ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମମତା ମହାନ୍ତ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଗତକାଲି ଭାରତୀୟ ଜନତା ପାର୍ଟି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ରାଜ୍ୟସଭା ପଦରୁ ଓ ବିଜେଡିରୁ ଇସ୍ତଫା ଦେଇ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ତାଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ଏକମାତ୍ର ଆସନରେ ରାଜ୍ୟସଭା ନିର୍ବାଚନ ହେଉଛି । ବିଜେପି ତାଙ୍କୁ ହିଁ ପ୍ରାର୍ଥୀ କରିଛି । ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂହ ତୋମର ପ୍ରମୁଖ ଉପସ୍ଥିତ ଥିଲେ । ମମତା 3 ସେଟ ନାମାଙ୍କନ ଭରିଛନ୍ତି । ସେପଟେ ସ୍ବାଧୀନ ଭାବେ ମଧ୍ୟ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।
ଦିଲ୍ଲୀରେ ରାଜ୍ୟର ସ୍ବର ହେବି
ନାମାଙ୍କନ ଅବସରରେ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି,‘‘ଦଳର ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଦେବି । ଆଜି ମୋତେ ଯେଉଁ ଆଶୀର୍ବାଦ କରିଛନ୍ତି । ମୁଁ ନିଶ୍ଚିତ ଭାବେ ରାଜ୍ୟ ,ମୋ ଅଞ୍ଚଳବାସୀଙ୍କ ପାଇଁ ଓଡ଼ିଶାର ସ୍ୱର ରାଜ୍ୟସଭାରେ ଉଠାଇବି । ମୁଁ ସଂକଳ୍ପ ନେଉଛି ଲୋକଙ୍କ ସେବା କରିବି ,ମୟୁରଭଞ୍ଜର ସେବା କରିବି, ମୋ ସମାଜର ବିକାଶ କରିବି । ରାଜ୍ୟସଭାରେ ଓଡ଼ିଶାର ସ୍ୱର ହୋଇ ମୋ କଥା ଉତ୍ଥାପନ କରିବି। ’’ ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି "ବିଜେପି କେନ୍ଦ୍ର ସଂସଦୀୟ ବୋର୍ଡ଼ ପକ୍ଷରୁ ମମତା ମହନ୍ତଙ୍କ ନାଁରେ ରାଜ୍ୟସଭା ପ୍ରାର୍ଥୀ ଭାବେ ମୋହର ବାଜିଛି । ଆଜି ସେ ବିଧାନସଭାରେ ନାମାଙ୍କନ କରିଛନ୍ତି । ଆମେ ଆଶା କରୁଛୁ ମମତା ମହନ୍ତ ବିଜୟୀ ହେବେ ଏବଂ ଦିଲ୍ଲୀରେ ଓଡିଶାକୁ ବିଜେପିରୁ ପ୍ରତିନିଧିତ୍ୱ କରିବେ ।

କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ ମମତା:
କୁଡୁମୀ ସମ୍ପ୍ରଦାୟର ଆଗଧାଡିର ନେତ୍ରୀ ମମତା 2020ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ 2026ରେ ଶେଷ ହେବାର ଥିଲା । ମାତ୍ର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସଦସ୍ୟତା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ପରେ ତାଙ୍କ ଇସ୍ତଫାରେ ଖାଲି ପଡିଥିବା ଆସନରେ ଉପନିର୍ବାଚନ ଘୋଷଣା ହୋଇଥିଲା । ତାଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ପ୍ରଥମ ଦିନରୁ ଚର୍ଚ୍ଚା ହେଉଥିଲା ।

ଗତକାଲି 9 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି:
ଗତକାଲି ଭାରତୀୟ ଜନତା ପାର୍ଟି 9 ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଓଡ଼ିଶାରୁ ମମତା ମହନ୍ତ, ରାଜସ୍ଥାନରୁ ରଭନୀତ ସର୍ଦ୍ଦାର ସିଂ ବିଟ୍ଟୁ, ହରିୟାଣାରୁ କୀରଣ ଚୌଧୁରୀ, ତ୍ରୀପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ, ମଧ୍ୟପ୍ରଦେଶରୁ ଜର୍ଜ କୁରିୟାନ, ମହାରାଷ୍ଟ୍ରରୁ ଧର୍ଯ୍ୟଶୀଳ ପାଟିଲ ବିହାରରୁ ମନନ କୁମାର ମିଶ୍ର, ଆସାମରୁ ମିଶନ ରଞ୍ଜନ ଦାସ ଓ ରାମେଶ୍ବର ତେଲିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

୯ଟି ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ହେଉଛି :-
ଦେଶର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଥିବା ବେଳେ ଅଗଷ୍ଟ ୧୪ ତାରିଖରୁ ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି (ଅଗଷ୍ଟ ୨୧ ତାରିଖ) ନାମାଙ୍କନ ଭରିବାର ଶେଷ ତାରିଖ ଥିବା ବେଳେ କାଲି ହିଁ ବିଜେପି ପ୍ରାର୍ଥୀ ଭାବରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମମତା ମହନ୍ତ ।

ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ:
ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବିଜେପି ସମର୍ଥକଙ୍କ ସହ ରାଜ୍ୟସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ଗତ 2024 ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ 37 ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅନନ୍ତ ନାରାୟଣ ଜେନାଙ୍କ ଠାରୁ 37 ଖଣ୍ଡ ଭୋଟରେ ହାରି ଯାଇଥିଲେ। ପୂର୍ବରୁ 2019 ନିର୍ବାଚନରେ ଜଗନ୍ନାଥ ପ୍ରଧାନ 12 ହଜାର ଭୋଟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଠାରୁ ହାରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର