ବଲାଙ୍ଗୀର: ପୁଣି ନରବଳି ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳକ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ଘଟଣାରେ ଜଣେ ଅଟକ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଘୋର ଗ୍ରାମରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଜଣେ ନାବାଳକର ଗଳା କାଟି ହତ୍ୟା ଉଦ୍ୟମ ହୋଇଛି । ଯାହାକୁ ନେଇ ପରିବାରଲୋକେ ନରବଳିର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ନାବାଳକ ଜଣକ ପାଣି ଆଣିବାକୁ ସ୍ଥାନୀୟ ନଳକୂଅକୁ ଯାଇଥିଲା । ସେହି ନିକଟରେ ରହୁଥିବା ଜଣେ ବୃଦ୍ଧ ବିରଞ୍ଚି ଭୁଏ ତାଙ୍କୁ ମିଠା ଖାଇବାକୁ ଡାକିଥିଲେ । ଯାହା ପରେ ନାବାଳକ ଜଣକ ତାଙ୍କ ଘରକୁ ଯାଇଥିବାବେଳେ ତାଙ୍କୁ ଏକ ଲଡୁ ଦିଆଯାଇଥିଲା । ଏହାପରେ ନାବାଳକ ଉପରକୁ ଚାଉଳ ଇତ୍ୟାଦି ଛିଞ୍ଚି ତା'ର ଗଳାକୁ ଏକ ଧାରୁଆ ଦାଆରେ କାଟି ଦେଇଥିଲେ । ହେଲେ କୌଶଳକ୍ରମେ ନାବାଳକ ଜଣକ ସେଠାରୁ ଖସି ଆସି ନିଜ ଘରେ ପହଞ୍ଚିଥିଲା ।
ନାବାଳକ ଜଣକ ଅତି ଭୟଭୀତ ଥିବାବେଳେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ନାବାଳକର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାର ସୂଚନା ମିଳିଛି । ସେପଟେ ସଇଁତଳା ପୋଲିସ ଏହି ଅଭିଯୋଗ ପାଇବା ପରେ ଜଣେ ଅଭିଯୁକ୍ତ ବିରଞ୍ଚି ଭୁଏଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।
ଏହା ବି ପଢନ୍ତୁ...ସଇତାନ ସାଜିଲେ ବାପା ମାଆ, ଜନ୍ମ କଲା ପୁଅକୁ ବଳି ଉଦ୍ୟମ
ଏହା ବି ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୧୦ ଅଭିଯୁକ୍ତ ଗିରଫ
ନାବାଳକର ସମ୍ପର୍କୀୟଙ୍କ କହିବା ଅନୁସାରେ, "ଆଜି ସେମାନେ ଘରେ ଥିବା ବେଳେ ସେ ପାଣି ନେବାକୁ ଯାଇଥିଲା । ନିକଟରେ ରହୁଥିବା ଜଣେ ବୃଦ୍ଧ ତାଙ୍କ ଘରକୁ ଡାକି ପିଲାଟିକୁ ମିଠା ଖାଇବାକୁ ଦେଇଥିଲେ । ମିଠା ଦେବା ବାହାନାରେ ସେଠାରେ ସେ ପୂଜାପାଠ କରି ଏକ ଲଡୁ ଦେଇଥିଲେ । ଆଉ ପରେ ପିଲାଟିର ଗଲା କାଟି ଦେଇଥିଲେ ।" ନାବାଳକ ଜଣକ ସେଠାରୁ କୌଣସି ମତେ ଖସି ଆସି ନିଜ ଘରେ ପହଞ୍ଚିଥିଲା । ଏହି ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲା ।" ତେବେ ବୃଦ୍ଧ ଜଣକ ତନ୍ତ୍ର ସାଧନା କରନ୍ତି, ତେଣୁ ସେ ତାଙ୍କ ଶିଶୁଙ୍କୁ ବଳି ଦେବାର ଉଦ୍ୟମ କରିଥିବାର ଅଭିଯୋଗ ଆଣିଛନ୍ତି ପରିବାର ।
ଇଟିଭି ଭାରତ, ବଲାଙ୍ଗୀର