ଭୁବନେଶ୍ବର: ରାଜ୍ୟରେ ଯକ୍ଷ୍ମା ନିରାକରଣ ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ସାମିଲ ଥିଲେ । ଏହି ମିଶନରେ ରାଜ୍ୟରେ ଥିବା ୧୯ଟି ଯକ୍ଷ୍ମାବହୁଳ ଜିଲ୍ଲାଗୁଡିକୁ ଅଧିକ ମାତ୍ରାରେ ଫୋକୋସ କରାଯାଇଛି । ଏହି ସମସ୍ତ ଜିଲ୍ଲାଗୁଡିକରେ କିଭଳି ଭାବରେ ଟିବି ମୁକ୍ତ କରାଯିବ ସେନେଇ ସମସ୍ତ ପ୍ରୟାସ କରାଯାଉଛି । ଅନ୍ୟପଟେ ଏହି ୧୦୦ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ସମୟରେ ସର୍ବାଧିକ ପ୍ରଭାବିତ ହେଉଥିବା ଦେଶର ୩୪୭ଟି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା କରିବାକୁ ପ୍ରୟାସ କରାଯିବ ବୋଲି ଅଭିଯାନର ଲକ୍ଷ ।
- ୨୦୨୫ ସୁଧା ରାଜ୍ୟରୁ ନିପାତ ହେବ ଯକ୍ଷ୍ମା:-
୨୦୨୫ ସୁଦ୍ଧା ଓଡିଶାକୁ ଯକ୍ଷ୍ମା ମୁକ୍ତ ରାଜ୍ୟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରୟାସ କରିଆସୁଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ଉପଲବ୍ଧ ହୋଇଛି ମଡ୍ୟୁଲାର ଡାଇଗ୍ନୋସିସ୍ ମେସିନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୦ଟି ମେସିନ କାମ କରୁଛି । ଯକ୍ଷ୍ମା ରୋଗକୁ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ମାଗଣାରେ କରାଯାଉଛି ଯକ୍ଷ୍ମା ଟେଷ୍ଟିଂ ଓ ମାଗଣାରେ ଦିଆଯାଉଛି ଔଷଧ । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାର ଲକ୍ଷଣ ହେଲା ଦୁଇ ସପ୍ତାହରୁ ଅଧିକ କାଶ ହେବା, କଫ ହେବା, ଦୁର୍ବଳ ଲାଗିବା, ଥଣ୍ଡା ଜ୍ବର ନଛାଡିବା ଓ ଭୋକ ନଲାଗିବା ଆଦି ଲକ୍ଷଣମାନ ହୋଇଥାଏ ।
- ଟିବି ସଂକ୍ରମିତଙ୍କ ପାଇଁ କ’ଣ ରହିଛି ସୁବିଧା:-
ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଓ ସମସ୍ତ ହେଲ୍ଥ ଓ ଓ୍ବେଲନେସ ସେଣ୍ଟରରେ ଚିହ୍ନଟ ହୋଇଥିବା ଯକ୍ଷ୍ମା ରୋଗୀଙ୍କୁ ବିନା ମୁଲ୍ୟରେ ରୋଗ ନିରୂପଣ କରାଯାଇ ଉନ୍ନତମାନର ଔଷଧ ଦିଆଯାଉଛି । ମାଇକ୍ରୋସ୍କୋପି ଏବଂ ଏକ୍ସରେ ସହିତ ମୋଲେକୁଲାର ପଦ୍ଧତି ଦ୍ବାରା କଫ ପରୀକ୍ଷା ସୁବିଧାକୁ ଧୀରେ ଧୀରେ ସମସ୍ତ ବ୍ଲକକୁ ସଂପ୍ରସାରିତ କରାଯାଉଛି । ‘ଏନପିୱାଇ’ ଅଧୀନରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ମାସିକ ୫ ଶହ ଟଙ୍କା ଭତ୍ତା, ଚିକିତ୍ସା ବାବଦରେ ଦିଆଯାଉଛି । ଚିକିତ୍ସା ଶେଷ ହେବା ପର୍ଯ୍ୟନ୍ତ ରୋଗୀଙ୍କ ବ୍ୟାଙ୍କ ଖାତା ଜରିଆରେ ଏହି ରାଶି ପ୍ରଦାନ କରାଯାଉଛି । ବିଆଇ- ଡିରେକ୍ସନାଲ (Bi-Directional) ପଦ୍ଧତିରେ ଯକ୍ଷ୍ମା ସହ ଅନ୍ୟାନ୍ୟ ରୋଗଗୁଡିକ, ଯଥା କୋରୋନା, ଡାଇବେଟିସ, ଏଚଆଇଭି, ନିୟୁଟ୍ରେସନ ଏବଂ ଟବାକୋ ଆଦିର ଚିହ୍ନଟ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
- ଯକ୍ଷ୍ମା ପ୍ରତିରୋଧ ଓ ପ୍ରତିଷେଧକର ବିକାଶ ପାଇଁ ଗବେଷଣାକୁ ଗୁରୁତ୍ୱ:-
ଯକ୍ଷ୍ମା ପ୍ରତିରୋଧ ଓ ପ୍ରତିଷେଧକର ବିକାଶ ପାଇଁ ଗବେଷଣାକୁ ଗୁରୁତ୍ୱ ଦିଆଯାଉଛି । ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗ କରିବା ପାଇଁ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛ। ବିଶେଷ ଭାବରେ ବୈଷୟିକ ଶିକ୍ଷା, ଜୈବ ବିଜ୍ଞାନ, ମଲିକୁଲାର ବାୟୋଲୋଜି ଏବଂ ମାଇକ୍ରୋ ବାୟୋଲୋଜି କ୍ଷେତ୍ରରେ ଏକାଡେମିକ୍ ପ୍ରକ୍ରିୟାର ଗୁଣବତ୍ତା ତଥା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଗବେଷଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ଉଭୟ ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣାପତ୍ର କାର୍ଯ୍ୟ କରିବ। ଯକ୍ଷ୍ମାର ପ୍ରତିରୋଧ ପାଇଁ ଟିକା ବା ପ୍ରତିଷେଧକର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଉଭୟ ପ୍ରତିଷ୍ଠାନ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବ। ଏହା ସହ ଆଇଆଇଟି ଭୁବନେଶ୍ୱର ଏବଂ ଆଇଏଲ୍ଏସର ଅଧ୍ୟାପକମାନେ ପାରସ୍ପରିକ ସହମତିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଆଧାର କରି ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା କ୍ଷେତ୍ରରେ ସହଯୋଗ ଏବଂ ତାଲିମ ଦେବା କାର୍ଯ୍ୟ କରିପାରିବେ।
- ହ୍ରାସ ପାଉଛି ଟିବି ମୃତ୍ୟୁ ସଂଖ୍ୟା:-
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ,୨୦୧୫ ଠାରୁ ବାର୍ଷିକ ଯକ୍ଷ୍ମା ରୋଗ ହାର ୧୮ ପ୍ରତିଶତ ହ୍ରାସ ପାଇଛି। ୨୦୨୩ ସୁଦ୍ଧା ମୃତ୍ୟୁ ହାର ୨୨ ପ୍ରତିଶତ ହ୍ରାସ ପାଇଛି। ଏକ ଲକ୍ଷ ଜନସଂଖ୍ୟାରେ ୨୦୧୫ ମସିହାରେ ୨୩୭ ଏବଂ ୨୦୨୩ ମସିହାରେ ୧୯୫ କୁ ହ୍ରାସ ପାଇଛି। ସେହିପରି ଭାବରେ ଏକ ଲକ୍ଷ ଜନସଂଖ୍ୟାରେ ୨୦୧୫ ମସିହାରେ ୨୮ ଜଣଙ୍କ ଟିବି ରେ ମୃତ୍ୟୁ ଘଟିଥିବା ବେଳେ ୨୦୨୩ ମସିହାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
