ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଏହା ପୂର୍ବରୁ ଅର୍ଥ ସବ କମିଟି ବୈଠକରେ ଚଳିତ ବର୍ଷ ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ହୋଇଥିବା 386 କୋଟି ଟଙ୍କାର ବଜେଟ ଚୂଡ଼ାନ୍ତ ହୋଇଛି । ଆଜି ପରିଚାଳନା କମିଟିରେ ଏହାକୁ ଉପସ୍ଥାପନ କରାଯାଇ ଅନୁମୋଦନ ମିଳିବ। ବୈଠକରେ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି ଉପରେ ଆଲୋଚନା ହେବା ସହ ମହାପ୍ରଭୁ ବଳଭଦ୍ରଙ୍କୁ ଆଡ଼ପ ମଣ୍ଡପ ବିଜେ ସମୟରେ ଘଟିଥିବା ଅଘଟଣର ତଦନ୍ତ କରୁଥିବା ତିନି ଜଣିଆ କମିଟିର ରିପୋର୍ଟ ଉପସ୍ଥାପନ ହେବ।
ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ 386 କୋଟି: ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, "ରଥଯାତ୍ରା ଓ 2024 ନିର୍ବାଚନ ହେତୁ ଶ୍ରୀମନ୍ଦିରର ବଜେଟ ହୋଇପାରିନଥିଲା। ଏଣୁ ଏହି ପରିପ୍ରେକ୍ଷୀରେ ଅର୍ଥ ସବ କମିଟି ବୈଠକ ଅନୁଷ୍ଠିତ ହେଇଥିଲା। ଚଳିତ ବର୍ଷ ପାଇଁ 386 କୋଟି ଟଙ୍କାର ବଜେଟ୍ ହୋଇଛି। ବୈଠକରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେଲା। ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାର ଯେଉଁ 5 ଶହ କୋଟି ଟଙ୍କା ସ୍ଵତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ଏହା ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ଆର୍ଥିକ ସ୍ଥିତି ବେଶ୍ ସୁଦୃଢ଼ ହେବ। ବିଶେଷ କରି ସେବାୟତଙ୍କ ବାସଗୃହ, ସେବାୟତ ପିଲାଙ୍କ ପାଠପଢ଼ା ଉପରେ ସ୍ଵତନ୍ତ୍ର ଭାବେ କିଭଳି ଦୃଷ୍ଟି ଦେଇ ହେବ ସେ ନେଇ ଆଲୋଚୋନା ହେଲା। ସେବାୟତ ପିଲାଙ୍କ ଭଲ ଶିକ୍ଷା ଦାନ ପାଇଁ ବ୍ୟବସ୍ଥା ସହ ଆର୍ଥିକ ସାହାଯ୍ୟ ଉପରେ ଆଲୋଚନା ହୋଇଥିଲା। କାରଣ ଉପଯୁକ୍ତ ଶିକ୍ଷା ହିଁ ଭଲ ସେବାୟତ ସୃଷ୍ଟି କରିପାରିବ ।''
ସେ ଆହୁରି ମଧ୍ୟ କହିଛନ୍ତି, ''ଭକ୍ତଙ୍କ ପାଇଁ ଗୋଲ୍ଡ ବଣ୍ଡ ପ୍ରଚଳନ ପାଇଁ ଚର୍ଚ୍ଚା ହୋଇଥିଲା। ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ଭାଙ୍ଗି ଯାଇଥିବା ବେଳେ ଆଗାମୀ ଦିନରେ କିଭଳି ଏହା ନିର୍ମାଣ ହୋଇ ପାରିବ ସେ ନେଇ ଆଲୋଚୋନା ହୋଇଥିଲା । ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇଁ ରାଜ୍ୟର ପ୍ରତେକ ଜିଲ୍ଲାର ସଦର ମହକୁମାରେ ଶ୍ରୀ ମନ୍ଦିରର କାର୍ଯ୍ୟାଳୟ ଖୋଲାଯାଇ ଦାନ ସଂଗ୍ରହ ସହ ଜିଲ୍ଲା ଗୁଡିକରେ ମହାପ୍ରଭୁଙ୍କ ଜମି ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବାକୁ ଆଲୋଚୋନା ହୋଇଛି। ରତ୍ନ ଭଣ୍ଡାର କବାଟ ସହ ଶ୍ରୀମନ୍ଦିର ଅନ୍ୟାନ୍ୟ ଦ୍ଵାରକୁ ରୂପାରେ କରିବା ପାଇଁ ଚର୍ଚ୍ଚା ହୋଇଥିଲା। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯାର ଚର୍ଚ୍ଚା ହେବ। ମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିର ବଜେଟ୍କୁ ଅନୁମୋଦନ ସହ ଗତ ଆଡ଼ପ ମଣ୍ଡପ ବିଜେ ବେଳେ ଘଟିଥିବା ଅଘଟଣର ତଦନ୍ତ କରୁଥିବା ତିନି ଜଣିଆ କମିଟି ର ରିପୋର୍ଟ ଉପସ୍ଥାପନ ହେବ ।''
ଇଟିଭି ଭାରତ, ପୁରୀ