ପୁରୀ: ଅଖିଳ ବ୍ରହ୍ମାଣ୍ଡପତି ଶ୍ରୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦୁଃଖୀର ଦିନବନ୍ଧୁ, ଭକ୍ତବତ୍ସଳ ଭଗବାନ । ନିଜ ଭକ୍ତକୁ ଚକ୍ର ଆଢୁଆଳ କରିରଖନ୍ତି, ପତିତପାବନ ନେତରେ ବିପଦ ଆପଦରୁ ସୁରକ୍ଷା ଦିଅନ୍ତି । ଅଠରନଳା ବାଟମଙ୍ଗଳା ପାଖରୁ ନୀଳକନ୍ଦର ଚୂଡାରେ ମହାପ୍ରଭୁଙ୍କ ନୀଳଚକ୍ର ଦେଖି ଛଳ ଛଳ ହୋଇଯାଏ ଭକ୍ତର ଆଖି । ଶ୍ରୀମନ୍ଦିର ପାଖେଇ ଆସୁଛି ପାଖେଇ ଆସୁଛି ଭାବରେ ମନ ହୁଏ ଉତ୍ଫୁଲ୍ଲିତ । ନୀଳାଚଳରେ ବଡଦେଉଳ, ବଡଦେଉଳରେ ନୀଳଚକ୍ର । ଆଉ ନୀଳଚକ୍ରରେ ଫର୍ଫର୍ ଉଡୁଥାଇ ପତିତପାବନ ବାନା । ଆସନ୍ତୁ ଜାଣିବା ମନ୍ତ୍ରମୁଗ୍ଧକର କାଳିଆ ସାଆନ୍ତଙ୍କ ନୀଳଚକ୍ର ଓ ପତିତପାବନ ବାନାର ମାହାତ୍ମ୍ୟ...
ନୀଳଚକ୍ର ହେଲେ ଚକ୍ରରାଜ ସୁଦର୍ଶନ: ନୀଳଚକ୍ର ତଥା ଚକ୍ରରାଜ ସୁଦର୍ଶନ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ଆୟୁଧ ବା ଅସ୍ତ୍ର । ଅଷ୍ଟଧାତୁରେ ନିର୍ମିତ ଏହି ନୀଳଚକ୍ରରେ ରହିଛି ସୁନା, ରୁପା, ଲୁହା, ତମ୍ବା, ସୀସା, ପାରଦ ଇତ୍ୟାଦି । ଦୂରରୁ ଏହାର ଉଚ୍ଚତା ୨ ଫୁଟ ଭଳି ଲାଗୁଥିଲେ ମଧ୍ୟ ଏହା ପ୍ରକାଣ୍ଡକାୟ । ନନ୍ଦିଘୋଷ ଚକ ତଥା କୋଣାର୍କ ଚକଠାରୁ ମଧ୍ୟ ବିଶାଳ ମହାପ୍ରଭୁଙ୍କ ଏହି ଆୟୁଧ । ନୀଳଚକ୍ର ଓ ଏହା ଉପରେ ଥିବା ପାନପତ୍ରୀଙ୍କୁ ମିଶାଇଲେ ଏହାର ଉଚ୍ଚତା ହେବ ସାଢ଼େ ୧୩ ଫୁଟ । ଏହାର ୮ଟି ଅର ସହ ରହିଛି ୮ଟି ଦଣ୍ଡା । ପ୍ରତ୍ୟେକ ସଂକ୍ରାନ୍ତିରେ ନୀଳଚକ୍ରଙ୍କୁ ମାଜଣା ତଥା ସ୍ନାନ କରାଯାଏ । ତେବେ ଆଶ୍ଚର୍ଯ୍ୟର ବିଷୟ ଶହ ଶହ ବର୍ଷ ଧରି ଏହା ଶ୍ରୀମନ୍ଦିର ଉପରେ ଥିବାବେଳେ ସମୁଦ୍ର ଲୁଣି ପବନରେ ଏହା କଳଙ୍କି ଲାଗୁନାହିଁ । ଏହା ହିଁ ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଏହା ମହାପ୍ରଭୁଙ୍କ ଚମତ୍କାରିତା ବୋଲି କୁହାଯାଏ ।
ସୁଦର୍ଶନଙ୍କ ଅଙ୍କହାର ନାଶିଲେ ମହାପ୍ରଭୁ: ମହାପ୍ରଭୁଙ୍କର ଏହି ଆୟୁଧକୁ ନେଇ ରହିଛି ଏକ କିମ୍ବଦନ୍ତୀ । ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ ହୋଇଛନ୍ତି । ଏହା ପଛରେ ଥିବା ପୌରାଣିକ କିମ୍ବଦନ୍ତୀ ହେଉଛି, ସୁଦର୍ଶନ ଅନେକ ଯୁଦ୍ଧରେ ଅନେକ ଆସୁରିକ ଶକ୍ତିକୁ ପରାହତ କରିଥିଲେ । ସେହିଭଳି ମହାପ୍ରଭୁଙ୍କ ଦୂତ ରୂପେ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ସୁଦର୍ଶନ ଚକ୍ର ଯୋଗୁଁ ପ୍ରଭୁଙ୍କ ନାମ ଚକ୍ରଧର ବୋଲି ସେ ଖୁବ୍ ଅହଙ୍କର କରୁଥିଲେ । ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ ମହାପ୍ରଭୁ ତାଙ୍କୁ ହନୁମାନଙ୍କୁ ଡାକି ଆଣିବା ପାଇଁ ପଠାଇଲେ ।
ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ର ସବୁ କାଟି କାଟି ଯାଇ ସେଠାରେ ଅଭୟମୁଦ୍ରାରେ ତପସ୍ୟାରତ ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି । ସୁଦର୍ଶନ ଏହା ଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇ ଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ବାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶୀଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ ପହଞ୍ଚିଲ କିପରି ?
ହନୁମାନ ଉତ୍ତର ଦେଇ କହିଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି । କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି ।
ହନୁମାନଙ୍କ ଶକ୍ତି ପରୀକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ବାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହାଦେଖି ହନୁମାନ ପ୍ରଭୁଙ୍କୁ ସ୍ମରଣ କରି ଚାରି ସୁଦର୍ଶନଙ୍କୁ ନିଜ ହାତରେ ଚାପି ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ-ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ବାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ହସ୍ତରେ ଚାପି ରଖିଛି ।
ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧା ମାନିବି ନାହିଁ କହିଲେ ହନୁମନ୍ତ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାହାର କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ବ ପରିବର୍ତ୍ତେ ବାମପାର୍ଶ୍ବରେ ରହିଲେ । ତପସ୍ବୀ ହନୁମାନ ନାମରେ ଆଠ ହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତରଦ୍ବାର ଜଗି ରହିଲେ ।
ନିଜର ଅହଙ୍କାର ଯୋଗୁଁ ଖୁବ୍ ଲଜ୍ଜିତ ହୋଇ ସୁଦର୍ଶନ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ । ସୁଦର୍ଶନଙ୍କୁ କ୍ଷମା ଦେଇ ତାଙ୍କର ସମ୍ମାନ ରକ୍ଷା ନିମନ୍ତେ ପୁଣିଥରେ ଗୋଲାକାର ଭାବେ ତାଙ୍କୁ ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥାପିତ କଲେ । ପ୍ରଭୁ ଏକଥା ମଧ୍ୟ ଜଣାଇଲେ ଯେ ଦୂରରୁ ସୁଦର୍ଶନଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ପୂଣ୍ୟ ପ୍ରାପ୍ତି ହେବ । ଏହାଦ୍ବାରା ତେଜହୀନ ହୋଇ ମଧ୍ୟ ସୁଦର୍ଶନଙ୍କ ବୈଶିଷ୍ଟ୍ୟ ଅକ୍ଷୂର୍ଣ୍ଣ ରହିଲା ।
ପତିତପାବନ ବାନାର ମାହାତ୍ମ୍ୟ:
ସେହିପରି ନୀଳଚକ୍ର ସହ ପତିତପାବନ ବାନାର ମଧ୍ୟ ରହିଛି ବିଶେଷତ୍ବ । ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ବଡ଼ ଦେଉଳରେ ଉଡ଼ାଉଛନ୍ତି ପତିତପାବନ ବାନା । ଭକ୍ତଟିଏ ନିଜର କୌଣସି ମନସ୍କାମନା ନେଇ ନୀଳଚକ୍ରରେ ପତିତପାବନ ବାନାଟିଏ ଚଢାଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ପ୍ରତିଦିନ ଶହ ଶହ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତିତପାବନ ବାନା ଶ୍ରୀମନ୍ଦିରରେ ଚଢାଇଥାନ୍ତି ।
ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ଚୂନରା ସେବାୟତ ଏହାକୁ ପରିବର୍ତ୍ତନ କରି ନୂଆ ବାନା ଲଗାଇଥାନ୍ତି । ଯଦି କୌଣସି କାରଣରୁ ନୀଳଚକ୍ରରେ ବାନା ନ ଲାଗିପାରେ ତେବେ ବନ୍ଦ ହୋଇଯାଏ ମହାପ୍ରଭୁଙ୍କ ନୀତିକାନ୍ତି । କେବଳ ଲାଲ, ହଳଦିଆ ଓ ଧଳା ରଙ୍ଗର ବାନା ହିଁ ଲାଗିଥାଏ ନୀଳଚକ୍ରରେ । ପୂର୍ବରୁ ନୀଳଚକ୍ରରେ ଦେଢ ଶହ ହାତର ବିଶାଳ ବାନା ଲାଗି ହେଉଥିଲା । ତେବେ ପବନ ଚାପ ଯୋଗୁଁ ନୀଳଚକ୍ରର କ୍ଷତି ହେବା ଆଶଙ୍କା କରି ପ୍ରତ୍ନତାତ୍ତ୍ବିକ ବିଭାଗର ନିର୍ଦ୍ଦେଶ କ୍ରମେ ମାତ୍ର ୧୪ ହାତିଆ ବାନା ଲାଗି ହେଉଛି । ଶ୍ରୀମନ୍ଦିର ଚୂନରା ସେବାୟତମାନେ ପ୍ରତିଦିନ ଶ୍ରୀମନ୍ଦିର ଉପରକୁ ଚଢ଼ି ଏହି ବାନା ଲାଗି କରିଥାନ୍ତି । ପାରମ୍ପାରିକ ଭାବେ କେବଳ ହାତ ଓ ଗୋଡ ସାହାଯ୍ୟରେ ଶ୍ରୀ ନ୍ଦିର ଉପରକୁ ଚଢ଼ି ବାନା ଲଗାଇ ଥାଆନ୍ତି ସେବାୟତ ।
ଇଟିଭି ଭାରତ, ପୁରୀ