ହାଇଦ୍ରାବାଦ: ବନସ୍ତେ ଡାକିଲା ଗଜ... ବରଷକେ ଥରେ ଆସିଛି ରଜ... ଆଜିଛି ରଜଲୋ ଘେନି ନୂଆ ସଜବାଜ । ଆଜି ପହିଲି ରଜ... ସକାଳୁ ସକାଳୁ ଗାଁ ଗଣ୍ଡାର ଆମ୍ବ ତୋଟାରୁ ଶୁଣିବାକୁ ମିଳିଲାଣି ଏହି ରଜ ଗୀତ । ପାଦରେ ଅଳତା, ମଥାରେ କୁକୁମ, ହାତରେ ମେହେନ୍ଦି ଓ ନୂଆ ଜାମା ପରିଧାନ କରିବା ସହ ପାଟିରେ ପାନ ଖିଲ ମାରି ଦୋଳି ଖେଳୁଛନ୍ତି କୁମାରୀ ଝିଅ । ଛୋଟ ପିଲା ଠାରୁ ଆରମ୍ଭ କରି ଯୁବତୀ ସମସ୍ତେ ଖୁସିରେ ମସଗୁଲ । ପୋଡ ପିଠା ସାଙ୍ଗକୁ ଆରିସା, କାକରା, ମଣ୍ଡା, ମିଠା ବାସ୍ନାରେ ମହକୁଛି ଗାଁଠୁ ସହର । ରଜ ପର୍ବକୁ ନେଇ ଚାରି ଆଡେ ଉତ୍ସବ ମୁଖର ପରିବେଶ । ପ୍ରତିବର୍ଷ ରଜ ପର୍ବକୁ ପାଳନ କରିବାକୁ ଚାତକ ପରି ଅନାଇ ବସିଥାନ୍ତି କୁମାରୀ ଝିଅ ।
ରଜ ପର୍ବ କଣ ? : ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ହେଉଛି ରଜ । ପ୍ରତି ବର୍ଷ ଜୁନ 14ରୁ 16 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାଳିତ ହୋଇଥାଏ ରଜ ପର୍ବ । ପ୍ରଥମ ଦିନକୁ ପହିଲି ରଜ କୁହାଯାଉଥିବା ବେଳେ ଦ୍ବିତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଏ । ଏହି ଦିନ ଠାରୁ ମିଥୁନ ମାସ ଆରମ୍ଭ ହୋଇଥାଏ । ଶେଷ ରଜକୁ ବସୁମତୀ ସ୍ନାନ ବା ଭୂମିଦାହ ବୋଲି କୁହାଯାଏ ।
ରଜ ଶବ୍ଦର ଅର୍ଥ: ରଜ ଶବ୍ଦର ଅର୍ଥ ହେଉଛି ରଜବତୀ ହେବା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ତେଣୁ ମା’ମାଟିକୁ ଝିଅମାନଙ୍କ ସହ ତୁଳନା କରାଯାଇ ସେମାନଙ୍କୁ ବିଶ୍ରାମ ଦିଆଯାଏ । କୃଷକ ଭାଇଙ୍କ ପାଇଁ ବେଶ ଖାସ ରଜ କ୍ଷେତରେ ଧାନ ବୁଣି ଏହି ଦିନକୁ ସେ ଅପେକ୍ଷା କରିଥାଏ ।
ଏହା ବି ପଢନ୍ତୁ- ଓଟିଡିସି ପକ୍ଷରୁ ଉଦଘାଟିତ ହେଲା ରଜ ମହୋତ୍ସବ ୨୦୨୪, ପିଠାପଣାରେ ମହକିଲା ପାନ୍ଥନିବାସ
ରଜରେ ମହିଳା ମାନେ କାମ ନକରିବା ପରମ୍ପରା ରହିଛି: ରଜ ତିନିଦିନ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅବିବାହିତ ଝିଅମାନେ ନିଜକୁ ସଜେଇ ରଜ ଦୋଳି, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି ।
ଖାଲିପାଦରେ ଚାଲିବା ମନା: ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ ଆଜିର ଦିନରେ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । କଦଳୀ ପାଟୁଆରେ ତିଆରି ଚପଲରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ।
ବସୁମତୀ ସ୍ନାନ କଣ ? : ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିନ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ ।ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
ପିଠା ମିଠାରେ ମହକୁଛି ଗାଁଠୁ ସହର: ଓଡିଆଙ୍କ ବାରମାସରେ 13 ପର୍ବ । ସବୁଠାରୁ ରଜ ପର୍ବ ଅନ୍ୟତମ । ଓଡିଆଙ୍କ ପର୍ବ ମାନେ ପିଠା ପଣା । ରଜ ଅବସରରେ ପିଠା ମିଠାରେ ମହକୁଛି ଗାଁ ଗଣ୍ଡା । ରଜରେ ପୋଡ ପିଠାର ବିଶେଷ ଗୁରୁତ୍ବ ରହିଛି । ଘରେ ଘରେ ମହକୁଛି ପୋଡ ପିଠାର ବାସ୍ନା । ଇଟିଲି, କାକରା ମଣ୍ଡା ଆଉ ବିଶେଷ କରି ପୋଡ ପିଠାର ସଭିଏଁ ମଜା ନେଉଛନ୍ତି । ପିଠା ସାଙ୍ଗକୁ ଘର ନାନାଦି ବ୍ୟଞ୍ଜନର ବାସ୍ନାରେ ମହକି ଉଠିଛି ।
ଗାଁରେ ରଜ ପର୍ବ: ବିଶେଷ କରି ଗାଁରେ ରଜ ପର୍ବ ଖୁବ ଧୁମଧାମରେ ପାଳନ କରାଯାଏ । ଗାଁରେ ଥିବା ବିଭିନ୍ନ ତୋଟାରେ ରଜ ଦୋଳି ବନ୍ଧାଯାଏ । ବିଭିନ୍ନ ପ୍ରକାର ଦୋଳି ଯେମିତିକି ପଟା ଦୋଳି, ରାମ ଦୋଳି , ଝୁଲା ଦୋଳି । ପ୍ରତିଟି ଦୋଳିକୁ ଫୁଲରେ ସଜାଯାଇଥାଏ । ଏଥିରେ ବସି ଝୁଲିଥାନ୍ତି ତରୁଣୀ । କେବଳ ଦୋଳି ନୁହଁ ତାସ ଖେଳ, ଲୁଡୁ ପୁଚି ଆଜି ପ୍ରତିଯୋଗିତା ମଧ୍ୟ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