ଭୁବନେଶ୍ୱର: ପାରାଦ୍ୱୀପ ପୋର୍ଟ ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ବିଶ୍ୱର ବୃହତ୍ତମ କଣ୍ଟେନର ସିପିଂ କମ୍ପାନୀ ଏମଏସସି ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଚୁକ୍ତି ଅନୁସାରେ କମ୍ପାନୀ ଗୋଟିଏ ଭେସଲସରେ ୨୫୦ ଟିୟୁ ସାମଗ୍ରୀ ରପ୍ତାନୀ-ଆମଦାନୀ କରିପାରିବ । ଏମଏସଏମଓ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଏମଏସଏମଇ ସଚିବ ଶାଶ୍ୱତ ମିଶ୍ର ଏବଂ ମେଡିଟେରିଆନ ସିପିଂ କମ୍ପାନୀ ଏମଏସସିର ଅଧ୍ୟକ୍ଷ କ୍ୟାପଟେନ ଦୀପକ ତିୱାରୀଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ନାଲକୋ, ବେଦାନ୍ତ, ଜେଏସ୍ଡବ୍ଲୁ, କୋଇଲା, ଖଣିଜ ପଦାର୍ଥ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଧାତବ ପଦାର୍ଥ ସହ ଅନ୍ୟାନ୍ୟ କମ୍ପାନୀ, କୃଷି ଓ ଉଦ୍ୟାନ କୃଷିଭିତ୍ତିକ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ, ମସଲା ବିଦେଶକୁ ରପ୍ତାନୀ କରିବ । ସେହିପରି ବିଦେଶରୁ ମଧ୍ୟ ଆବଶ୍ୟକ ପଦାର୍ଥ ନିର୍ଦ୍ଦିଷ୍ଟ ଓଜନ ପରିମାଣରେ ଆମଦାନୀ କରାଯିବ ।
ଏନେଇ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ୧୨୭,୦୦୦ କୋଟି ଟଙ୍କାର କାରବାର ହୋଇଥିଲା । ମେଡିଟେରିଆନ ସିପିଂ କମ୍ପାନୀ ଏମଏସସି ପ୍ରାଇଭେଟ ଲିମିଟେଡ ପାରାଦ୍ୱୀପ ପୋର୍ଟ ଜରିଆରେ ନିୟମିତ କଣ୍ଟେନର କାର୍ଗୋ ରପ୍ତାନୀ-ଆମଦାନୀ ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହା ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ସମସ୍ତ ଷ୍ଟକ ହୋଲ୍ଡର, ଏମଏସସି ଏବଂ ରାଜ୍ୟ ସରକାର ଉପକୃତ ହେବେ ।
ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ପୂର୍ବରୁ ଭାଇଜାକ ଓ ହଳଦିଆ ମଧ୍ୟ ଦେଇ ଓଡ଼ିଶା ଦ୍ରବ୍ୟ ରପ୍ତାନୀ ହେଉଥିଲା । ବର୍ତ୍ତମାନ ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗର କିଛି ଅଂଶ ଓ ବାଂଲାଦେଶ ପାରାଦ୍ୱୀପ ପୋର୍ଟ ଜରିଆରେ ଆମଦାନୀ-ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶ ପାଉଛି ।
ଏହାମଧ୍ୟ ପଢନ୍ତୁ...ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର
ଏମଏସସିର ଅଧ୍ୟକ୍ଷ କ୍ୟାପଟେନ ଦୀପକ ତିୱାରୀ କହିଛନ୍ତି, "ଭାରତର କୌଣସି ରାଜ୍ୟରେ ଏପରି ଏଗ୍ରିମେଣ୍ଟ ପୂର୍ବରୁ ହୋଇନଥିଲା । ଓଡ଼ିଶାରେ ପ୍ରଥମ କରି ସମ୍ଭବ ହୋଇଛି । ଓଡ଼ିଶାର କାର୍ଗୋ ଓଡ଼ିଶା ବନ୍ଦର ମଧ୍ୟ ଦେଇ ରପ୍ତାନୀ ହେଉ ବୋଲି ମୁଁ ଦୃଢ଼ୋକ୍ତି ପ୍ରକାଶ କରୁଛି । ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଭିତ୍ତିକ ରପ୍ତାନୀ ଆମଦାନୀ ପାଇଁ କଣ୍ଟେନର ମାଧ୍ୟମରେ ସିପିଂ ହେବା ଆମର ଲକ୍ଷ୍ୟ । ଏମଏସସିର ଭେସଲସ ପାରାଦ୍ୱୀପରୁ ଖୁବଶୀଘ୍ର ଆରମ୍ଭ ହେବ । ଏହି ଚୁକ୍ତି ସ୍ୱାକ୍ଷର ଅନୁଯାୟୀ ପ୍ରଥମ ଥର ପାରାଦ୍ୱୀପରୁ ଶ୍ରୀଲଙ୍କାର କଲମ୍ବୋ ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ କରାଯିବ ।"
ପାରାଦ୍ୱୀପ ପୋର୍ଟର ଉପାଧ୍ୟକ୍ଷ ନିଳାମ୍ବର ଦାସଗୁପ୍ତା କହିଛନ୍ତି ଯେ, ବହୁ ଶତାବ୍ଦୀ ପରେ ପୁଣି ସାମୁଦ୍ରିକ ବାଣିଜ୍ୟ ଆରମ୍ଭ ହେବାର ଏକ ନୂଆ ଯୁଗ ସୃଷ୍ଟି ହୋଇଛି । ପାରାଦ୍ୱୀପ ପୋର୍ଟର ଇକୋସିଷ୍ଟମ, ଆଧୁନିକ କଣ୍ଟେନର, ଆଧୁନିକ କାର୍ଗୋ କଣ୍ଟେନର ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟିକ ଅର୍ଥନୀତିକୁ ସୁଦୃଢ଼ କରିପାରିଛି । ପାରାଦ୍ୱୀପ ପୋର୍ଟ ୧୦୦ ମିଲିୟନ ମେଟ୍ରିକ ଟନ କାର୍ଗୋ ରପ୍ତାନୀ-ଆମଦାନୀରେ ପହଞ୍ଚିସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବହନ କ୍ଷେତ୍ରରେ ୭୫% ରିହାତି ପ୍ରଦାନ କରାଯିବ । ଓଡ଼ିଶାରୁ ଓଡ଼ିଶାର କାର୍ଗୋ ଓ ଓଡ଼ିଶାକୁ ଓଡ଼ିଶା କାର୍ଗୋ ପାରାଦ୍ୱୀପ ପୋର୍ଟର ଲକ୍ଷ୍ୟ ଅଟେ । ତେବେ କଷ୍ଟମ ନିୟମ ଅନୁସାରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଶା କଷ୍ଟମ କମିଶନର ମାଧବ ଚନ୍ଦ୍ର ମିଶ୍ର ।
ଭୁବନେଶ୍ୱର, ଇଟିଭି ଭାରତ