ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥରେ ବିଜେ କରି ଶ୍ରୀମନ୍ଦିର ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ରଥଯାତ୍ରାକୁ ନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଥିବା ବେଳେ ନୀତି ନିର୍ଘଣ୍ଟ ମଧ୍ୟ ସରିଛି । ଆଜି ରଥକୁ ଆଜ୍ଞା ମାଳ ବିଜେ ପରେ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବ । ଏବେ ରଥର ଅବଶିଷ୍ଟ ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟକୁ ଶେଷ ସ୍ପର୍ଶ ଦିଆଯାଉଛି ।
ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଛି । ୩ ରଥର ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା । ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ତିନିରଥକୁ ଟାଣି ନେଇଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯାଇଛି ।
![Ratha Yatra 2024](https://etvbharatimages.akamaized.net/etvbharat/prod-images/06-07-2024/od-pur-04-rathaupdate-avo-7205521_06072024080335_0607f_1720233215_994.jpg)
୩ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ତେବେ ତିନିରଥ ସିଂହଦ୍ୱାରରେ ପହଞ୍ଚି ସାରିବା ପରେ ପବିତ୍ର ଘୋଷଯାତ୍ରାକୁ ସମସ୍ତ ଭକ୍ତଙ୍କ ଅପେକ୍ଷା । ସେପଟେ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ। ରଥଯାତ୍ରା ଦିନ ରଥ ଉପରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ କୃତାର୍ଥ ମନେ କରିବେ। ଭକ୍ତ ଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
![Ratha Yatra 2024](https://etvbharatimages.akamaized.net/etvbharat/prod-images/06-07-2024/od-pur-04-rathaupdate-avo-7205521_06072024080335_0607f_1720233215_283.jpg)
ଗତକାଲି (ଶୁକ୍ରବାର) ତିନି ରଥର ପାର୍ଶ୍ଵ ଦେବାଦେବୀ ସଂସ୍ଥାପିତ ହେବା ସହ ଚିତ୍ରକାର ସେବକମାନଙ୍କ ଦ୍ଵାରା ତିନି ରଥ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ ଚିତ୍ର କାର୍ଯ୍ୟ ଆରମ୍ଭ ହେବା ସହ ରଥ ବେଦୀ ଚାରି ପାର୍ଶ୍ୱରେ ଗାଈ ଗୋଠ ଚିତ୍ର, ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ହୋଇଥିଲା । ତିନି ରଥର ପ୍ରଭାରେ ରୂପକାର ସେବକମାନେ ଖୋଦେଇ କରିଥିବା ରାହୁ ବା କ୍ରିତି ମୁଖ ସହ ତାଳଧ୍ଵଜ ରଥ ପ୍ରଭା ମଧ୍ୟଭାଗରେ ପଦ୍ମ କଢି ଏବଂ ଶିବ, ନାରଦଙ୍କ ଚିତ୍ର, ଦେବୀରଥ ପ୍ରଭା ମଧ୍ୟ ଭାଗରେ ପଦ୍ମ କଢି ଏବଂ ଗଙ୍ଗାଯମୁନାଙ୍କ ଚିତ୍ର, ନନ୍ଦିଘୋଷ ରଥ ପ୍ରଭା ମଧ୍ୟ ଭାଗରେ ପଦ୍ମ କଢି ସହ ଦୁଇ ପାର୍ଶ୍ଵରେ ଇନ୍ଦ୍ର ଓ ବ୍ରହ୍ମାଙ୍କ ରଙ୍ଗ ଚିତ୍ର କାର୍ଯ୍ୟ ଚିତ୍ରକାର ସେବକମାନେ ଶେଷ କରିଛନ୍ତି ।
![Ratha Yatra 2024](https://etvbharatimages.akamaized.net/etvbharat/prod-images/06-07-2024/od-pur-04-rathaupdate-avo-7205521_06072024080335_0607f_1720233215_199.jpg)
ଏଥିସହ ଚିତ୍ରକାର ସେବକମାନେ ତିନି ରଥର ପିତ୍ତଳ କଳସରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ହୋଇ ଘୋଡ଼ା ଓ ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ହୋଇଛି । ମହାରଣା ସେବକ ଏବଂ ଭୋଇ ସେବକମାନେ ତିନି ରଥରେ ଥେକେରା ବାଡ ବୁଲାଇବା ସହ ସେଥିରେ ସଖୀ ଫିଟିଙ୍ଗ ଶେଷ କରିଛନ୍ତି । ଏଥିସହ ତିନି ରଥର ବିଜେ ଚକା ତ୍ରୟରେ ତିନି ରଥ ମହାରଣା ସେବକମାନେ ବିନ୍ଧ ସହ ତିନୋଟି ଲେଖାଏଁ କାଠ ଖିଲ ନିର୍ମାଣ ଶେଷ କରିଛନ୍ତି । ତିନି ରଥ ସିଂହଦ୍ଵାରକୁ ଯିବା ପରେ ବିଜେ ଚକା ବେଦୀ ସିଂହାସନରେ ସଂଯୋଗ ହୋଇଛି ।
![Ratha Yatra 2024](https://etvbharatimages.akamaized.net/etvbharat/prod-images/06-07-2024/od-pur-04-rathaupdate-avo-7205521_06072024080335_0607f_1720233215_881.jpg)
ପିତ୍ତଳ ସଜ କାରୀଗରମାନେ ତିନିରଥର ବେଦୀ ସିଂହାସନ ଉପର କନକ ମୁଣ୍ଡିରେ ପିତ୍ତଳ ଚଦର ଆବରଣ ଫିଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି । ଦରଜୀ ସେବକମାନେ ତିନି ରଥର ବତା କନା ଯୋଡଣି ,ପୋଟଳ କନା କାର୍ଯ୍ୟ ଶେଷ କରି କୋଠ ସୁଆଁଶିଆ ସେବକମାନଙ୍କୁ ଯୋଗାଇବା ପରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ପାଇଁ ବ୍ୟବହୃତ ଲାଗି ଲୁଗା ସିଲାଇ କାର୍ଯ୍ୟ ଶେଷ କରିଛନ୍ତି ।କୋଠ ସୁଆଁଶିଆ ସେବକମାନେ ତିନି ଏଥର ଦୁଆର ବେଢ଼ା ଏବଂ ଚନ୍ଦ୍ରଶାଳୀରେ ପିତ୍ତଳ ସଜ ଫିଟିଙ୍ଗ ଶେଷ କରି ତିନି ରଥର ପୋଟଳ ଏବଂ ବତା ଆବରଣ କନା ପକା ଶେଷ କରିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ପ୍ରଭା ବିଡ଼ିଆ କଣ୍ଟା ଶେଷ କରି କୋଠ ସୁଆଁଶିଆ ସେବକ ମାନଙ୍କ ପାଇଁ ରଥରେ କନାପକା କାର୍ଯ୍ୟ ପାଇଁ ହାତୁଡ଼ି, ଛୁରୀ ନିର୍ମାଣ କରି ଯୋଗାଇ ଦେଇଛନ୍ତି।
![Ratha Yatra 2024](https://etvbharatimages.akamaized.net/etvbharat/prod-images/06-07-2024/od-pur-04-rathaupdate-avo-7205521_06072024080335_0607f_1720233215_534.jpg)
ଇଟିଭି ଭାରତ, ପୁରୀ