ପୁରୀ: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଆଜି (ସୋମବାର) ପଇତାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି । ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି କରାଯାଇଥାଏ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
ଆଜି ପଇତାଲାଗି ହେବେ ମହାପ୍ରଭୁ । ଶ୍ରୀଜିଉମାନଙ୍କଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ । ତେବେ ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକମାନେ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି ଏବଂ ଏହି ପଇତାକୁ ଦେଉଳ-କରଣଙ୍କୁ ଯୋଗାଇଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହିଆସିଛି ।
ଅନ୍ୟପଟେ ଆସନ୍ତା ମେ 10 ତାରିଖ ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ତେବେ ନରେନ୍ଦ୍ରକୁ ଆସୁଥିବା ଭକ୍ତଙ୍କୁ ସ୍ଵାଗତ କରିବାକୁ ନୂତନ ଭାବେ ନିର୍ମିତ ହେଉଛି ନନ୍ଦା, ଭଦ୍ରା ପ୍ରତୀକାତ୍ମକ ତୋରଣ । ଚନ୍ଦନଯାତ୍ରାରେ ନରେନ୍ଦ୍ରରେ ମହାପ୍ରଭୁଙ୍କ ଚାପଖେଳ ଦେଖିବା ପାଇଁ ଆସୁଥିବା ଭକ୍ତ ତୋରଣରେ ନନ୍ଦା ଭଦ୍ରା ନୌକାର ପ୍ରତିରୂପ ଦେଖିବାକୁ ପାଇବେ ।
ନରେନ୍ଦ୍ରରେ ମହାପ୍ରଭୁ ଜଳକ୍ରୀଡ଼ା କରିବାର କଥାବସ୍ତୁକୁ ଦେଖାଇବା ପାଇଁ ଦୁଇଟି ହଂସ ନାବ ଥିବା ତୋରଣ ପ୍ରସ୍ତୁତ କରାଯାଉଛି । ଜଳକ୍ରୀଡ଼ା ବେଳେ ମହାପ୍ରଭୁ ଯେପରି ଡଙ୍ଗା ଉପରେ ବସି ନରେନ୍ଦ୍ର ଜଳ ମଧ୍ୟରେ ପ୍ରଦକ୍ଷିଣ କରନ୍ତି, ଠିକ୍ ସେହି ଆକୃତିର ବିମାନ ଡଙ୍ଗାକୁ ତୋରଣରେ ସ୍ଥାନ ଦିଆଯାଉଛି । ଚନ୍ଦନଯାତ୍ରା ଆଉ ମାତ୍ର 3 ଦିନ ଥିବାବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜୋରସୋରରେ କାମ ଚାଲିଛି ।
ଅନ୍ୟପଟେ ପୁଷ୍କରିଣୀ ଚତୁଃପାର୍ଶ୍ବରେ ପ୍ୟାନେଲ୍ ଓ ଡିଜାଇନ୍ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୮୨ଟି ପ୍ୟାନେଲ୍ରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର, ରଥଯାତ୍ରା, ମନ୍ଦିର ତୋଳା, ଝୁଲଣ ଯାତ୍ରା, ପର୍ବପର୍ବାଣୀ, ୩୨ ବେଶ, ଦଶାବତାର, ମନ୍ଦିର ଭିତରର ନୀତିକାନ୍ତି, ମହାପ୍ରସାଦ ପ୍ରସ୍ତୁତି, ଶ୍ରୀକ୍ଷେତ୍ରର ସାହିଯାତ, ନରେନ୍ଦ୍ର ପୁଷ୍କରିଣୀ ଖନନର କଥାବସ୍ତୁ ପାଚେରି ଗାତ୍ରରେ
ଦେଖିବାକୁ ପାଇବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ । ପରିକ୍ରମା କରିବାବେଳେ ଯେପରି କେହି ପୁଷ୍କରିଣୀ ମଧ୍ୟକୁ ଖସି ନପଡ଼ନ୍ତି ସେନେଇ ଲୁହାର ବାଡ଼ ଦିଆଯାଇଛି । ଚନ୍ଦନ ଘର ଉପରେ ଉଠିଥିବା ଗଛଗୁଡ଼ିକୁ ପରିଷ୍କାର କରାଯିବା ପରେ ଏହା ଉପରେ ରଙ୍ଗ କରାଯାଇଛି । ଚତୁଃପାର୍ଶ୍ଵରେ ରଙ୍ଗକାର୍ଯ୍ୟ ମଧ୍ୟ ଶେଷ ହୋଇଛି ।
ଏହା ବ୍ୟତୀତ ନନ୍ଦା ଭଦ୍ରା ନୌକାର ମରାମତି କାର୍ଯ୍ୟ ଶେଷ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ କହିବା ମୁତାବକ, ନନ୍ଦା, ଭଦ୍ରା ନୌକା ନରେନ୍ଦ୍ର ଜଳରୁ ଉଠାଯିବା ପରେ ମଙ୍ଗଳାଯୋଡ଼ିରୁ ଡଙ୍ଗା କାରିଗର ଆସି ମରାମତି କାର୍ଯ୍ୟ କରୁଛନ୍ତି । ରାଳବୋଳା କାର୍ଯ୍ୟ ଶେଷ ହେବା ପରେ ପୁଣି ଡଙ୍ଗା ପାଣିକୁ ଓହ୍ଲାଇବ । ଏହାପରେ ୧୦ ମହାରଣା ଓ ୧୦ ଜଣ ଭୋଇସେବକ ଡଙ୍ଗାରେ ବିମାନ ଯିବା ପାଇଁ ଆନୁଷଙ୍ଗିକ କାମ କରିବେ । ଚନ୍ଦନଘର ବାହାର ପାର୍ଶ୍ଵରେ ଚିତ୍ରକରଙ୍କ ଦ୍ଵାରା ବିଭିନ୍ନ ଚିତ୍ରରେ ସୁସଜ୍ଜିତ କରାଯାଉଛି । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଡଙ୍ଗାରେ ରଙ୍ଗବୋଳା ଚାଲିଥିବାବେଳେ ଚକଡ଼ା ଓ ମଣ୍ଡପରେ ଛାମୁଣ୍ଡିଆ କରାଯାଇଛି । ପୁଷ୍କରିଣୀ ମଧ୍ୟରେ ଭାରା ବନ୍ଧା କାର୍ଯ୍ୟ ଚାଲିଛି । ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦରଜି ସେବକଙ୍କ ଦ୍ବାରା ଚାପଡଙ୍ଗାର କନା କାର୍ଯ୍ୟ ଚାଲିଛି । ଦରଜି ସେବକ ଚାପଡଙ୍ଗା ପାଇଁ ମୃଦଙ୍ଗ ତକିଆ, ଶେଜ, ମାଣ୍ଡି, ପାଲିଙ୍କି ଚାଳି, ଚାନ୍ଦୁଆ ସମେତ ନନ୍ଦା ଓ ଭଦ୍ରା ଡଙ୍ଗା ପାଇଁ ମଣ୍ଡନି ତିଆରି କରୁଛନ୍ତି ।
ଇଟିିଭି ଭାରତ, ପୁରୀ