ବ୍ରହ୍ମପୁର: ନିର୍ବାଚନ ପ୍ରଚାର ପାଇଁ ଆଜି (ସୋମବାର) ବ୍ରହ୍ମପୁର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନିଷି ଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ମୋଦି । କିନ୍ତୁ ମୋଦି ମଞ୍ଚକୁ ଆସିବା ସମୟରେ ମୋଦିଙ୍କୁ ପ୍ରଥମେ ସ୍ୱାଗତ କରିବା ଏବଂ ସଭା ମଞ୍ଚରେ ବିଜେପିର ଦୁଇ ସାଂସଦ ପ୍ରାର୍ଥୀଙ୍କ ସହିତ ଯାଇ ମୋଦିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ଜଣେ ମହିଳା । ତେବେ ମହିଳା ଜଣଙ୍କ ହେଉଛନ୍ତି କୁମାରୀ ବେହେରା । କିଏ ସେହି କୁମାରୀ ବେହେରା ? ମୋଦିଙ୍କ ସଭାକୁ ସେ କ'ଣ ପାଇଁ ଯାଇଥିଲେ ? କାହିଁକି ସେ ପ୍ରଥମେ ମଞ୍ଚକୁ ଯାଇ ମୋଦିଙ୍କୁ ସମ୍ୱର୍ଦ୍ଧନା କଲେ ? ସଭାସ୍ଥଳରେ ଉପସ୍ଥିତ ଲୋକଙ୍କ ମନରେ ଏଭଳି ଏନେକ ପ୍ରଶ୍ନ ଉଙ୍କି ମାରିଥିଲା ।
ତେବେ କୁମାରୀ ବେହେରା ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ଅଞ୍ଚଳର ଜଣେ ବୟସ୍କା ମହିଳା । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ହୁମ୍ମା ହାଟରେ ବସି ବର୍ଷ ବର୍ଷ ଧରି ସେ ମାଛ ଶୁଖୁଆ ବ୍ୟବସାୟ କରି ଆସୁଛନ୍ତି । ତେବେ କୁମାରୀ କୁଆଡେ ମୋଦିଙ୍କ ଜଣେ ଦୃଢ ସମର୍ଥକ । ଅନେକ ବର୍ଷ ଧରି କୁମାରୀ ମୋଦିଙ୍କ ଜଣେ ପ୍ରଶଂସକ ଏବଂ ସମର୍ଥକ ହୋଇଥିବା ବେଳେ ସେ ବିଭିନ୍ନ ସମୟରେ ମୋଦିଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ । ଏପରିକି ଶୁଖୁଆ ବ୍ୟବସାୟ କରି ପରିବାର ପରିପୋଷଣ କରି ଆସୁଥିବା କୁମାରୀ ନିଜ ଅଞ୍ଚଳ ସହ ଆଖପାଖ ଅଞ୍ଚଳରେ ଅସାହ୍ୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି । କେତେବେଳେ ବି ଯଦି କୌଣସି ମହିଳାଙ୍କ ସହାୟତା ଆବଶ୍ୟକ ହୁଏ କିମ୍ବା କିଏ କୌଣସି ସମସ୍ୟାରେ ପଡିଥିବାର ଯଦି କୁମାରୀ ଜାଣନ୍ତି ତେବେ ସେ ସ୍ୱତ୍ତପ୍ରବୃତ୍ତ ଭାବରେ ଆଗକୁ ଆସି ସହଯୋଗ କରିଥାନ୍ତି । ପ୍ରଥମ ଥର ପାଇଁ ବ୍ରହ୍ମପୁରକୁ ମୋଦି ଆସିଥିବାରୁ କୁମାରୀଙ୍କୁ ମଧ୍ୟ ମଞ୍ଚକୁ ଆସିବା ପାଇଁ ନିମନ୍ତ୍ରଣ ହୋଇଥିଲା । ଏପରିକି ଏପରି ମଞ୍ଚରେ ଯୋଗ ଦେଇ ସେ ବେସ ଖୁସି ରହିଥିବା କହିଛନ୍ତି ।
ଏନେଇ କୁମାରୀ ବେହେରା କହିଛନ୍ତି, "ପ୍ରଧାନମନ୍ତ୍ରୀ ଆସୁଥିବାରୁ ମତେ 15 ଦିନ ପୂର୍ବରୁ ନିମନ୍ତ୍ରଣ କରାଯାଇଥିଲା । ମୋଦିଙ୍କୁ ଭେଟି ମୁଁ ବେଶ ଉତ୍ସାହିତ । ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ମୋଦିଙ୍କ ସହ ଦେଖା ହୋଇ ମୁଁ ବହୁତ ଆନନ୍ଦିତ ।"
ଇଟିଭି ଭାରତ, ବ୍ରହ୍ମପୁର