ଝାରସୁଗୁଡ଼ା: ସହରର ମୁଖ୍ୟ ଡାକଘର(ହେରିଟେଜ ବିଲଡିଂ)କୁ ଭର୍ଚୁଆଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡାକ ବିଭାଗ ମହାପ୍ରବନ୍ଧକ । ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଆଇଆଇଏମଠାରେ ଭର୍ଚୁଆଲ୍ ମଧ୍ୟମରେ ଏହି ହେରିଟେଜ ବିଲଡିଂକୁ ଉଦଘାଟନ କରିବେ । ଏହି ଡାକଘରଟି ବହୁ ଦିନ ହେବ ଅବହେଳିତ ଅବସ୍ଥାରେ ରହିଥିଲା , ଏହାକୁ ଡାକ ବିଭାଗ ନୂଆ ରୂପ ଦେଇଛି ।
ଭାରତ ଛାଡ଼ ଆନ୍ଦୋଳନ ସମୟର ଏହି ଡାକଘରକୁ ପ୍ରଥମେ ବ୍ରିଟିଶ ସରକାର ଟେଲିଗ୍ରାଫ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ । ପରବର୍ତ୍ତୀ ସମୟରେ ୧୮୯୨ ମସିହାରେ ଡାକଘର ଭାବେ ବ୍ୟବହାର କରାଯାଇଥିଲା । ତେବେ ବର୍ତ୍ତମାନ ଏହି ପୁରୁଣା ଡାକଘରଟି ହେରିଟେଜ ବିଲଡିଂରେ ପରିଣତ ହେବ । ଦେଶରେ ସମୁଦାୟ ୪୪ଗୋଟି ପୁରୁଣା ଡାକଘରକୁ ହେରିଟେଜ ବିଲଡିଂ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ସେଥି ମଧ୍ୟରେ ଝାରସୁଗୁଡ଼ା ସହରର ଏହି ପୁରୁଣା ଡାକଘର ରହିଛି ।
ଯାହାକୁ ଆସନ୍ତାକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ମୁଖ୍ୟ ଡାକଘର ମହାପ୍ରବନ୍ଧକ । ସେ କହିଛନ୍ତି ଯେ ଆସନ୍ତାକାଲି ସମ୍ବଲପୁର ଆଇଆଇଏମ୍ଠାରେ ପ୍ରଧାନମନ୍ତ୍ରୀ ବହୁତ ଗୁଡିଏ ପ୍ରକଳ୍ପ ଉଦଘାଟନ କରିବେ । ସେଥି ମଧ୍ୟରୁ ଝାରସୁଗୁଡ଼ା ଡାକଘର ହେରିଟେଜ ବିଲଡିଂକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭର୍ଚୁଆଲରେ ଉଦଘାଟନ କରିବେ ।
ଏହା ମଧ୍ୟ ପଢନ୍ତୁ .....ମୋଦିଙ୍କ ସମ୍ବଲପୁର ଗସ୍ତ; ଆଇଆଇଏମ ସହ ୨୩ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ
ମୋଦିଙ୍କ ଗସ୍ତକୁ ନଜରରେ ରଖି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଆସନ୍ତାକାଲି (ଶନିବାର) ସମ୍ବଲପୁରର ୨ଟି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ । ଏହାପରେ ହେଲିକପ୍ଟର ଯୋଗେ ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ ୨ଟା ୧୫ ମିନିଟରେ ଆଇଆଇଏମ ଯିବେ । ସେଠାରେ ପହଞ୍ଚିବା ପରେ ୪୦୦ କୋଟିର ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶୁଭ ଉଦଘାଟନ କରିବେ। ଏହାପରେ ସମ୍ବଲପୁର ରେମେଡ ପଡିଆକୁ ଆସି ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ । ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିମନ୍ତେ ୭୦ ପ୍ଲାଟୁନ ପୋଲିସ, ୨ ଜଣ ରେଞ୍ଜ ଆଇଜି, ୪ ଜଣ ଏସପି, ୭ କମାଣ୍ଡାଣ୍ଟ, ୨୫୦ ଅଫିସଙ୍କୁ ନିୟୋଜିତ କରାଯାଇଛି ।
ଇଟିଭି ଭାରତ, ଝାରସୁଗୁଡ଼ା