ଭଦ୍ରକ: ବରପଦା ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସୋସାଇଟିର ସଭାପତି ପଦରୁ ଇସ୍ତଫା ଦେଲେ ପ୍ରୟାସକାନ୍ତି ସାମଲ । କିଛି ଦିନ ହେଲା କଲେଜରେ ସୃଷ୍ଟି ହୋଇଥିବା ଦୂରାବସ୍ଥା ସୁଧାରିବାକୁ ଏବଂ କଲେଜ ତଥା ଏହାର କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏଥିସହ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଯେ, ଜିଲ୍ଲାପାଳ ପ୍ରତି ତିନି ମାସରେ ଥରେ କଲେଜର ପ୍ରିନ୍ସିପାଲ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ବୈଠକ କରି କଲେଜର ଆୟ ବ୍ୟୟ ସମ୍ପର୍କିତ ହିସାବ ରଖିବା ସହ ନିଜର ତତ୍ତ୍ବାବଧାନରେ କଲେଜର ସବୁ କାର୍ଯ୍ୟ ବୁଝନ୍ତୁ । କଲେଜ ଓ ଛାତ୍ରଛାତ୍ରୀଙ୍କ ପ୍ରତିଟି ଉନ୍ନତିମୂଳକ କାର୍ଯ୍ୟରେ ଦୂରରେ ଥାଇ ବି ସେ ସହଯୋଗ କରିବେ ବୋଲି କହିଛନ୍ତି ।
ଆହୁରି ମଧ୍ୟ ପ୍ରୟାସକାନ୍ତି କହିଛନ୍ତି, ଏହି ପୁରାତନ କଲେଜ ଯେପରି ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିଥିଲା, ସେହିପରି ତାହାର ପୂର୍ବ ଗୌରବ ଫେରିପାଇବା ସହ ଭଦ୍ରକବାସୀଙ୍କ ବିଶ୍ଵାସଭାଜନ ହୋଇ ପୁଣିଥରେ ନିଜ ସମ୍ମାନ ଫେରିପାଉ । ତେବେ ସଭାପତି ପଦରୁ ପ୍ରୟାସକାନ୍ତିଙ୍କ ଇସ୍ତଫା ଏବେ ବରପଦା ବିବାଦରେ ରୋଚକ ମୋଡ ନେଇଛି । ଗତ ପାଞ୍ଚ ମାସ ଧରି ନିରବଚ୍ଛିନ୍ନ ଭାବେ କଲେଜର କର୍ମଚାରୀମାନେ ବକେୟା ଦରମା, ପୁନଃ ନିଯୁକ୍ତି ତଥା କଲେଜରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଏବଂ ପ୍ରୟାସକାନ୍ତି ସାମଲଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରିଆସୁଥିଲେ ।
ଚଳିତ ମାସ 21 ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜର 100 ମିଟର ପରିଧି ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ 144 ଧାରା ଲଗାଯାଇଥିଲା । 2010 ମସିହାଠାରୁ ଏହି କଲେଜ ସୋସାଇଟିର ସଭାପତି ପଦରେ ରହିଥିଲେ ପ୍ରୟାସକାନ୍ତି । କଲେଜ ତଥା ଏହାର କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ସେ ସ୍ବତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଶନିବାର ରାତିରେ ତାଙ୍କ ଭଦ୍ରକ ନୂଆ ବଜାର ସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବରପଦା ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ-କର୍ମଚାରୀଙ୍କ ମଧ୍ୟରେ ପୁଣି ବିବାଦ
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଗଙ୍ଗାପାଟଣାଠାରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ପରେ ଏହାକୁ ବିକ୍ରି କରି ଟଙ୍କା ହଡ଼ପ କରିବା ଘଟଣାରେ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ ବିବାଦରେ ଛନ୍ଦି ହୋଇଥିଲେ । ବାରପଦା ଇଞ୍ଜିନିୟରିଂ କଲେଜ ମାମଲା ହାଇକୋର୍ଟରେ ଅଦ୍ୟାବଧି ବିଚାରାଧୀନ ରହିଛି । ଏହି ଦୁର୍ନୀତି ଘଟଣାକୁ ନେଇ ଭିଜିଲାନ୍ସ ଏବଂ ଇଡି ତଦନ୍ତି ପାଇଁ ଦାବି ହୋଇଆସୁଥିଲା । ଶେଷରେ ଇଡି ପକ୍ଷରୁ ବରପଦା କଲେଜ, ପ୍ରଫୁଲ୍ଲ ସାମଲଙ୍କ ସାବନା ବଜାର ସ୍ଥିତ ଘର, କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ବସଭବନ ଏବଂ ପ୍ରୟାସକାନ୍ତି ସାମଲଙ୍କ ଭୁବନେଶ୍ବର ସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଚଢ଼ାଉ ହୋଇଥିଲା ।
ପ୍ରକାଶ ଥାଉକି, ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ । ହେଲେ 2015 ମସିହାରୁ କଲେଜ ପରିଚାଳନା ସୋସାଇଟି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କଲେଜର ପିଛା ଛାଡୁନି । ଫଳରେ କଲେଜ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଲେଜ ପରିଚାଳନା ଦାୟିତ୍ବରେ ଥିବା ସୋସାଇଟି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ କଲେଜ ପରିଚାଳନା ଦାୟିତ୍ବ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ପୁନର୍ବାର ପରିଚାଳନା ଦାୟିତ୍ବ ସୋସାଇଟି ହାତକୁ ଯାଇଥିଲା । ତେବେ ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି । ଏପରି ସ୍ଥଳେ ବରପଦା ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସୋସାଇଟିର ସଭାପତି ପଦରୁ ପ୍ରୟାସକାନ୍ତି ସାମଲ ଇସ୍ତଫା ଦେବା ଏବେ ବିବାଦରେ ରୋଚକ ମୋଡ ନେଇଛି ।
ଇଟିଭି ଭାରତ, ଭଦ୍ରକ