ଭୁବନେଶ୍ବର: ନବନିଯୁକ୍ତ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଭେଟିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ମନ୍ତ୍ରୀଙ୍କୁ ସୌଜନ୍ୟତାମୂଳକ ସାକ୍ଷାତ କରିଛନ୍ତି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟ ଅତିଥି ଭବନରେ ଏହି ଭେଟଘାଟ ଓ ଆଲୋଚନା ହୋଇଛି ।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟ ଅତିଥି ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପ୍ରମୁଖ ଶାସନ ସଚିବ ପୁଷ୍ପଗୁଚ୍ଛ ଦେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଅବଗତ କରିଛନ୍ତି । ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନୂତନ ସରକାର ସଂକଳ୍ପବଦ୍ଧ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ । ଏହି ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଲୋକମାନେ କିପରି ସର୍ବତ୍କୃଷ୍ଟ ସୁଫଳ ପାଇପାରିବେ ସେଥିପାଇଁ ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅଳ୍ପଦିନ ମଧ୍ୟରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ପାନୀୟଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ କାର୍ଯ୍ୟକାରିତା, ଗ୍ରାମୀଣ ଭିତ୍ତିଭୂମି ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ବିଭାଗୀୟ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ଦାସ, ନିର୍ଦ୍ଦେଶକ ଡ ମହେଶ୍ବର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଓଡିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଆଜି ନବ ନିଯୁକ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପ୍ରମୁଖ ଶାସନ ସଚିବ ପୁଷ୍ପଗୁଚ୍ଛ ଦେଇ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ଏହା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଗ୍ରାମ୍ୟ ଉନ୍ନୟନ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଧାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ରଣନୀତିକ ପଦକ୍ଷେପ ଉପରେ ମନ୍ତ୍ରୀଙ୍କୁ ସମ୍ୟକ ସୂଚନା ଦେଇଛନ୍ତି । ଏଥି ସହିତ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ଉଦ୍ଦେଶ୍ୟରେ ନୂତନ ନୀତିଗତ ପଦକ୍ଷେପ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ଅଂଶୀଦାରଙ୍କ ସହଭାଗିତାକୁ ବିଭାଗ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର