ସମ୍ବଲପୁର: ଜଙ୍ଗଲ ଜମି କ୍ଷେତ୍ରଫଳ ହିସାବରେ ଆମ ରାଜ୍ୟ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି । ଏହି ଘଞ୍ଚ ଜଙ୍ଗଲରେ ଲୁଚି ରହିଛି ଅନେକ ଐତିହାସିକ ଓ ପୌରାଣିକ ସ୍ଥଳ । ଯାହା ହଜାର ହଜାର ବର୍ଷ ପୁରୁଣା । ଗବେଶଣା ଦ୍ବାରା କେତେକ ସ୍ଥାନ ଲୋକ ଲୋଚନକୁ ଆସିଥିବା ବେଳେ କେତେକ ସ୍ଥାନ ଏବେବି ବଣ ମଲ୍ଲୀ ପରି ରହିଛି । ସମ୍ବଲପୁରରେ ଜଙ୍ଗଲ ମଧ୍ୟରେ ଏକ ଏପରି ସ୍ଥାନ ରହିଛି ଯାହା 20 ହଜାର ବର୍ଷ ପୁରୁଣା । ଆମେ କହୁଛୁ ରେଢ଼ାଖୋଲ ଉପଖଣ୍ଡ, ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତର ଲେଣ୍ଡିମାଲ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଭୀମ ମଣ୍ଡଳୀ ପାହାଡ କଥା। ଘଞ୍ଚ ଅରଣ୍ୟ ଭିତରେ ଚମ୍ପାଲି ନଦୀ ଘେରି ରହିଛି ଏହି ସ୍ଥାନକୁ l ସାଧରଣ ଲୋକଙ୍କ ପାଇଁ ଅପହଞ୍ଚ ଥିବା ଏହି ସ୍ଥାନରେ ରହିଛି ଅନେକ ଐତିହାସିକ ପ୍ରାକୃତିକ ଗୁମ୍ଫା । ଏହି ଗୁମ୍ଫା ଗୁଡିକରେ ରହିଛି ପ୍ରସ୍ତର ଯୁଗର ମାନବ ମାନଙ୍କ ଶିଳା ଲିପି ଓ ଶୈଳ ଚିତ୍ର l ଏହି ସ୍ଥାନରେ ଅନେକ ରହସ୍ୟମୟ ହୋଇଥିବା ବେଳେ ମହାଭାରତ ସହ ମଧ୍ୟ ଜଡିତ ରହିଛି ।
ପ୍ରସ୍ତର ଯୁଗୀୟ ସ୍ଥାନ:
ଛୋଟିଆ ପାହାଡ ପରି ଦୃଶ୍ୟମାନ ହେଉଥିବା ଏହି ସ୍ଥାନରେ ରହିଛି 700 ଟି ପ୍ରାକୃତିକ ଗୁମ୍ପା । ଏହା ପ୍ରସ୍ତର ଯୁଗର ହୋଇଥିବା କୁହାଯାଉଥିବା ବେଳେ କାନ୍ଥ ଗୁଡିକରେ ସେ ସମୟର ଶୀଳାଲେଖ ରହିଛି । ଭୀମମଣ୍ଡଳୀ ବିଷୟରେ କେଵଳ ସ୍ଥାନୀୟ ଲୋକ ଜାଣିଛନ୍ତି । ଏ ବର୍ତ୍ତମାନ ସୁଦ୍ଧା ଏହାକୁ ପର୍ଯ୍ୟଟନ କି ପ୍ରତ୍ନତତ୍ତ୍ୱ ବିଭାଗର ମାନ୍ୟତା ମିଳି ପାରିନି । ଏଠାରେ ଥିବା ଶିଳାଲିପି ଓ ଶୈଳଚିତ୍ର କୁ 20 ହଜାର ବର୍ଷ ପୁରୁଣା ବୋଲି ସ୍ଥାନୀୟ ଐତିହାସିକ କହୁଛନ୍ତି । ଏନେଇ ଗବେଷଣା କରାଗଲେ ଇତିହାସକୁ ଆହୁରି ତଥ୍ୟ ମିଳନ୍ତା ବୋଲି ଐତିହାସିକ କହୁଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ଐତିହାସିକ ସ୍ଥଳ ବୋଲି ମାନ୍ୟତା ଦେଉ ଓ ଏହାର ସଂରକ୍ଷଣ କରୁ ବୋଲି ଦାବି ହୋଇ ଆସୁଛି ।
