ପୁରୀ: ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ତେବେ ଚଳିତ ବର୍ଷ ଗୋଟିଏ ଦିନରେ ପଡ଼ୁଛି ଶ୍ରୀଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ । ରଥଯାତ୍ରା ନୀତି ସମ୍ପାଦନ ନେଇ ଚିନ୍ତାରେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ। ତେବେ ଦୀର୍ଘ 53 ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ଅଣସର 15 ଦିନ ପରିବର୍ତ୍ତେ 13 ଦିନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଥିବାରୁ ଦୁଇ ଦିନର ନୀତି ଗୋଟିଏ ଦିନରେ କିଭଳି ସମ୍ପାଦନ ହେବ ସେନେଇ ଚିନ୍ତା ବଢୁଛି।
ଚଳିତ ବର୍ଷ ରଥଯାତ୍ରାରେ ରଥଟଣା ବିଳମ୍ବ ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। ଏଣୁ ସନ୍ଧ୍ୟା ପୂର୍ବରୁ ପରମ୍ପରା ଅନୁଯାୟୀ କେବଳ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଳ୍ପ କିଛି ବାଟ ଟଣାଯାଇ ପରଦିନ ତିନି ରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ଚଳିତ ବର୍ଷ ଯେଭଳି ରଥଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ତିଥି ପଡ଼ିଛି ଗତ 1971 ମସିହାରେ ଏହି ସମାନ ତିଥି ପଡ଼ିଥିଲା। ତେବେ ଶ୍ରୀମନ୍ଦିର ଦୈନିକ ଲିଖିତ ଡାଏରୀରୁ ମିଳିଥିବା ତଥ୍ୟ ଅନୁଯାୟୀ 1971 ମସିହାରେ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବ ଦିନ ପଟି ଦିଅଁଙ୍କ ଠାରୁ ସକାଳ ଧୂପ ନୀତି ପରେ ରଥକୁ ଆଜ୍ଞାମାଳ ବିଜେ କରିଥିଲା। ପରେ ତିନି ରଥକୁ ଶ୍ରୀମନ୍ଦିର ସିଂହ ଦ୍ଵାରକୁ ଅଣାଯାଇଥିଲା। ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଅତୀତରେ ପାଳନ ହୋଇଥିବା ବିଧି ବିଧାନକୁ ଅନୁକରଣ କରାଯାଏ। ଚଳିତ ବର୍ଷ ରଥଯାତ୍ରାରେ ମଧ୍ୟ ଗତ 1971 ମସିହାରେ ପାଳନ ହୋଇଥିବା ନୀତି ଅନୁସରଣ କରାଯାଇ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର ସୂଚନା ଦେଇଛନ୍ତି।
1971 ମସିହା ପୂର୍ବରୁ 1909 ମସିହାରେ ମଧ୍ୟ ଗୋଟିଏ ଦିନରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସହ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ନିତି ଅନୁଷ୍ଠିତ ହୋଇଥିଲା। ସେପଟେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି ପ୍ରତି 40 ରୁ 50 ବର୍ଷ ମଧ୍ୟରେ ଏଭଳି କ୍ଷୟ ତିଥି ପଡ଼ିଥାଏ। ଏଣୁ ପୂର୍ବରୁ ଶ୍ରୀମନ୍ଦିରର ଥିବା ପରମ୍ପରା ଓ ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳାରେ ଆୟୋଜନ ହେବ। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପଡ଼ିଥିବାରୁ ନିତି ସମ୍ପାଦନ ପାଇଁ ସମୟ ଅଭାବ ହେତୁ ଚଳିତବର୍ଷ ଭକ୍ତ ମାନେ ନବ ଯୌବନ ଦର୍ଶନରୁ ବଞ୍ଚିତ ହେବେ। ଭକ୍ତଙ୍କ ପାଇଁ ନବ ଯୌବନ ଦର୍ଶନ ବ୍ୟବସ୍ଥା ହେବ ନାହିଁ ବୋଲି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଇଟିଭି ଭାରତ, ପୁରୀ