- ଏହି ଅଭିଯାନରେ ପ୍ରମୁଖ ଫୋକସ୍:-
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି "ଏହି ଅଭିଯାନରେ ପ୍ରମୁଖ ଫୋକସ୍ ରଖାଯାଇଛି ଆଧୁନିକ ନିଦାନ, ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବା ନିର୍ଦ୍ଦିଷ୍ଟ ଲୋକଙ୍କ ମଧ୍ୟରେ ପ୍ରାଥମିକ ପରୀକ୍ଷା, ଅଧିକ ପୀଡ଼ିତ ହେବାର ଆଶଙ୍କା ଥିବା ଲୋକଙ୍କ ପାଇଁ ସ୍ଵତନ୍ତ୍ର ଚିକିତ୍ସା, ସୁଷମ ତଥା ପୁଷ୍ଟିକର ଖାଦ୍ୟ ସେବନ। ଲୋକମାନଙ୍କ ମଧ୍ୟ ରେ ଅଧିକ ରୁ ଅଧିକ ସଚେତନତା ବୃଦ୍ଧି କରିବା ପାଇଁ ଆଜି ରାଜ୍ୟ ମିଳିତ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ଵତନ୍ତ୍ର ଭେଇକିଲ ଲଂଚ କରିଛି। ଏହା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଯେଉଁଠି ରୋଗୀ ଚିହ୍ନଟ ହୋଇଛି ସେଠି ମେଡିସିନ ଦେବା କାର୍ଯ୍ୟକ୍ରମ ରହିବ। ଏକ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ। ଯେଉଁଥିରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଠାରୁ ଆରମ୍ଭ କରି ଆଶାକର୍ମୀ ।’’
- ରାଜ୍ୟରେ କେତେ ଅଛନ୍ତି ଟିବି ରୋଗୀ:-
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସମୟରେ ୧୯ଟି ଜିଲ୍ଲାକୁ ଫୋକୋଷ କରାଯାଉଛି । ବଲାଙ୍ଗୀର, ବରଗଡ, ଭଦ୍ରକ, ବୌଦ୍ଧ, କଟକ, ଦେଓଗଡ, ଗଞ୍ଜାମ, ଜଗତସିଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସୋନପୁର, ରାୟଗଡା ଓ ସୁନ୍ଦରଗଡ ଆଦି ଜିଲ୍ଲା ରହିଛି । ତେବେ ବଲାଙ୍ଗିର ଜିଲ୍ଲାରେ ୧୨୧୧ ଟିବି ରୋଗୀ ରହିଥିବା ବେଳେ ବରଗଡ ଜିଲ୍ଲାରେ ୯୪୪ ଜଣ, ସେହିପରି ଭାବରେ ଭଦ୍ରକ ଜିଲ୍ଲାରେ ୬୮୪, ବୌଦ୍ଧ ଜିଲ୍ଲାରେ ୧୭୬, କଟକ ଜିଲ୍ଲାରେ ୧୬୬୧, ଦେଓଗଡ ଜିଲ୍ଲାରେ ୧୯୯, ଗଞ୍ଜାମ ଜିଲ୍ଲାରେ ୪୧୭୨, ଜଗତସିଙ୍ଗପୁର ଜିଲ୍ଲାରେ ୨୯୮ , କଳାହାଣ୍ଡି ଜିଲ୍ଲାରେ ୧୧୦୦, କନ୍ଧମାଳ ଜିଲ୍ଲାରେ ୯୬୮, କେନ୍ଦ୍ରାପଡା ଜିଲ୍ଲାରେ ୬୧୨ କେନ୍ଦୁଝର ଜିଲ୍ଲାରେ ୨୩୩୦ , କୋରାପୁଟ ଜିଲ୍ଲାରେ ୧୪୬୮, ମାଲକାନଗିରି ଜିଲ୍ଲାରେ ୫୯୫, ମୟୂରଭଞ୍ଜ ଜିଲ୍ଲାରେ ୩୯୦୬ , ପୁରୀ ଜିଲ୍ଲାରେ ୭୭୮, ସୋନପୁର ଜିଲ୍ଲାରେ ୨୪୭, ରାୟଗଡା ଜିଲ୍ଲାରେ ୧୧୬୭ ଓ ସୁନ୍ଦରଗଡ ଜିଲ୍ଲାରେ ୧୯୧୪ ଜଣ ଟିବି ରୋଗୀ ରହିଛନ୍ତି । ତେବେ ରାଜ୍ୟରେ ମୋଟ ୧୯ଟି ଜିଲ୍ଲାରେ ବିଶେଷ ଭାବରେ ପାଖାପାଖି ୨୪୪୩୦ ଜଣ ଟିବି ରୋଗୀ ରହିଛନ୍ତି ।’’