କେଉଁଠି ଅଛି ଏହି ସ୍ଥାନ, କଣ ରହିଛି ଭୌଗୋଳିକ ଅବସ୍ଥିତି:
ସମ୍ବଲପୁରରୁ କଟକ 55 ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ 1 ଘଣ୍ଟା 15 ମିନିଟରେ 67 କିମି ଅତିକ୍ରମ କରିବା ପରେ ଆସିଥାଏ ରେଢ଼ାଖୋଲ ସହର l ଏହାର ଟିକିଏ ଆଗକୁ ବାମ ପଟ ରାସ୍ତାରେ 20 କିମି ଅତିକ୍ରମ କଲେ ଆସିଥାଏ ଶିମିଳିପାଳ ଗାଁ l ସେହି ଶିମିଳିପାଳ ଗାଁରୁ ପରେ ଆସିଥାଏ ଘୋଷରାମାଲ ଗ୍ରାମ ପଞ୍ଚାୟତ । ଏହି ଠାରୁ ପ୍ରାୟ 5 କିମି ଅଣ ଓସାରିଆ ଜଙ୍ଗଲୀ ରାସ୍ତା ଅତିକ୍ରମ କଲା ପରେ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ଭୀମ ମଣ୍ଡଳୀ l ଏହି ପାହାଡିଆ ଅଞ୍ଚଳକୁ ଚମ୍ପାଲି ନଦୀ ଘେରିକି ରହିଛି l ଏହି ଅଞ୍ଚଳ ରେ ହାତୀ ସହିତ ବିଭିନ୍ନ ପ୍ରକାର ବନ୍ୟ ଜନ୍ତୁ ରୁହନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି l
ମହାଭାରତ ସହ ଜଡିତ ଏହି ସ୍ଥାନ, କାହିଁକି ଏହାର ନାମ ଭୀମ ମଣ୍ଡଳୀ ?:
ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ସ୍ଥାନର ଏକ କିମ୍ବଦନ୍ତୀ ବା ପୌରାଣିକ ବିଶ୍ୱାସ ରହିଛି । ମହାଭାରତ ଯୁଗରେ ବନବାସ ସମୟରେ ପାଣ୍ଡଵ ମାନେ ଏଠାରେ କିଛି ସମୟ ରହିଥିଲେ । ଆଉ ଦ୍ଵିତୀୟ ପାଣ୍ଡଵ ଭୀମଙ୍କ ନାମ ଅନୁସାରେ ଏହି ସ୍ଥାନର ନାମ ଭୀମ ମଣ୍ଡଳୀ ହୋଇଛି ବୋଲି । କିଶୋର ଚନ୍ଦ୍ର ସ୍ୱାଇଁ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କୁହନ୍ତି, " ପାଣ୍ଡଵ ମାନେ ଯଦୁ ଗୃହରୁ ବାହାରିବା ପରେ, ସେ ସମୟରେ ସେମାନେ ଏଠାରେ କିଛି