ଭବାନୀପାଟଣା: ଅଙ୍କାଯାଇଛି ରାଷ୍ଟ୍ରପତିଙ୍କ ଚିତ୍ର । ସେ ବି ତୂଳୀ କି ସ୍କେଚରେ ନୁହେଁ ବରଂ ଧାନକୁ ନେଇ । ଧାନ ତଳି କିଆରୀରେ ହୋଇଛି ରାଷ୍ଟ୍ରପତିଙ୍କ ଚିତ୍ର । ଏଭଳି ଚମତ୍କାର ଚିତ୍ର ତିଆରି କରିଛନ୍ତି ଯୁବ ଚାଷୀ ପ୍ରାଣ ରଞ୍ଜନ ବେହେରା ଦିନେ ଦେଶରେ ଭୋକର ଭୂଗୋଳ ଭାବେ ପରିଚିତ ଥିବା କଳାହାଣ୍ଡି ଜିଲ୍ଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ । ତେବେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣ ରଂଜନ ବେହେରା ଉନ୍ନତ କିସମର ଧାନଚାଷ କରି ଲାଭବାନ ହେବା ସହ ଧାନତଳିରେ ବିଭିନ୍ନ ପ୍ରକାର ଜାତୀୟ ବାର୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଚାଷ ଜମିରେ ତଳି କିଆରୀରେ ତଳି ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିଛବିକୁ ଆଙ୍କିଵାର ପ୍ରୟାସ କରିଛନ୍ତି ପ୍ରାଣ ରଞ୍ଜନ ।
ତଳି ମଧ୍ୟରେ ତ୍ରିରଙ୍ଗାର ରଙ୍ଗ ମଧ୍ୟରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କୃତି କରିବାରେ ସଫଳ ହୋଇଛନ୍ତି । ବିଗତ ବର୍ଷ ମଧ୍ୟ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ବର୍ଷର ମାନଚିତ୍ରକୁ ତିନି ରଙ୍ଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ "୭୫" ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା । ୨୦୧୨ ମସିହାରୁ ପ୍ରାଣ ରଞ୍ଜନ ବେହେରା ବିଭିନ୍ନ ସମସାମୟିକ ଚର୍ଚ୍ଚିତ ପ୍ରସଙ୍ଗକୁ ତଳି କିଆରୀରେ ସ୍ଥାନ ଦେଇ ସଚେତନତା ସୃଷ୍ଟି କରିବାର ଅନନ୍ୟ ଉଦାହରଣ ପ୍ରଦାନ କରିଛନ୍ତି । ତନ୍ମଧ୍ୟରୁ " ସେଭ୍ ଓମେନ୍ ସେଭ୍ ନେସନ ", "ସେଭ ଗାର୍ଲ ଚାଇଲ୍ଡ ସେଭ ମଦର", ସ୍ଵଚ୍ଛ ଭାରତ ଉପରେ "Together We can", ଶିକ୍ଷା ଉପରେ "ଏଜୁକେସନ ଫର ଅଲ୍", ୩୭୦ ଧାରା ଉଚ୍ଛେଦ ଉପରେ "One flag-One nation-One constitution" ଇତ୍ୟାଦି ବିଶେଷ ଆଦୃତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ... ନୂଆ ରୂପ ପାଇବ ଐତିହାସିକ 'ଆଶା ସାଗର'; ସର୍ବବୃହତ ପୁଷ୍କରିଣୀର ହେବ ପୁନରୁଦ୍ଧାର
ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଚାଷୀ ପ୍ରାଣ ରଞ୍ଜନ ଜୈଵିକ ପ୍ରଣାଳୀରେ ଚାଷ କରି ସ୍ବଳ୍ପ ଖର୍ଚ୍ଚରେ ରେକର୍ଡ ଧାନ ଉତ୍ପାଦନ କରି ଦୃଷ୍ଟାନ୍ତ ପାଲଟିବା ସହ ନିଜ ଫାର୍ମ ହାଉସରେ ଅନ୍ୟାନ୍ୟ ଫସଲ ମଧ୍ୟ କରିବାରେ ସମର୍ଥ ହୋଇଛନ୍ତି । ଏକାଧାରରେ ଜଣେ ସଫଳ ଚାଷୀ, ସୁଲେଖକ ଏବଂ ସମାଜସେବୀ ଭାବରେ ବିଭିନ୍ନ ଜିଲ୍ଲା, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇପାରିଛନ୍ତି । ଜଣେ ସାଧାରଣ ଓଡ଼ିଆ ଚାଷୀ ଭାବରେ ଵିଶ୍ବର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ଜଣେ ଓଡ଼ିଆ ମହିଳାଙ୍କୁ ସମ୍ମାନ ଜଣାଇ ଏହି କୃତି କରିଥିବା ପ୍ରାଣ ରଞ୍ଜନ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି