ରାଇରଙ୍ଗପୁର: ଆଉ ମାତ୍ର କିଛି ସମୟର ଅପେକ୍ଷା । ମୟୂରଭଞ୍ଜ ଜିଲ୍ଲା ପହଞ୍ଚିବେ ମାଟିର ଝିଅ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସୁଛନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ମୟୂରଭଞ୍ଜରେ ପହଞ୍ଚିବେ।
ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଆଜି ସକାଳ ୮.୩୦ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ଦିଲ୍ଲୀ ସ୍ଥିତ ପାଲମ ଏୟାରପୋର୍ଟ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଏୟାରପୋର୍ଟକୁ ସକାଳ ୧୦.୩୦ ସମୟରେ ପହଞ୍ଚିଥିଲେ । ଏହାପରେ ଦିନ ୧୧ଟା ୩୦ ସମୟରେ ରାଞ୍ଚି ସ୍ଥିତ ଝାଡ଼ଖଣ୍ଡ ସେଣ୍ଟ୍ରାଲ ୟୁନିଭର୍ସିଟିରେ ତୃତୀୟ କନଭୋକେସନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେଠାରେ କାର୍ଯ୍ୟକ୍ରମ ସାରି ମହାମହିମ ରାଞ୍ଚି ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଅପରାହ୍ନ ୨ ଟା ୩୦ରେ ଖିଚିଂ ସ୍ଥିତ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରିକେଡ ଯୋଗେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀ ମନ୍ଦିର ପହଞ୍ଚି ସେଠାରେ ମା'ଙ୍କ ଦର୍ଶନ ସହିତ ସେଠାରେ ଅନ୍ନପ୍ରସାଦ ସେବନ କରିବେ ।
ସେଠାରୁ ଅପରାହ୍ନ ୩.୫୫ରେ ପାଣ୍ଡରଶିଳ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚି ଅପରାହ୍ନ ୪.୦୫ ସମୟରେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଅପରାହ୍ନ ୪.୪୦ ସମୟରେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ମହାମହିମ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲିଡେ ହୋମ୍ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପୂର୍ବାହ୍ନ ୪.୫୦ ସମୟରୁ ୬.୦୦ ପର୍ଯ୍ୟନ୍ତ ସେଠାରେ ହଲିଡେ ହୋମର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।
ଏହା ମଧ୍ୟ ପଢନ୍ତୁ- ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତେବେ ହୋଲିଡେ ହୋମ୍ ଠାରେ ରାଷ୍ଟ୍ରପତିଙ୍କ ପାଇଁ ମଞ୍ଚ ଅତି ସୁନ୍ଦର ଭାବରେ ସାଜସଜ୍ଜା ସରିଥିବା ବେଳେ ସୁରକ୍ଷା କର୍ମୀମାନେ ତନ୍ନତନ୍ନ କରି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ରାଷ୍ଟ୍ରପତି ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ପହଞ୍ଚି ସନ୍ଧ୍ୟା ୬.୩୦ ରୁ ୭.୦୦ ସମୟ ମଧ୍ୟରେ ସେଠାରେ ସମ୍ପର୍କୀୟ ଓ ବିଜେପିର ବରିଷ୍ଠ ନେତା ଓ କିଛି ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ ନିଜ ଘରେ ରାତ୍ରୀଭୋଜନ ସହିତ ରାତ୍ରୀଯାପନ କରିବେ ମହାମହିମ ।
ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୯ ତାରିଖ ଗୁରୁବାର ଦିନ ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଘରେ ଜଳଖିଆ ଖାଇ ସାରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସକାଳ ୯.୫୦ ସମୟରେ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ତେବେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଅତ୍ୟନ୍ତ ଉତ୍ସାହ ସହକାରେ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ଖିଚିଂ ସ୍ଥିତ ମା କୀଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସୁଛନ୍ତି । ତେବେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ରାଇରଙ୍ଗପୁର ଓ ଖିଚିଂବାସୀ ଅପେକ୍ଷାରେ ରହିଛନ୍ତି । ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ଏହି ତୃତୀୟ ଗସ୍ତ ଯୋଗୁଁ ସମଗ୍ର ଅଞ୍ଚଳବାସୀ ବେଶ ଉତ୍ସାହିତ ଓ ଆନନ୍ଦିତ ଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାଇରଙ୍ଗପୁର