ସମୟ ଅତିବାହିତ କରିଥିଲେ l ଲୋକମତ ଅନୁସାରେ ଭୀମ ଏଠାରେ ଥିବା ନଦୀ (ଚମ୍ପାଲି ନଦୀ) ରେ ଘାଇ (ଏକ ପ୍ରକାର ବନ୍ଧ ) ବାନ୍ଧୁଥିଲେ l ସେହି ସମୟରେ ତାଙ୍କ ମାଟ ତାଙ୍କୁ କୁଣ୍ଡା ପିଠା ଖାଇବାକୁ ଡାକିଥିଲେ l ସେହି ସମୟରେ ଭୀମ ନଦୀରେ ଉଲଗ୍ନ ଅବସ୍ଥାରେ ଥିବାରୁ ଲଜ୍ୟାବଶତଃ ସେଠାରେ ଥିବା ଏକ ଗୁମ୍ଫା ଭିତରେ ଆଣ୍ଠେଇକି ପଶି ଯାଇଥିଲେ l ସେହି ସ୍ଥାନକୁ ଭୀମଦଳି କୁହା ଯାଉଥିଲା l ପରେ ଅପଭ୍ରଂସ ହୋଇ ଏହାର ନାଁ ଭୀମ ମଣ୍ଡଳୀ ହୋଇ ରହିଛି l ଆଜି ବି ଏଠାରେ ଥିବା ଏକ ଗୁମ୍ଫାରେ ଭୀମଙ୍କ ଆଣ୍ଠୁ ର ଅଛି ବୋଲି ବିଶ୍ୱାସ ରହିଛି l ଅନ୍ୟପଟେ ଏହି ସ୍ଥାନରେ ଯୁଧିଷ୍ଠିରରଙ୍କ ସଭାସ୍ଥଳ ମଧ୍ୟ ରହିଛି ବୋଲି ସ୍ଥାନୀୟ ଲୋକ କୁହନ୍ତି । "
ଇତିହାସ ସହ ଜଡିତ ସ୍ଥାନ:
ଏଠାରେ ଐତିହାସିକ ଦୃଷ୍ଟି କୋଣରୁ ମଧ୍ୟ ବିଶ୍ୱାସ ରହିଛି l ଏନେଇ ସ୍ଥାନୀୟ କିଶୋର ସ୍ୱାଇଁ କୁହନ୍ତି, " ପ୍ରସ୍ତର ଯୁଗର କଥା ଏଠାରେ ଥିବା ଗୁମ୍ଫା ରେ ଲେଖା ଅଛି । ଏହା 20 ହଜାର ବର୍ଷ ତଳର ବୋଲି ଲୋକେ କୁହନ୍ତି l ଏଠି ଯଦି ପ୍ରଶାସନ ଦୃଷ୍ଟି ଦେବେ ତେବେ ଲୋକମାନେ ଉପକୃତ ହେବେ ଓ ଏହି ସ୍ଥାନର ବିଶେଷତ୍ୱ ବଢ଼ିଯିବ । ଜଙ୍ଗଲ ଭିତରେ ଥିବାରୁ ଲୋକ ଲୋଚନ କୁ ଆସୁନାହିଁ, ତେଣୁ ଦାବି କରୁଛୁ ପ୍ରଶାସନ କିଛି କଲେ ଉପକୃତ ହେବୁ ।
ତପସ୍ୟା କରନ୍ତି ସନ୍ୟାସୀ:
କିଛି ସନ୍ୟାସୀ ବର୍ଷକରେ ଥରେ ଆସି ଏଠାରେ ତପସ୍ୟା କରନ୍ତି l ଏହି ସ୍ଥାନର ପ୍ରାକୃତିକ ଓ ଶାନ୍ତ ପରିବେଶ ତପସ୍ୟା ପାଇଁ ଉତ୍କୃଷ୍ଟ ଅଟେ ବୋଲି ସ୍ଥାନୀୟ ଲୋକ କୁହନ୍ତି l ଏଠାରେ ଥିବା ଗୁପ୍ତେଶ୍ୱର ଶିବ ଭଗବାନଙ୍କ ଗୁମ୍ଫାରେ ଏବେ ମଧ୍ୟ ଭକ୍ତ ମାନେ ଆସି ମାନସିକ ପୁରଣ ପାଇଁ ଦିନ ଦିନ ଧରି ଅଧିଆ ପଡନ୍ତି l ଯିଏ ବି ଏଠାରେ 3 ଦିନ ଧରି ଅଧିଆ ପଡେ ତାର ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି