କେନ୍ଦୁଝର: କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହେଲା । କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅଭାସୀ ଯୋଗେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏଥିସହ କେନ୍ଦୁଝର ଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ନୂତନ ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ।
ଦୀର୍ଘବର୍ଷରୁ କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ କେନ୍ଦୁଝରବାସୀ ଦାବି କରି ଆସୁଥିଲେ । ଯାହା ଏବେ ସାକାର ହୋଇଛି । ଏଥିନିମନ୍ତେ ପୂର୍ବତଟ ରେଳ ବିଭାଗ ପକ୍ଷରୁ କେନ୍ଦୁଝରଗଡ଼, ପାରାଦ୍ୱୀପ ଓ ଯାଜପୁର-କେନ୍ଦୁଝର ରୋଡ(କନକୋର ସାଇଡିଂ) ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଯୋଗେ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । କେନ୍ଦୁଝରଗଡ ଷ୍ଟେସନ ଠାରେ ଏହି ଟ୍ରେନ ଶୁଭାରମ୍ଭ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଓକିଲ ଅଶ୍ଵିନୀ ପଟ୍ଟନାୟକ ଓ ରେଳ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆଭାସୀ ଯୋଗେ ଉଦଘାଟନ କରିବା ପରେ କେନ୍ଦୁଝରଗଡ ଷ୍ଟେସନରୁ ଦିଲ୍ଲୀ ଟ୍ରେନ ପ୍ରାଥମିକ ଭାବେ ବାଂଶପାଣି ଷ୍ଟେସନ ପର୍ଯ୍ୟନ୍ତ ଯାଇ ଫେରିଥିଲା। ଏନେଇ ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।
ଏହା ମଧ୍ୟ ପଢ଼ନ୍ତୁ.... ପ୍ରଧାନମନ୍ତ୍ରୀଙ୍କ 19600 କୋଟିର ଭେଟି, ଓଡିଶା ଏବଂ ଭାରତର ବିକାଶ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୂଳନୀୟ
ଆଗାମୀ ଦିନରେ ଆହୁରି ନୂତନ ଯାତ୍ରୀବାହୀ ଟ୍ରେନ ଜିଲ୍ଲାକୁ ମିଳିବା ନେଇ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି ମୋହନ ମାଝୀ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ବୁଦ୍ଧିଜୀବି, ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ବେଳେ ଦିଲ୍ଲୀଟ୍ରେନ ପାଇଁ ଖୁସି ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, ଫେବୃୟାରୀ ୧୯ ତାରିଖରେ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝର ସାପ୍ତାହିକୀ ଯାତ୍ରୀବାହୀ ଟ୍ରେନ ପୁରୀରୁ ଶନିବାର ଭୋର ୪ଟା ୧୫ମି.ରେ ବାହାରି ପୂର୍ବାହ୍ନ ୧୦ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୧୦ଟା ୧୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ରବିବାର ଅପରାହ୍ନ ୧ଟା୧୦ମି.ରେ ଆନନ୍ଦ ବିହାର ଠାରେ ପହଞ୍ଚିବା ପରେ ସେହିଦିନ ସନ୍ଧ୍ୟା ୫ଟା ୨୦ମି.ରେ ଆନନ୍ଦବିହାରରୁ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରି ସୋମବାର ସନ୍ଧ୍ୟା ୫ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୫ଟା ୧୦ମି.ରେ ବାହାରି ରାତି ୧୧ଟା ୫୫ମି.ରେ ପୁରୀରେ ପହଞ୍ଚିବ ।
ଇଟିଭି ଭାରତ, କେନ୍ଦୁଝର