ପୁରୀ: ପାଖେଇ ଆସୁଛି ଖ୍ରୀଷ୍ଟ ମାସ ଏବଂ ନୂଆବର୍ଷ । ଜିରୋ ନାଇଟ ଏବଂ ନ୍ୟୁୟର ସେଲିବ୍ରେସନ ପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ୨୦୨୪ର ସ୍ମୃତି ସାଉଁଟିବା ସହ ୨୦୨୫କୁ ନିଆରା ଢଙ୍ଗରେ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି । ଏପଟେ ଓଡ଼ିଶାର ପ୍ରାଣକେନ୍ଦ୍ର, ଜଗନ୍ନାଥ ଧାମ ପୁରୀରେ ଏବେଠୁ ଲାଗିଲାଣି ଗହଳି ଚହଳି । ଶ୍ରୀମନ୍ଦିର ଠାରୁ ମହୋଦଧି, ବଡ଼ଦାଣ୍ଡ ଠାରୁ ହୋଟେଲ ଇଣ୍ଡଷ୍ଟ୍ରି ସବୁଠି ତୟାରି । ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ ।
ନୂଆବର୍ଷ ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ର:
ନୂଆବର୍ଷକୁ ଜବରଦସ୍ତ ଢଙ୍ଗରେ ମନାଇବାକୁ ପୁରୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି । ଡିସେମ୍ବର ୨୦ ତାରିଖରୁ ଜାନୁଆରୀ ୧୫ ତାରିଖ ଯାଏଁ ପୁରୀରେ ଥିବା ହୋଟେଲ ଗୁଡ଼ିକର ୮୦ରୁ ୯୦ ପ୍ରତିଶତ ବୁକିଂ ଏବେଠୁ ସରିଗଲାଣି । ଆଉ କିଛି ହୋଟେଲରେ ମାତ୍ର ୧୦ରୁ ୧୫ ପ୍ରତିଶତ ରୁମ୍ ବୁକିଂ ଅପେକ୍ଷାରେ ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଅଧିକାଂଶ ବୁକିଂ ରାଜ୍ୟ ବାହାରରୁ ହୋଇଥିବା ବେଳେ, ଅନଲାଇନ ବୁକିଂ ଅଧିକ ।
ପୁରୀରେ ୭୦୦ ହୋଟେଲ:
ପୁରୀ ସହର ଛୋଟ ବଡ଼ ହୋଟେଲ, ହଲି ଡେ ହୋମ, ଗେଷ୍ଟ ହାଉସ, ଲଜ୍ ମିଶାଇଲେ ଏହି ସଂଖ୍ୟା ୭୦୦ରୁ ଅଧିକ ହେବ । ପୁରୀରେ 40 ରୁ 50 ବଡ଼ ହୋଟେଲ ଥିବା ବେଳେ ରୁମ୍ ଦର 4 ହଜାରରୁ 7 ହଜାର ପର୍ଯ୍ୟନ୍ତ ରହିଛି । ତେବେ ହୋଟେଲଗୁଡ଼ିକର ଅଧିକାଂଶ ରୁମ ଡିସେମ୍ବର 20 ରୁ ଜାନୁଆରୀ 15 ତାରିଖ ଯାଏଁ ବୁକ୍ ହୋଇ ସାରିଛି । ହେଟେଲିୟର ଶ୍ରୀମନ୍ତ ଦାଶଙ୍କ କହିବା କଥା, "୮୦ରୁ ୯୦ ପ୍ରତିଶତ ରୁମ୍ ଅନ ଲାଇନରେ ବୁକିଂ ସରି ଯାଇଛି । କେବଳ ବ୍ୟବସାୟ ନୁହେଁ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ କିଭଳି ଅଧିକ ସୁବିଧା ଓ ଉତ୍ତମ ଆତିଥ୍ୟତା ପ୍ରଦାନ କରିହେବ ତାହା ଆମର ମୁଖ୍ୟ ଲକ୍ଷ୍ୟ ।" ରୁମ ବୁକିଂକୁ ନଜରରେ ରଖି ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ପୂର୍ବାନୁମାନ, ଆଗାମୀ ନୂଆବର୍ଷ ସେଲିବ୍ରେସନ ପାଇଁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ।
କେଉଁ ବର୍ଷ କେତେ ପର୍ଯ୍ୟଟକ:
ତଥ୍ୟ ଅନୁଯାୟୀ, 2022 ମସିହାରେ ପୁରୀକୁ ମୋଟ ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ସେଥିମଧ୍ୟରୁ ୫ ହଜାର ୧୪୦ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ । ସେହିପରି 2023 ମସିହାରେ ୨ କୋଟି ୬ ଲକ୍ଷ ୫୮ ହଜାର ୧୭୯ ଜଣ ପର୍ଯ୍ୟଟକ ପୁରୀ ବୁଲି ଆସିଥିଲେ । ସେଥିମଧ୍ୟରୁ ୯ ହଜାର ୨ ଶହ ୫୪ ଜଣ ବିଦେଶୀ ପର୍ଯ୍ୟଟକ । 2022 ତୁଳନାରେ 2023 ମସିହାରେ ପୁରୀକୁ ଯଥେଷ୍ଟ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ବେଳେ ଚଳିତ ବର୍ଷ 2024 ରେ ବିଗତ ବର୍ଷ ଅପେକ୍ଷା ଅଧିକ ପର୍ଯ୍ୟଟକ ପୁରୀ ଆସିବେ ବୋଲି ପୁରୀ ଜିଲ୍ଲା ପର୍ଯ୍ୟଟନ ବିଭାଗ ଏବଂ ହୋଟେଲ ବ୍ୟବସାୟୀ ଆଶା ରଖିଛନ୍ତି ।
- 2022: ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ପର୍ଯ୍ୟଟକ
- 2022: ୫ ହଜାର ୧୪୦ ବିଦେଶୀ ପର୍ଯ୍ୟଟକ
- 2023: ୨ କୋଟି ୬ ଲକ୍ଷ ୫୮ ହଜାର ୧୭୯ ପର୍ଯ୍ୟଟକ
- 2023: ୯ ହଜାର ୨ ଶହ ୫୪ ବିଦେଶୀ ପର୍ଯ୍ୟଟକ
ପର୍ଯ୍ୟଟକଙ୍କୁ ଭଲ ଆତିଥ୍ୟ ପ୍ରାଥମିକତା:
ହୋଟେଲିୟର ଶ୍ରୀମନ୍ତ ଦାଶ କହିଛନ୍ତି "ପୁରୀ ଜଗନ୍ନାଥ ଧାମ । ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ଧାମ । ନୂଆବର୍ଷରେ ଓଡ଼ିଶାରୁ ଏବଂ ଓଡ଼ିଶା ବାହାରୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି ନୂଆବର୍ଷ ପାଳନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ । ନୂଆବର୍ଷରେ ସକାଳୁ ମହୋଦଧିରେ ସ୍ନାନ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି । ହୋଟେଲିୟରଙ୍କୁ ଅନୁରୋଧ ରହିବ ନୂଆବର୍ଷ ପାଇଁ ରୁମ୍ ଦର ଅଧିକ ବଢ଼ାନ୍ତୁ ନାହିଁ । ପର୍ଯ୍ୟଟକଙ୍କୁ ଭଲ ଆତିଥ୍ୟତା ପ୍ରଦାନ କରାଯାଉ । ଫଳରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଏକ ଭଲ ଅନୁଭୂତି ନେଇ ଫେରିବେ । କେବଳ ବ୍ୟବସାୟ ନୁହେଁ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ କିଭଳି ଅଧିକ ସୁବିଧା ପ୍ରଦାନ କରିହେବ ତାହା ଆମର ମୁଖ୍ୟ ଲକ୍ଷ୍ୟ। "
ସ୍ବର୍ଣ୍ଣାଭ ବେଳାଭୂମି ଉପଭୋଗ ସହ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ବଡ଼ ସୁଯୋଗ:
ହୋଟେଲିୟର ବିଭୁଦତ୍ତ ସୁବୁଦ୍ଧି କହିଛନ୍ତି, "ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ପୁରୀରେ ହୋଟେଲ ଶିଳ୍ପ ଅଗ୍ରଗତି କରୁଛି । ଏହାର ମୁଖ୍ୟ କାରଣ ପୁରୀ ସହରକୁ ଦିନକୁ ଦିନ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେଉଛି । ଡିସେମ୍ବର ୩୧ ଜିରୋ ନାଇଟ ସେଲିବ୍ରେସନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ତିନି (୨/୩) ବର୍ଷ ହେବ ଲୋକେ ଘରେ ରହିଥିଲେ । ଅନେକ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସେହି ଚାପରୁ ବର୍ତ୍ତିବା ପାଇଁ ଲୋକ ପୁରୀ ଆସୁଛନ୍ତି । ଡିସେମ୍ବର ମାସ ପାଣିପାଗ ଦୃଷ୍ଟିରୁ ବେଶ ସୁଖପ୍ରଦ ରହିଥାଏ । ଏଣୁ ନୂଆବର୍ଷ ସହିତ ବୁଲାବୁଲି କରିବା