍ଲାସ ଆରମ୍ଭ ହୋଇଯିବ । ଏହା ପରେ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ଛାତ୍ରଛାତ୍ରୀଙ୍କ ନାମେଲଖା ହେବ । ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ କ୍ଲାସ ଆରମ୍ଭ କରିବେ । ବିଜେବି କଲେଜରେ ବିଜ୍ଞାନ ପାଇଁ 544 ସିଟ ଥିବା ବେଳେ, କଳାରେ 512 ଓ ବାଣିଜ୍ୟରେ 584ଟି ସିଟ ରହିଛି । ବିଜ୍ଞାନ କଟ ଅଫ ମାର୍କରେ ବିଜେବି ତୃତୀୟ ସ୍ଥାନରେ ରହିଛି ।
ପ୍ରଥମ ଥର ପାଇଁ ବିଜେବିରେ ଡ୍ରୋନ ପାଇଲଟ କୋର୍ସ:
ବିଜେବି କଲେଜରେ ପ୍ରଥମ ଥର ପାଇଁ ଚଳିତ ଶିକ୍ଷା ବର୍ଷରେ ଆରମ୍ଭ ହେଉଛି ଭୋକେସ୍ନାଲ ସ୍କୁଲ । ଏଥିପାଇଁ ମୋଟ 24ଟି ସିଟ ରହିଛି । ବିଜେବି କଲେଜରେ ଭୋକେସନାଲ ପାଇଁ ଡ୍ରୋନ ପାଇଲଟ୍ କୋର୍ସ ରଖାଯାଇଛି । ଏହି କୋର୍ସ ପ୍ରଥମ ଥର ପାଇଁ ଭୋକେସନାଲ ସ୍କୁଲରେ ଆରମ୍ଭ ହୋଇଛି । ପୂର୍ବରୁ ଆଇଟିଆଇରେ ଡ୍ରୋନ ପାଇଲଟ୍ କୋର୍ସ ଥିଲା । ଏହି ଟ୍ରେଡ କୋର୍ସ, ବିଭିନ୍ନ କ୍ଷେତ୍ରରେ ବିଶେଷ କରି କୃଷିରେ ସାର ଓ ଔଷଧ ପକାଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ବିଜେବି ସ୍କୁଲର ପ୍ରିନ୍ସିପାଲ ରଞ୍ଜନ କୁମାର ବଳ ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ମାର୍କ; ଜାଣନ୍ତୁ କେଉଁ କଲେଜ ଆଗରେ, କେବେଠୁ ନାମଲେଖା ? - Odisha plus two cut off
ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା
ରାଜ୍ୟରେ ଯୁକ୍ତ ଦୁଇ କଟ ଅଫ୍ ମାର୍କ ପ୍ରକାଶ ପାଇଥିବା ବେଳେ ଗତବର୍ଷ ଭଳି ଚଳିତ ବର୍ଷ ଆଗରେ ରହିଛି କଟକର ରେଭେନ୍ସା କଲେଜ । ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ 4 ଲକ୍ଷ 26 ହଜାର 472 ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଏନେଇ ଆବେଦନ କରିଥିଲେ 4 ଲକ୍ଷ 76 ହଜାର 93 ଜଣ ଛାତ୍ରଛାତ୍ରୀ । କଳାରେ 2 ଲକ୍ଷ 71 ହଜାର 492 । ବାଣିଜ୍ୟରେ 24 ହଜାର 354 ଜଣ ଛାତ୍ରଛାତ୍ରୀ । ବିଜ୍ଞାନ ବିଭାଗରେ 1 ଲକ୍ଷ 17 ହଜାର 273 ଜଣ । ଧନ୍ଦାମୂଳକ ଶିକ୍ଷାରେ 4 ହଜାର 978, ଉପଶାସ୍ତ୍ରୀରେ 8 ହଜାର 375 ଚୟନ ହୋଇଛନ୍ତି । ସେଥିମଧ୍ୟରୁ ଚୟନ ହୋଇଥିବା ଛାତ୍ରଙ୍କ ସଂଖ୍ୟା 2 ଲକ୍ଷ 3 ହଜାର 755 ଜଣ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା 2 ଲକ୍ଷ 22 ହଜାର 697 । ପ୍ରଥମ ପର୍ଯ୍ୟାୟରେ 20 ଜଣ ତୃତୀୟ ଲିଙ୍ଗି ଚୟନ ହୋଇଛନ୍ତି । ଅନ୍ୟପଟେ ବାକି 49 ହଜାର 621 ଦ୍ଵିତୀୟ ପର୍ଯ୍ୟାୟରେ ଚୟନ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର