କଟକ: ଓଡ଼ିଶା ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା । ଓଡ଼ିଶା ଲୋକସେବା ଆୟୋଗ-OPSC ଉପରେ ବର୍ଷିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଦାଲତ ବାରମ୍ବାର ନିର୍ଦ୍ଦେଶ ଦେବା ପରେ ମଧ୍ୟ, ସଂଶୋଧିତ ମେଧା ତାଲିକା ଓପିଏସସି ଦାଖଲ କରୁ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ- ଓପିଏସସି ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।
ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା :
ଓଡ଼ିଶା ଲୋକସେବା ଆୟୋଗ- ଓପିଏସସି (OPSC) ତରଫରୁ ଏହି ମାମଲାକୁ ଯେମିତି ପରିଚାଳନା କରାଯାଉଛି ,ତାହା ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କଡା ସମାଲୋଚନା କରିଛନ୍ତି । ସଂଶୋଧିତ ମେଧା ତାଲିକା ସମର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇ ନାହିଁ । ନଭେମ୍ବର ୨୫ ତାରିଖରେ ଓପିଏସସି ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ସମଗ୍ର ସଂଶୋଧିତ ମେଧା ତାଲକା ସହିତ ସଚିବ, ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସସି ତରଫରୁ ଦାୟର ରିଟ୍ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
କାହିଁକି ଏହି ମାମଲା ହାଇକୋର୍ଟକୁ ଆସିଥିଲା :
୨୦୧୭-୧୮ରେ ଓପିଏସସି ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍ ସର୍ଭିସେସ (ଡେଣ୍ଟାଲ୍) କ୍ୟାଡର୍ ଗ୍ରୁପ-କ(ଜୁନିୟର) ଡେଣ୍ଟାଲ ସର୍ଜନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୯୮ଟି ଡେଣ୍ଟାଲ ସର୍ଜନ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳ ପ୍ରକାଶ ପରେ ୧୭୧ ଜଣ ପ୍ରାର୍ଥୀଙ୍କ ନାଁ ଓପିଏସସି ୨୦୧୮, ଅଗଷ୍ଟ ୯ ତାରିଖରେ ସୁପାରିସ କରିଥିଲା । ଓପିଏସସି ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଡେଣ୍ଟାଲ ସର୍ଜନ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର (Key-Answer) ଭୁଲ୍ ଥିବା ଅଭିଯୋଗ ହୋଇଥିଲା । କେତେକ ଆଶାୟୀ ପ୍ରାର୍ଥୀ ଏ ନେଇ ଓପିଏସ୍ସି ନିକଟରେ ଲଖିତ ଅଭିଯୋଗ କରିଥିଲେ। ଅଦାଲତରେ ମାମଲା ରୁଜୁ ହୋଇଥିଲା। ଓପିଏସ୍ସି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ- ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ପ୍ରସଙ୍ଗ, ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ କୋର୍ଟମହିଳା କମିଶନ ସଦସ୍ୟଙ୍କୁ ବରଖାସ୍ତ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ |
୨୦୧୮, ଅକ୍ଟୋବର ୫ରେ ବିଶେଷଜ୍ଞ କମିଟି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ୧୨ଟି ଉତ୍ତର ( କି- ଆନସାର) ଭୁଲ ଥିଲା । ଏହାପରେ ଓପିଏସସି ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ଖାତାର ପୁନଃ ମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା। ଓପିଏସସି ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ ପ୍ରାର୍ଥୀଙ୍କ ମାର୍କ ସଂଶୋଧନ କରାଯାଇଥିଲା । ସଂଶୋଧନ ପରେ ନିଯୁକ୍ତିରୁ ବାଦ୍ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କ ଠାରୁ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କ ନାଁ ଓପିଏସସି ଅନୁମୋଦନ କରିଥିବା ଏବଂ ଏପରି କମ୍ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତି ପାଇ ଚାକିରି କରୁଥିବା ସ୍ପଷ୍ଟ ଜଣା ପଡ଼ିଥିଲା ।
ପରେ ଜଣିକିଆ ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓପିଏସସି ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା । ସେପ୍ଟେମ୍ବର୍ ୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ କମିସନ କ’ଣ ନିଷ୍ପତ୍ତି ନେବାକୁ ଯୋଜନା କରୁଛନ୍ତି ସେ ନେଇ ଜଣାଇବାକୁ କହିଥିଲେ। ସେପ୍ଟେମ୍ବର ୪ର ନିର୍ଦ୍ଦେଶ ପାଳନ କରି ଓପିଏସସି ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରାର୍ଥୀଙ୍କ ଖାତାର ପୁନଃ ମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା । ଓପିଏସସି ପୂର୍ବ ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ୧୧ ଜଣ ପ୍ରାର୍ଥୀ ସଂଶୋଧନ ପରେ ଧାର୍ଯ୍ୟ କଟ୍-ଅଫ୍ ମାର୍କଠାରୁ କମ୍ ମାର୍କ ରଖିଥିଲେ । କିନ୍ତୁ ମାର୍କ ସଂଶୋଧନ ହେବା ବେଳକୁ ସେମାନେ କିଛିବର୍ଷ ଚାକିରି କରି ସାରିଥିଲେ।
ସଂଶୋଧନ ପରେ ଧାର୍ଯ୍ୟ ସାନି କଟ୍-ଅଫ୍ ମାର୍କଠାରୁ କମ୍ ମାର୍କ ରଖିଥିବା ଏହି ୧୧ ଜଣଙ୍କୁ ଚାକିରିରୁ ବହିଷ୍କାର ନ କରିବା ପାଇଁ ଓପିଏସସି, ସରକାରଙ୍କୁ ୨୦୨୨, ନଭେମ୍ବର ୪ରେ ପରାମର୍ଶ ଦେଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବର ୬ରେ ଅନୁଷ୍ଠିତ ବୈଠକରେ ପୂର୍ବ ପରାମର୍ଶ ପ୍ରତ୍ୟାହାର ପାଇଁ ଓପିଏସସି ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ସଂଶୋଧନ ପରେ ଧାର୍ଯ୍ୟ କଟ୍-ଅଫ୍ ମାର୍କଠାରୁ କମ୍ ମାର୍କ ରଖିଥିଲେ ମଧ୍ୟ ଚାକିରି ପାଇ କାର୍ଯ୍ୟ କରୁଥିବା ୧୧ ଜଣଙ୍କ ସଂପର୍କିତ ପୂର୍ବ ଅନୁମୋଦନ ପ୍ରତ୍ୟାହାର ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ହାଇକୋର୍ଟଙ୍କ ଅନୁମତି ନିଆଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଏହାପରେ ସମଗ୍ର ସଂଶୋଧିତ ମେଧା ତାଲିକା ଦାଖଲ ପାଇଁ ଓପିଏସସିକୁ ହାଇକୋର୍ଟ କହିଥିଲେ।
ଇଟିଭି ଭାରତ, କଟକ