ପାଇଁ ଅନେକ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି । ପର୍ଯ୍ୟଟକମାନେ ସ୍ବର୍ଣ୍ଣାଭ ବେଳାଭୂମି ଉପଭୋଗ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥାନ୍ତି । କେବଳ ସେତିକି ନୁହେଁ କୋଣାର୍କ, ସାତପଡ଼ା ଏବଂ ଚିଲିକା ସମେତ ଭୁବନେଶ୍ଵରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଥାନ୍ତି । "
ଏହା ମଧ୍ୟ ପଢ଼ନ୍ତୁ- ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ବରକନ୍ୟା ଜଳପ୍ରପାତ |
ବିଶ୍ବ ନିୟନ୍ତା କାଳିଆ ସାଆନ୍ତ :
ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରେ ରହିଛି ଭିନ୍ନ ଅନୁଭୁତି । ଭାବ ବିହ୍ବଳ ହୋଇଛନ୍ତି ଭକ୍ତ । ବାହାରୁ ଆସିଥିବା ଜଣେ ଭକ୍ତ ଦିନ ଦୟାଲ ଚୈତନ୍ୟ ଦାଶଙ୍କ ମତରେ " ଜଗନ୍ନାଥ ମଙ୍ଗଳମୟ, ସେହି ଆଶାରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି । ମହାପ୍ରଭୁଙ୍କ ଚରଣରେ ସମର୍ପି ଦେଲେ ଜୀବନ ଧନ୍ୟ ହୋଇଯାଏ । "
ଆଉ ଜଣେ ଭକ୍ତ ଗୋପାଳ ବେହେରା କୁହନ୍ତି, " ମହାପ୍ରଭୁ ଶ୍ରଜଗନ୍ନାଥ ବିଶ୍ଵ ଠାକୁର । ସମଗ୍ର ମାନବ ଜାତିର ସେ ହେଉଛନ୍ତି ପ୍ରାଣ କେନ୍ଦ୍ର । ସେଥିପାଇଁ ଭକ୍ତମାନେ ନୂଆବର୍ଷରେ ମହାପ୍ରଭୁଙ୍କ ଶରଣାପନ୍ନ ହୁଅନ୍ତି । "
ପର୍ଯ୍ୟଟକ ଶୁଭଦର୍ଶିନୀ ମିଶ୍ରଙ୍କ କହିବା କଥା, " ପୁରୀରେ ବୁଲିବା ପାଇଁ ଅନେକ ଦର୍ଶନୀୟ ସ୍ଥାନ ରହିଛି । ମହାପ୍ରଭୁଙ୍କ ଦର୍ଶନ ସହ ସୁନ୍ଦର ବେଳାଭୁମି, ରାମଚଣ୍ଡୀ, କୋଣାର୍କ, ସାତପଡ଼ା, ଚିଲିକା ଏବଂ ୱାଟର ପାର୍କ ସହିତ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ରହିଛି । ନୂଆବର୍ଷରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ ସହ ଭରପୁର ମନୋରଞ୍ଜନର ମଜା ନେଇ ପାରିବେ ପର୍ଯ୍ୟଟକ । "
ଅଲ୍ ଟାଇମ୍ ଡେଷ୍ଟିନେସନ :
ପର୍ଯ୍ୟଟକଙ୍କୁ ଉପଯୁକ୍ତ ଆତିଥ୍ୟତା ପ୍ରଦାନ ଏବଂ ସେମାନଙ୍କ ସୁରକ୍ଷା ପାଇଁ ହୋଟେଲ ମାଲିକ ଏବଂ ବ୍ୟବସାୟୀଙ୍କୁ ସଚେତନ କରୁଛି ଜିଲ୍ଲା ପର୍ଯ୍ୟଟନ ବିଭାଗ । ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ କହିଛନ୍ତି, ‘ପୁରୀ ବର୍ତ୍ତମାନ ଅଲ ଟାଇମ୍ ଡେଷ୍ଟିନେସନ ପାଲଟିଛି । ନୂଆବର୍ଷ କଥା ଦେଖିଲେ, ପୁରୀରେ ଯେଉଁ ପ୍ରମୁଖ ହୋଟେଲ ରହିଛି, ପ୍ରାୟ ବୁକିଂ ସରି ଯାଇଛି । ଆମେ ଆଶା ରଖିଛୁ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଧିକ ପର୍ଯ୍ୟଟକ ପୁରୀ ଆସିବେ । ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ କିଭଳି ଭଲ ଆତିଥ୍ୟତା ପ୍ରଦାନ କରାଯିବ । ସମୁଦ୍ର ସ୍ନାନ ବେଳେ ଲାଇଫ ଗାର୍ଡଙ୍କ ସହାୟତା ନେବା ପାଇଁ ପର୍ଯ୍ୟଟକଙ୍କୁ ଜଣାଇବା ପାଇଁ ହୋଟେଲ ଗୁଡିକୁ ସଚେତନ କରାଯାଇଛି । କୋଣାର୍କ ଏବଂ ସାତପଡ଼ା ବୁଲିବାକୁ ଅନେକ ପର୍ଯ୍ୟଟକ ଯାଇଥାନ୍ତି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ପୁରୀରୁ କୋଣାର୍କ ଏବଂ ପୁରୀରୁ ସାତପଡ଼ା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ରାସ୍ତାରେ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । "
ଏହା ମଧ୍ୟ ପଢ଼ନ୍ତୁ- ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଇକୋ ରିସର୍ଟ; ଜାଣନ୍ତୁ କେମିତି କରିବେ ବୁକିଂ...ସମ୍ବଲପୁର ହେବ ଟ୍ୟୁରିଜିମ ହବ୍: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆନମନା ବିଦେଶୀ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା |
କୋଭିଡ ପରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ :
ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନଙ୍କ କହିବା ହେଲା, "କୋଭିଡ-୧୯ ସମୟରେ ପୁରୀରେ ପର୍ଯ୍ୟଟନଙ୍କ ଆଗମନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କୋଭିଡ ପରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ବଢିଛି । କୋଭିଡ ସମୟରେ ଯାତାୟତ କଟକଣା ଯୋଗୁଁ ବିଦେଶୀ ପର୍ଯ୍ୟଟକ ପୁରୀ ଆସିବା ସମ୍ଭବ ହୋଇ ନଥିଲା । ତେବେ ସ୍ଥିତି ସ୍ଵାଭାବିକ ହୋଇଥିବା ବେଳେ ପୁରୀକୁ ଏବେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଗାମୀ ଦିନରେ ଯେପରି ଅଧିକ ବିଦେଶୀ ପର୍ଯ୍ୟଟକ ପୁରୀ ଆସି ପାରିବେ ସେଥିପାଇଁ ଓଡ଼ିଶା ଟୁରିଜିମ ପକ୍ଷରୁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟ ସରକାର ମଧ୍ୟ ବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବିଦେଶୀ ପର୍ଯ୍ୟଟକ କିଭଳି ଓଡ଼ିଶା ଆସିବେ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି ।"
ଅତିଥି ଦେବୋ ଭବ..। ପର୍ଯ୍ୟଟକଙ୍କ ପାଇଁ ପ୍ରାଇମ ଡେଷ୍ଟିନେସନ ପୁରୀ । ଆଉ ଏହାକୁ ଦୃଷ୍ଟିରେ ରଖି, ଆଗକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସୋସିଆଲ ମିଡିଆ ଜିରିଆରେ ପ୍ରଚାର ପ୍ରସାର କରୁଛି ଓଡ଼ିଶା ଟୁରିଜିମ ବିଭାଗ । ପୁରୁଣା ବର୍ଷର ଶେଷ ସଂଧ୍ୟା ଏବଂ ନୂଆବର୍ଷର ପ୍ରଥମ ସକାଳ, ମହାପ୍ରଭୁଙ୍କ ମହା ଧାମ ପୁରୀରେ କଟାଇବାକୁ ଯୋଜନା କରିଛନ୍ତି ହଜାର ହଜାର ପର୍ଯ୍ୟଟକ ।
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି...ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar |
ପୁରୀରୁ ଶକ୍ତିପ୍ରସାଦ ମିଶ୍ର ଇଟିଭି ଭାରତ