ଇସଲାମାବାଦ: ଗୁଳିମାଡ ଓ ବିସ୍ଫୋରଣରେ ପୁଣି ଥରିଲା ପାକିସ୍ତାନ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର ତୁର୍ବାଟଠାରେ ଅବସ୍ଥିତ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନାଭାଲ ଏୟାର ଷ୍ଟେସନ ପିଏନଏସ ସିଦ୍ଦିକ୍ୟୁ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ବାଲୁଚିସ୍ତାନ ଲିବରେସନ ଆର୍ମି ଆତଙ୍କୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ବେଳେ ଏହାର ଦୃଢ ମୁକାବିଲା କରିଛି ପାକିସ୍ତାନ ସୁରକ୍ଷାକର୍ମୀ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ 4 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପାକିସ୍ତାନର ଦ୍ୱିତୀୟ ସର୍ବବୃହତ ନାଭାଲ ଏୟାର ଷ୍ଟେସନ ପିଏନଏସ ସିଦ୍ଦିକ୍ୟୁ ଉପରେ ଆକ୍ରମଣ ଯୋଜନା ପଣ୍ଡ କରିଛି ପାକିସ୍ତାନ ସୁରକ୍ଷାବଳ । ସୋମବାର ବିଳମ୍ବିତ ରାତିରେ ଆତଙ୍କୀ ସଂଗଠନ ବାଲୁଚିସ୍ତାନ ଲିବରେସନ ଆର୍ମିର 4 ଜଣ ସଦସ୍ୟ ଏୟାର ଷ୍ଟେସନ ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହାର ଜବାବ ଦିଆଯାଇଛି । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏୟାର ଷ୍ଟେସନ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମସ୍ତ 4 ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ... ପାକିସ୍ତାନ ବନ୍ଦରରେ ଆତଙ୍କବାଦୀ ଆକ୍ରମଣ; ୮ ଆତଙ୍କୀ ନିହତ, ୨ ସୁରକ୍ଷାକର୍ମୀ ମୃତ
ଏହି ଆକ୍ରମଣରେ ସିଦ୍ଦିକ୍ୟୁ ଏୟାର ଷ୍ଟେସନର ବିଶେଷ କ୍ଷତି ହୋଇନଥିବା ଜଣାପଡିଛି । ବାଲୁଚିସ୍ତାନ ଲିବରେସନ ଆର୍ମି ସଂଗଠନର ସଦସ୍ୟ ଏହା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ଖବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପାକିସ୍ତାନ ସୁରକ୍ଷାବଳ । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ଏୟାର ଷ୍ଟେସନ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ବିଦ୍ରୋହୀମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇଥିଲା ଓ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଏୟାରବେସରେ ଚୀନ ଡ୍ରୋନଗୁଡିକ ଅବସ୍ଥାପିତ ।
ବାଲୁଚିସ୍ତାନ ଲିବରେସନ ଆର୍ମି ସଂଗଠନକୁ ପାକିସ୍ତାନ, ୟୁକେ ଓ ଆମେରିକା ପକ୍ଷରୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଏହାପୂର୍ବରୁ ମାର୍ଚ୍ଚ 20 ତାରିଖରେ ପାକିସ୍ତାନର ବାଲୁଚିସ୍ତାନରେ ଥିବା ଗ୍ୱାଦର ବନ୍ଦରରେ ଏହି ଆତଙ୍କୀ ସଂଗଠନ ଆକ୍ରମଣ କରିଥିଲା । ବାଲୁଚି ଆତଙ୍କବାଦୀମାନେ ବନ୍ଦରରେ ଆଖିବୁଜା ଗୁଳିମାଡ ସହ ବୋମା ବିସ୍ଫୋରଣ କରିଥିଲେ । ଏହାର ଜବାବ ଦେଇଥିଲା ପାକିସ୍ତାନ ସୁରକ୍ଷାବଳ । ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।