ରାଜ୍ୟରେ ଟିବି ପାଇଁ କଣ ରହିଛି ସୁବିଧା:-
୧ ରାଜ୍ୟରେ ଟିବି ଟ୍ରେନିଂ ସେଣ୍ଟର ଗୋଟିଏ ମାତ୍ର ରହିଛି
୨ ଜିଲ୍ଲା ଟିବି ସେଣ୍ଟର ରହିଛି ୩୧ ଟି।
୩ ରାଜ୍ୟରେ ଟିବି ୟୁନିଟ ରହିଛି ୩୨୨ ଟି
୪ ମାଇକ୍ରୋସ୍କୋପି ସେଣ୍ଟର ୮୮୮ ଟି
୫ ଲାବରୋଟାରୀ ରହିଛି ୧ ଟିଏ ଯାହା କଟକ ରେ ଅବସ୍ଥିତ
୬ ଔଷଧ ଏବଂ ଲ୍ୟାବ ଆଦି ୨ ଟି ଯାହା ଭୁବନେଶ୍ଵର ସ୍ଥିତ ଆର ଏମ ଆର ସି ଏବଂ ଭୀମସାର ବୁର୍ଲା ଠାରେ ଅବସ୍ଥିତ
୭ ରାଜ୍ୟରେ ଆମ୍ପ୍ଲିପିକେସନ ଟେଷ୍ଟିଙ୍ଗ ଲ୍ୟାବ ରହିଛି ୪୮ ଟି
୮ ଟୃନାଟ ମେସିନ ରହିଛି ୭୪୮ ଟି
୯ ଟିବି ସେଣ୍ଟର ବା ଟି ୱାର୍ଡ ରହିଛି ୩ ଟି ରହିବା ସହ ୨୮ ଟି ମେଡିକାଲ କଲେଜରେ କାର୍ଯ୍ୟ କରୁଛି ଟିବି
ଦେଶରେ କେଉଁ ରାଜ୍ୟରେ ରହିଛି କେତେ ଟିବି ସ୍କୋର :-
"ସାରା ଦେଶରେ ଟିବି ରୋଗୀଙ୍କ ସଂଖ୍ୟା ଏବେବି ରହିଛି। ଯାହା ଜାନୁଆରୀ ଠାରୁ ଆରମ୍ଭ କରି ଡିସେମ୍ବର ୨୦୨୩ ମସିହା ମଧ୍ୟରେ ଭାରତରେ ଟିବି ସ୍କୋର ରହିଛି ୮୭.୦୭। ସେହି ଅନୁସାରେ ଆଣ୍ଡାମନ ଏବଂ ନିକୋବରରେ ୮୯.୪୭। ଆନ୍ଧ୍ରା ପ୍ରଦେଶରେ ୮୬.୧୭, ଅରୁଣାଚଳ ପ୍ରଦେଶରେ ୭୮.୧୩, ଆସାମରେ ୮୩.୯୩, ବିହାରରେ ୭୪.୮୩, ଚଣ୍ଡିଗଡରେ ୮୪.୦୨, ଛତିଶଗଡରେ ୮୧.୧୨, ଡାମନ ଡ଼ିୟୁ ୯୮.୨୧, ଦିଲ୍ଲୀରେ ୮୩.୮୨, ଗୋଆରେ ୮୦.୮୦, ଗୁଜୁରାଟରେ ୯୧.୦୮, ହରିୟାନାରେ ୮୯.୮୦, ହିମାଚଳ ପ୍ରଦେଶରେ ୯୭.୧୭, ଜାମୁ କାଶ୍ମୀରରେ ୯୦.୭୦, ଝାଡଖଣ୍ଡରେ ୮୩.୨୭, କର୍ଣାଟକରେ ୭୮.୭୨, କେରାଲାରେ ୮୭.୬୪, ଲାଦାଖରେ ୯୬.୧୦, ଲଖାଦୀପରେ ୮୩.୨୯, ମଧ୍ୟ ପ୍ରଦେଶରେ ୮୫.୦୦, ମହାରାଷ୍ଟ୍ର ୮୭.୬୬, ମଣିପୁର ରେ ୭୨.୩୮, ମେଘାଳୟରେ ୮୫.୭୩, ମିଜୋରାମରେ ୮୪.୨୬, ଓଡିଶାରେ ୯୩.୯୯, ପଣ୍ଡିଚେରୀରେ ୯୩.୧୭, ପଞ୍ଜାବରେ ୭୪.୧୬, ରାଜସ୍ଥାନରେ ୮୬.୨୮, ସିକିମ ରେ ୯୩.୫୮, ତାମିଲନାଡୁ ରେ ୮୭.୮୦, ତେଲେଙ୍ଗନା ରେ ୮୪.୦୭, ତ୍ରିପୁରାରେ ୯୩.୮୬, ଉତ୍ତରପ୍ରଦେସ ରେ ୯୧.୨୨, ଉତ୍ତରଖଣ୍ଡରେ ୮୪. ୬୯ ଏବଂ ପଶ୍ଚିମବଙ୍ଗରେ ୮୫.୫୭ ରହିଛି ଟିବି ସ୍କୋର" ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଇଟିଭି ଭାରତ, ଭୁବନେଶ୍ବର