l ଅନ୍ୟ ପଟେ ରାତ୍ରୀ ସମୟରେ ଏହି ସ୍ଥାନରେ ଯୋଗୀଙ୍କ ମନ୍ତ୍ରଚାରଣ ଗୁଞ୍ଜରଣର ଶବ୍ଦ ଶୁଭେ ବୋଲି ଲୋକେ କୁହନ୍ତି l ଏଠାକୁ ଆସିଲେ ଅପୂର୍ବ ଶାନ୍ତିର ଅନୁଭୂତ ହେଉଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ସହଜରେ କ୍ଲାନ୍ତି ଅନୁଭବ କରେ ନାହିଁ ବୋଲି କୁହାଯାଏ l ସ୍ଥାନରେ ଔଷଧୀୟ ବୃକ୍ଷ ରାଜିର ପ୍ରଭାବରେ ଏମିତି ହୁଏ ବୋଲି ସ୍ଥାନୀୟ ବ୍ୟକ୍ତି କିଶୋର ଚନ୍ଦ୍ର ସ୍ୱାଇଁ କୁହନ୍ତି l
କଣ ରହିଛି ପ୍ରତ୍ନତାତ୍ତ୍ବିକ ମହତ୍ୱ ଆଉ ଇତିହାସ:
କଣ ରହିଛି ପ୍ରତ୍ନତାତ୍ତ୍ବିକ ମହତ୍ୱ ଆଉ ଇତିହାସ:ଭୀମ ମଣ୍ଡଳୀ ସଂଘର ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ କୁହନ୍ତି, " ଭୀମ ମଣ୍ଡଳୀର ଶିଳାଲିପି ପ୍ରସ୍ତର ଯୁଗୀୟ ମାନବ ମାନଙ୍କ ଦ୍ୱାରା ଖୋଦିତ ହୋଇଛି । ଏଠାରେ ଥିବା ଶିଳାଲିପିକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) 1998 ରେ ସର୍ଭେ କରିଥିଲା l ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସଦାଶିବ ପ୍ରଧାନ ଏହା ଉପରେ ସର୍ଭେ କରିଛନ୍ତି l ପ୍ରତ୍ନତାତ୍ତ୍ବିକ ବିଭାଗର ଛାତ୍ରଆରକ୍ଷିତ ପ୍ରଧାନ ଏହା ଉପରେ କାମ କରୁଛନ୍ତି ଓ ଡକ୍ୟୁମେଣ୍ଟେସନ କରିଛନ୍ତି l ତେବେ ଏହାକୁ ସର୍ବ ସମ୍ମୁଖକୁ ଆସିନାହିଁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସୁରକ୍ଷା, ସଂରକ୍ଷଣ ପାଇଁ କାର୍ଯ୍ୟ ମଧ୍ୟ କରି ନାହାନ୍ତି l ଏଠାରେ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର ଖୋଦିତ ଶିଲାଲିପି ଓ ଚିତ୍ର ଅଛି l ଏହି ସ୍ଥାନରେ ପ୍ରସ୍ତର ଯୁଗୀୟ ମାନବଙ୍କ ନିରନ୍ତର ବିକାଶ ହୋଇଥିଲା l ଏହା 100 କି 200 ବର୍ଷ ପୁରୁଣା କଥା ନୁହେଁ ହଜାର ହଜାର ହଜାର ବର୍ଷ ପୁରୁଣା କଥା l ପ୍ରତ୍ନତତ୍ତ୍ୱବିତ ଙ୍କ ମତରେ ଏଠାରେ ଥିବା ଏହି ସଭ୍ୟତା 20 ହଜାର ବର୍ଷ ତଳରୁ ଆରମ୍ଭ ହୋଇ 5000 ବର୍ଷ ତଳ ଅର୍ବାନ ସେଟଲମେଣ୍ଟ ଆରମ୍ଭ ପର୍ଯ୍ୟନ୍ତ ଚାଲିଥିଲା ବୋଲି ଜିଏମ ୟୁନିଭରସିଟିର ପ୍ରଫେସର ଅତୁଲ ପ୍ରଧାନ ରସର୍ଚ୍ଚ କରି କହିଛନ୍ତି l INTACH ସମ୍ବଲପୁର ଚେପଟରର ଦୀପକ ପଣ୍ଡାଙ୍କ ଅନୁସାରେ ଏଠାରେ 700 ଟି ଶୈଳଶ୍ରୟ ବା ପ୍ରାକୃତିକ ଗୁମ୍ପା ରହିଛି l ଏଥିରୁ କେବଳ 5 ରୁ 7 ଟି ଗୁମ୍ଫାର ଡକ୍ୟୁମେଣ୍ଟେସନ ହୋଇଛି l ଅନ୍ୟ ସବୁ ହୋଇନାହିଁ ।''
ଉନ୍ନତିକରଣ ପାଇଁ ଦାବି:
ସ୍ଥାନୀୟ ସରପଞ୍ଚ ପ୍ରେମଶିଲା ପ୍ରଧାନ କହିଛନ୍ତି, ''ଏଠାରେ ଥିବା ଶୈଳ ଚିତ୍ର 20 ହଜାର ବର୍ଷ ପୁରୁଣା ଅଟେ l ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଏକ 40 ଜଣିଆ ଟିମ ଏହା ପ୍ରସ୍ତର ଯୁଗର ଓ 20 ହଜାର ବର୍ଷ ପୁରୁଣା ବୋଲି ଆବିସ୍କାର କରିଥିଲେ l ଏଗୁଡିକୁ କେଵଳ ଆମେ ଦେଖି ପାରୁଛୁ, ଏହାକୁ ଉନ୍ନତିକରଣ କରାଗଲେ ଅନ୍ୟ ଅଞ୍ଚଳର ଲୋକେ ମଧ୍ୟ ଏହାକୁ ଦେଖି ପାରନ୍ତେ ଓ ଜାଣି ପାରନ୍ତେ l ଗମନା ଗମନର ସୁବିଧା ନଥିବାରୁ ଏହି ସ୍ଥାନକୁ କେହି ଆସୁ ନାହାଁନ୍ତି । ଏହା ଉପାନ୍ତ ଅଞ୍ଚଳରେ ଥିବାରୁ ଲୋକ ଲୋଚନକୁ ଆସୁନି କି ସରକାରଙ୍କ ଦୃଷ୍ଟି ପଡୁନି l ଏହାର ଉନ୍ନତି ଓ ସଂରକ୍ଷଣ ସୁରକ୍ଷା ପାଇଁ ବହୁତ ଥର ଦାବି ପତ୍ର ଦେଇଛୁ l ଉନ୍ନତିକରଣ କରାଗଲେ ସ୍ଥାନୀୟ ଲୋକେ ଆର୍ଥିକ ସ୍ୱଚ୍ଛଳ ହୁଅନ୍ତେ l "
ରକ୍ଷଣବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ଗୁମ୍ଫା:
ଏହା ଉପରେ ଗବେଷଣା କରୁଥିବା ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ମୂଖ୍ୟ ଡ଼ ଅତନୁ କୁମାର ପ୍ରଧାନ କୁହନ୍ତି, "ଭୀମ ମଣ୍ଡଳୀରେ ଯେଉଁ ଶୈଳଚିତ୍ର ଅଛି ଏଗୁଡିକ ବହୁତ ପ୍ରାଚୀନ ଶୈଳଚିତ୍ର l ଓଡିଶାର ପ୍ରାଚୀନତମ ଶୈଳଚିତ୍ର ମଧ୍ୟରୁ ଏହା ମଧ୍ୟ ଗୋଟିଏ ଅଟେ l ଏଠାରେ ଶୈଳଚିତ୍ର ଓ ଶୈଳଲିପି 2 ଟା ଯାକ ମିଳୁଛି l ଯଦି ଆମେ ଐତିହାସିକ କାଳ ନିର୍ଦ୍ଧାରଣ କରିବା ଆମକୁ 20 ହଜାର ବର୍ଷ ପୁରୁଣା ବୋଲି ଜଣାପଡୁଛି l ଏଠାରେ ଥିବା ସବୁ ଗୁମ୍ଫା ଗୁଡିକ ପ୍ରାକୃତିକ ଅଟେ l ପ୍ରାକ ଐତିହାସିକ ଯୁଗର ଲୋକମାନେ ଏଠାରେ ଏଠି ବସତି ସ୍ଥାପନା କରିଥିଲେ ଏବଂ ଏଠି ସେମାନେ ଶୈଳଚିତ୍ର ଗୁଡିକ ଆଙ୍କି ଥିଲେ l ଏଠି ଥିବା ଶୈଳଚିତ୍ର ଗୁଡିକ ବହୁତ ଖାସ, ତେବେ ଦୁଃଖର ବିଷୟ ହେଉଛି ଗୁମ୍ଫା ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ହୋଇ ଗଲାଣି । ଫଳରେ ପେଣ୍ଟିଙ୍ଗ ଗୁଡିକ ମଧ୍ୟ କ୍ଷତି ଗ୍ରସ୍ତ ହୋଇଗଲାଣି l ଯଦି ପ୍ରକୃତ ପକ୍ଷରେ ଏଠି ସର୍ବେକ୍ଷଣ ହୁଅନ୍ତା, ସେହି ଆମଝୋଲଖୋଲ ପାଖରୁ, ଯେଉଁଠି ଆଉ 100 ରୁ 200 ଗୁମ୍ଫା ଥିବାର ଜଣା ପଡୁଛି, ତାକୁ ଯଦି ସର୍ବେକ୍ଷଣ କରାଯାଆନ୍ତା ଆଉ ନୂଆଁ ତଥ୍ୟ ସାମ୍ନାକୁ ଆସନ୍ତା l "
ସୁକ୍ଷ୍ମ ପ୍ରସ୍ତର ଯୁଗର ଶୈଳଚିତ୍ର:
ସେ ଆହୁରି କହିଛନ୍ତି, " ଏଠାରେ ଥିବା ଶୈଳଚିତ୍ର ଗୁଡିକ ସୁକ୍ଷ୍ମ ପ୍ରସ୍ତର ଯୁଗର ଶୈଳଚିତ୍ର ଅଟେ l ଏହାକୁ ଆମେ 10 ହଜାର ବର୍ଷ ପୁରୁଣା ଶୈଳଚିତ୍ର ବୋଲି କହିପାରିବା କିନ୍ତୁ ଏଠାରେ ମିଳୁଥିଲା ଖୋଦିତ ଓ ପଥର ନିର୍ମିତ ହାତ ହତିଆର ଗୁଡିକ ପ୍ରାଚୀନ ପ୍ରସ୍ତର ଯୁଗର ବୋଲି ଜଣା ପଡୁଛି l ତେଣୁ ଏହା 20 ହଜାର ବର୍ଷ ପୁରୁଣା ବୋଲି ଆମେ କହି ପରିବା l ଏଠାରେ ରହୁଥିବା ଲୋକେ ସବୁ ଯାଯାବର ଥିଲେ l ତେଣୁ ଏହି ସ୍ଥାନର ଗବେଷଣା କରଗାଲେ ବିକାଶ ପାରନ୍ତା ଓ ଇତିହାସରେ ସ୍ଥାନ ପାଇବା ସହିତ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇ ପାରନ୍ତା l"
ସମ୍ବଲପୁରରୁ ବାଦଶାହ ଜୁସମନ ରଣାଙ୍କ ରିପୋର୍ଟ, ଇଟିଭି ଭାରତ