ଭୁବନେଶ୍ୱର: ଫିଲ୍ମି ଫ୍ରାଇଡ ଅର୍ଥାତ୍ ମେ ୧୦(ଆଜି)ରେ ରିଲିଜ ହେଲା ବଲିଉଡ଼ ସିନେମା 'ଶ୍ରୀକାନ୍ତ' । ଏଥିରେ ରାଜକୁମାର ରାଓ ମୁଖ୍ୟ ଚରିତ୍ରରେ ରହିଥିବା ବେଳେ ଦୃଷ୍ଟିହୀନ ବ୍ୟକ୍ତିଙ୍କ କାହାଣୀ ଏବଂ ସଂଘର୍ଷକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ଏପରି ସମୟରେ ଏହି ଫିଲ୍ମକୁ ଦେଖିବାକୁ ଦୃଷ୍ଟିବାଧିତଙ୍କ ପାଇଁ ରାଜଧାନୀରେ କରାଯାଇଛି ଏକ ସ୍ୱତନ୍ତ୍ର ସିନେମା ଶୋ' । ଯେଉଁଥିରେ ଭୁବନେଶ୍ୱରର ଥିବା ବିଭିନ୍ନ ବୟସର ଦୃଷ୍ଟିବାଧିତ ମାନେ ଆସି ଫିଲ୍ମ ଦେଖିଛନ୍ତି । ତେବେ ଫିଲ୍ମ ଦେଖି ସମସ୍ତେ ଏହାକୁ ବେଶ ଉପଭୋଗ କରିଥିବା ପ୍ରକାଶ କରିଛନ୍ତି ଏବଂ ଲୋକଙ୍କୁ ଏହି ଫିଲ୍ମ ଦେଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।
ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଶୋ'
ଭୁବନେଶ୍ୱରର ଏକ ସ୍ବେଛାସେବୀ ସଂଗଠନ ପକ୍ଷରୁ କେଶରୀ ହଲରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଏହି ସ୍ୱତନ୍ତ୍ର ଶୋ' ହୋଇଛି । କାରଣ ଏହି ସିନେମା ସମାଜରେ ଅକ୍ଷମତା ଭିତରେ ଥିବା ସକ୍ଷମତାର ସାହସକୁ ଓ ତାର ଲଢ଼ିବାର ଶକ୍ତିକୁ ପ୍ରତିପାଦିତ କରିଛି । ତେବେ ଦୃଷ୍ଟିବାଧିତଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଓ ସେମାନଙ୍କୁ ଦୃଢତାର ସହ ସବୁ ପରିସ୍ଥିତିକୁ ସାମ୍ନା କରିବାର କିଛି ପ୍ରେରଣା ଦେବା ପାଇଁ ସିନେମା ମାଧ୍ୟମରେ ଏହି ପ୍ରୟାସ କରିଛନ୍ତି ସ୍ବେଛାସେବୀ ସଂଗଠନ ।
'ଶ୍ରୀକାନ୍ତ' ଦେଖି ଖୁସି ବ୍ୟକ୍ତ କଲେ ଦିବ୍ୟାଙ୍ଗ
ସେପଟେ 'ଶ୍ରୀକାନ୍ତ' ଦେଖି ବେଶ ଖୁସି ବ୍ୟକ୍ତ କରିଛନ୍ତି ସିନେମା ଦେଖିବାକୁ ଆସିଥିବା ଦିବ୍ୟାଙ୍ଗ । ଶ୍ରୀକାନ୍ତ ସିନେମା କେବଳ ଦୃଷ୍ଟିବାଧିତଙ୍କ ପାଇଁ ନୁହେଁ ପୁରା ସମାଜ ପାଇଁ ଏକ ପ୍ରେରଣାଦାୟୀ ସିନେମା । ଯାହା ସବୁ ମଣିଷକୁ ସଂଘର୍ଷ ଓ ସମାଜର କସଘାତରୁ ବାହାର କରି ନିଶ୍ଚୟ ମନୋବଳକୁ ଦୃଢ କରାଇବା ଏବଂ ଜିତିବା ଶିଖାଇବ। ତେଣୁ ଏଭଳି ଏକା ସିନେମାକୁ କେବଳ ଆମେ ନୁହେଁ ସମସ୍ତେ ଆସି ଦେଖନ୍ତୁ ବୋଲି କହିଛନ୍ତି ଦିବ୍ୟାଙ୍ଗ ।
'ଶ୍ରୀକାନ୍ତ' ଫିଲ୍ମର କାହାଣୀ
କହିରଖୁଛୁ କି, ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶିତ ଶ୍ରୀକାନ୍ତ ଫିଲ୍ମଟି ଦୃଷ୍ଟିହୀନ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ ଅଟେ । ଏହି ଫିଲ୍ମରେ ରାଜକୁମାର ରାଓ ଶ୍ରୀକାନ୍ତ ବୋଲାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ରାଜକୁମାର ରାଓଙ୍କ ବ୍ୟତୀତ ଜ୍ୟୋତିକା, ଅଲାୟା ଏଫ ଏବଂ ଶରଦ କେଲକର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ଶ୍ରୀକାନ୍ତ ବୋଲା କିଏ ?
ଭିଜୁଆଲି ଚ୍ୟାଲେଞ୍ଜ ହୋଇଥିବା ଶିଳ୍ପପତି ଶ୍ରୀକାନ୍ତ ବୋଲାଙ୍କ କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ସେ ବିଜ୍ଞାନ ପ୍ରତି ବହୁତ ଆଗ୍ରହୀ ଥିଲେ। ହେଲେ ସେ ଦୃଷ୍ଟିହୀନ ହୋଇଥିବାରୁ ଆଗକୁ ପଢିବାରେ ଅକ୍ଷମ ଦର୍ଶାଯାଇଥିଲା । ଯାହା ପରେ ସେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହାରମାନି ନଥିଲେ ଏବଂ ସେ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢାଇ କରି ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲେ । ଶ୍ରୀକାନ୍ତ ଏକ ବୋଲାଣ୍ଟ ଇଣ୍ଡଷ୍ଟ୍ରି (Bollant Industries) ପ୍ରତିଷ୍ଠା କରିଥିଲେ ଏବଂ ଏହି କମ୍ପାନୀରେ ତାଙ୍କ ପରି ଲୋକମାନଙ୍କୁ ଚାକିରି କରିବାକୁ ଅବସର ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ତାଙ୍କ ଷ୍ଟାର୍ଟଅପରେ ପ୍ରଥମ ପୁଞ୍ଜି ବିନିଯୋଗ ରାଷ୍ଟ୍ରପତି ଅବଦୁଲ କଲାମ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଶ୍ରୀକାନ୍ତ ଟ୍ରେଲର ଆଉଟ୍, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢିବେ ରାଜକୁମାର ରାଓ
ଇଟିଭି ଭାରତ, ଭୁବନେଶ୍ୱର