କେନ୍ଦ୍ରାପଡା: ବିଳମ୍ବରେ ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛମାନଙ୍କର ସାମୂହିକ ଅଣ୍ଡାଦାନ ବା ମାସ ନେଷ୍ଟିଂ ପ୍ରକ୍ରିୟା । ଗତ ନଭେମ୍ବର ମାସର ଶେଷାର୍ଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସି ପହଞ୍ଚିଥିବା ଅଲିଭ ରିଡଲେ ମାନଙ୍କର ଦୀର୍ଘ ଦୁଇମାସ ଧରି ସ୍ଫରାଟିକ (ଗୋଟି ଗୋଟି ଅଣ୍ଡାଦାନ) ପ୍ରକ୍ରିୟା ଚାଲିଥିବା ବେଳେ ପ୍ରାୟ ଏକମାସ ବିଳମ୍ବରେ ଚଳିତ ଥର ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ବିଳମ୍ବ ହୋଇଥିବା ପରିବେଶବିତମାନେ ମତ ରଖିଛନ୍ତି ।
ମାର୍ଚ୍ଚ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାୟ ଚାରି ସପ୍ତାହ ଅର୍ଥାତ ମାସେ ବିଳମ୍ବରେ ଅଣ୍ଡା ଦେଇଛନ୍ତି ଅଲିଭ ରିଡଲେ । ରାଜ୍ୟର ଋଷିକୂଲ୍ୟା, ଦେବୀ ଓ ଗହୀରମଥାରେ ଅଲିଭ ରିଡଲେମାନଙ୍କ ଆଗମନ ନଭେମ୍ବର ମାସରୁ ହୋଇଥିଲେ ମଧ୍ୟ ବିଶ୍ୱ ମାନଚିତ୍ରରେ ସ୍ଥାନିତ ଗହୀରମଥାରେ ବିଳମ୍ବ ହୋଇଛି ଚଳିତବର୍ଷର ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା । ଦେବୀ ନଦୀ ମୁହାଣରୁ ଧାମରା ମୁହାଣ ମଧ୍ୟରେ ଥିବା ସମସ୍ତ ସାମୁଦ୍ରିକ ବେଳାଭୂମି ଯେପରିକି ଅଗରନାସୀ, ଶିଆଳି, ବରୁଣେଇ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲା, ଜଗତସିଂହପୁର ଜିଲ୍ଲା ଓ ଭଦ୍ରକ ଜିଲ୍ଲାର ଉପକୂଳ ଅଞ୍ଚଳରେ ସ୍ଫୋରାଟିକ ନେଷ୍ଟିଂ ହେଉଥିବା ବେଳେ ନାସୀ-୧, ନାସୀ-୨ ଓ ବାବୁବାଲିରେ ମାସ୍ ନେଷ୍ଟିଂ ବା ସାମୁହିକ ଅଣ୍ଡାଦାନ କରିଥାନ୍ତି ଏହି ବିରଳ ଅଲିଭ ରିଡଲେ ।
ଏହାମଧ୍ୟ ପଢନ୍ତୁ.. ପୁରୀ ଉପକୂଳ ସାଜିଛି ମରଣଜନ୍ତା ! ଟ୍ରଲର ମାଡ଼ରେ ଯାଉଛି ଅଲିଭ ରିଡଲେଙ୍କ ଜୀବନ
ଏହି ଅଲିଭ ରିଡଲେ ମୁଖ୍ୟତଃ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଓ ଶ୍ରୀଲଙ୍କାର ଜାଫନା ଉପକୂଳରୁ ଆସୁଥିବା କୁହାଯାଉଥିବା ବେଳେ ଗହୀରମଥାରେ ଜେଲି ଫିସ ଅଧିକ ରହିଥିବାରୁ ଅଲିଭ ରିଡଲେ ଏହି ସ୍ଥାନକୁ ଆସୁଥିବା କହିଛନ୍ତି ପରିବେଶବିତ । ସେହିପରି ସମୁଦ୍ର ଉପକୂଳସ୍ଥ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଗହୀରମଥା ବେଳାଭୂମିକୁ ଅନୁକୂଳ ପାଗ ଯୋଗୁ ଅଲିଭ ରିଡଲେ ନଭେମ୍ବର ମାସ ଆରମ୍ଭରୁ ଆସୁଥିବା ବେଳେ ମେ ମାସ ଶେଷ ଭାଗରେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।
ଗୋଟିଏ କଇଁଛ ୧୦୦ ରୁ ୧୫୦ଟି ଅଣ୍ଡା ଦେଉଥିବା ବେଳେ ଏହି ଅଣ୍ଡାରୁ ଶାବକ ବାହାରିବା ପାଇଁ ଦେଢ଼ ମାସରୁ ଦୁଇମାସ ସମୟ ଲାଗିଥାଏ । ୧୯୭୫ ମସିହାରେ ଅର୍ଥାତ ଭିତରକନିକାକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଗହୀରମଥା ଉପକୂଳରେ କଇଁଛ ମାନଙ୍କ ଅଣ୍ଡାଦାନ ଦେଖିବାକୁ ମିଳିଥିଲା ଓ ପରେ ଏହାକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଅନ୍ୟପଟେ ବିରଳ ଅଲିଭ ରିଡଲେମାନେ ଗହୀରମଥାର ମସୃଣ ବାଲି ଯୋଗୁଁ ଏଠାକୁ ନିଜର ଅଣ୍ଡାଦାନ ପାଇଁ ଚିହ୍ନଟ କରିଥିବା କହିଛନ୍ତି ପରିବେଶବିତ ।
ଅଲିଭ ରିଡଲେ କଇଁଛ ମାନଙ୍କର ଆଗମନ ଠାରୁ ଆରମ୍ଭ କରି ସାମୁହିକ ଅଣ୍ଡାଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ବନବିଭାଗ ସଜାଗ ରହିଥିବା ସହ କମ ଲାଇଟିଂ, କଡା ସୁରକ୍ଷା, ପାଟ୍ରୋଲିଂ ବ୍ୟବସ୍ଥାକୁ ଦ୍ବିଗୁଣିତ କରୁଥିବା କହିଛନ୍ତି ବନଖଣ୍ଡ ଅଧିକାରୀ। ଅଲିଭ ରିଡଲେ କଇଁଛ ସିଡ୍ୟୁଲ-1 ଅନ୍ତର୍ଗତ ହୋଇଥିବା କାରଣରୁ ଏହାର ସୁରକ୍ଷା ପାଇଁ ଭଦ୍ରକ ଚାନ୍ଦିପୁର ସ୍ଥିତ DRDO, ଭାରତୀୟ କୋଷ୍ଟଗାର୍ଡ, ନ୍ୟାଭି ଭଳି ବିଭିନ୍ନ ସଂସ୍ଥା ସହଯୋଗ କରିଥାନ୍ତି । ସେହିପରି ବେଳାଭୂମି ସଫେଇ କାର୍ଯ୍ୟରେ ସ୍ଥାନୀୟ ଯୁବକ ସଂଘ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହଯୋଗ ରହିଥାଏ । "ଆରିବାଡା" ଅର୍ଥାତ ମାସ୍ ନେଷ୍ଟିଂ ମାର୍ଚ୍ଚ ଦ୍ଵିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ କାରଣରୁ ଏଥିରେ ବିଳମ୍ୱ ହୋଇଥିବା କହିଛନ୍ତି ପରିବେଶବିତ୍ ।
ସୂଚନାଯୋଗ୍ୟ, ପୂର୍ବ ତିନିବର୍ଷ ଅଲିଭ ରିଡଲେ କଇଁଛଙ୍କ ସଂଖ୍ୟା ଗହୀରମଥା ସାମୁଦ୍ରିକ ବେଳାଭୂମିରେ ବଢିଥିବା ଏକ ଖୁସି ଖବର ପାଲଟିଥିବା ବେଳେ ଚଳିତବର୍ଷ ବିଳମ୍ବିତ ଅଣ୍ଡାଦାନ ଚିନ୍ତାର କାରଣ ଅଟେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା