ଢେଙ୍କାନାଳ: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । କାମକୁ ଯାଉଥିବା ସମୟରେ ବାଟରେ ଛକି ବସିଥିଲା ଯମ । ଢେଙ୍କାନାଳ ଜିଲ୍ଲାରେ ଆଜି(ଗୁରୁବାର ଭୋର ସମୟରେ ଏହି ସଡକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୫୩ ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ହୋଇପଡିଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣଙ୍କ ଆଖି ବୁଜିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ବାଉଁଶକଣ ଗାଁର ସଞ୍ଜୟ ପାଣିଗ୍ରାହୀ ।
ସୂଚନା ଅନୁସାରେ, ସଞ୍ଜୟ ଯାଜପୁର ଜିଲ୍ଲା କଳିଙ୍ଗ ନଗରସ୍ଥିତ ଟାଟା ପ୍ଲାଣ୍ଟର ଜଣେ ଅସ୍ଥାୟୀ କର୍ମଚାରୀ ଭାବରେ କାମ କରନ୍ତି । ପରିବାର ପ୍ରତିପୋଷଣ ପାଇଁ ଏକ ସାଇକେଲ ଯୋଗେ ପ୍ରତିଦିନ ଭୋରୁ ଭୋରୁ କୋଡିଏ କିଲୋମିଟର ଯିବାଆସିବା କରନ୍ତି । ତେବେ ସଞ୍ଜୟ ପ୍ରତିଦିନ ପରି ଆଜି ମଧ୍ୟ ସାଇକେଲରେ ସେ ପ୍ଲାଣ୍ଟକୁ ଯାଉଥିବା ସମୟରେ ପୁବଳ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ସଞ୍ଜୟ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ ।
ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ବେଳେ ସଞ୍ଜୟଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପରିବାର ଲୋକେ ଭୁବନ ମେଡିକାଲରେ ପହଞ୍ଚିଥିଲେ । ଏଥିସହ ପରିବାର ଲୋକେ ଏନେଇ ଭୁବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୁବନ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବ । ସଞ୍ଜୟଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ପରିବାର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ମର୍ମାହତ ହୋଇପଡିଛନ୍ତି । ଗ୍ରାମରେ ଖବର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ: ବାଇକ ଉପରେ ମାଡିଗଲା ଟ୍ରକ, ୨ ଯୁବକ ମୃତ
ସୂଚନା ଥାଉ କି, ବ୍ୟାପକ ସଚେତନତା ଓ ସତର୍କ କରାଯିବା ପରେ ମଧ୍ୟ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଅଧିକାଂଶ ସଡ଼କ ଦୁର୍ଘଟଣା ମଦ୍ୟପାନ, ଦ୍ରୁତ ଗତି ଏବଂ ବେପାରୁଆ ହୋଇ ଗାଡ଼ି ଚାଳନା ଯୋଗୁଁ ଘଟୁଛି । ଦ୍ରୁତ ଗତି ସବୁବେଳେ ବିପତ୍ତି ଆଣିଥାଏ । ଏ ଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ।
ଇଟିଭି ଭାରତ, ଢେଙ୍କାନାଳ